ଦିଗପହଣ୍ଡି,୧୨/୦୧ : ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା । ସାଦା ପୋଷାକରେ ମାଡ଼ି ବସିଲା ଦିଗପହଣ୍ଡି ପୁଲିସ । ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ ବାହିନୀ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଯେତେବେଳେ ଚଢ଼ଉ କରିଥିଲା। ହେଲେ ସେତେବେଳେ ସମସ୍ତେ ଏକଜୁଟ ହୋଇ ପୁଲିସ ଉପରେ ଆକ୍ରମଣ କରିଥିଲେ । ଚଢ଼ଉରେ ସାମିଲ ପୁଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରିଥି । ଏହି ଘଟଣାରେ ପୁଲିସ ୨୬ ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ଘଟଣାସ୍ଥଳରୁ ୯. ୨୪ ଲକ୍ଷ ଟଙ୍କା, ୧୨ଟି ବାଇକ୍ ଓ ଗୋଟିଏ କାର୍ ଜବତ କରାଯାଇଛି ।
ଦିଗପହଣ୍ଡି ଥାନା ଅନ୍ତର୍ଗତ କରପଡ଼ା ପଞ୍ଚାୟତ ଜଙ୍ଘମା ଗ୍ରାମ ନିକଟ ଜଙ୍ଗଲରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ବ୍ରହ୍ମପୁର ଏସ୍.ପି ଡା. ସର୍ବଣା ବିବେକ ଏମ୍ଡ ନିର୍ଦ୍ଦେଶକ୍ରମେ ଶନିବାର ସନ୍ଧ୍ୟାରେ ଚଢ଼ଉ ହୋଇଥିଲା । ଏଏସ୍ଆଇ ମନୋଜ ସିଂଙ୍କ ନେତୃତ୍ୱରେ ପୁଲିସ ସ୍ୱତନ୍ତ୍ର ସ୍କ୍ୱାଡ୍ ଜୁଆ ଆଡ୍ଡାକୁ ଚାରିପଟୁ ଘେରାବନ୍ଦୀ କରିଥିଲେ । ସାଦା ପୋଷାକରେ ଜୁଆ ଆଡ୍ଡାକୁ ଯାଇଥିବା ପୁଲିସ କର୍ମଚାରୀଙ୍କ ଠାରୁ ସୂଚନା ପାଇ ଟିମ୍ ଅତର୍କିତ ଚଢ଼ଉ କରିଥିଲା । ଏହା ଜାଣିପାରି ଜୁଆ ଖେଳୁଥିବା ବହୁ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିଲେ । ଖବର ପାଇ ଚିକିଟି ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ, ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଅଧିକା ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ୨୬ ଅଭିଯୁକ୍ତଙ୍କୁ କାବୁ କରିବା ସହ ନଗଦ ଟଙ୍କା, ବାଇକ୍ ଓ କାର୍ ସହ ୩୨ଟି ମୋବାଇଲ୍, ୧୮ ପ୍ୟାକେଟ୍ ତାସ୍ ଜବତ କରିଥିଲେ । କିଛି ଜୁଆଡ଼ି ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଇଥିଲେ ।
ଗିରଫମାନଙ୍କ ମଧ୍ୟରେ ପୁରୀ ସମେତ ଗଞ୍ଜାମ ଜିଲ୍ଲା ବଡ଼ଗଡ଼, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଗୋଳନ୍ଥରା, ଶେରଗଡ଼, କେ. ନୂଆଗାଁ, ଦିଗପହଣ୍ଡି, ଜରଡ଼ା ଥାନା ଅଞ୍ଚଳର ରହିଛନ୍ତି । ଆହତ ପୁଲିସ କର୍ମଚାରୀଙ୍କ ଚିକିତ୍ସା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଇଥିଲା । ଏଏସ୍ଆଇ ମନୋଜ ସିଂଙ୍କ ଏତଲା ଅନୁଯାୟୀ ଆଇଆଇସି ଥାନାରେ କେସ୍ ନମ୍ବର ୧୨/୨୦୨୬ ରୁଜୁ କରିଥିଲେ । ତଦନ୍ତକାରୀ ଅଧିକାରୀ ଏସ୍ଆଇ ରାଜକିଶୋର ପାତ୍ର ଅଭିଯୁକ୍ତ ଜୁଆଡିମାନଙ୍କୁ ରବିବାର ଅପରାହ୍ଣରେ କୋର୍ଟଚାଲାଣ କରିଥିଲେ । ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ୍କୁ ପଠାଇ ଦିଆଯାଇଛି ।