କଟକ, ୨୯/୦୩: ଆଜି ଖୋଲିବ ବିବାଦୀୟ ଜୟା ହୋଟେଲ। ଖାସି ମାଂସ  ତରକାରୀରେ ଗୋମାଂସ ମିଶାଇଥିବା ଅଭିଯୋଗରେ ମାର୍ଚ୍ଚ ୭ରେ ସିଲ୍‌ କରିଥିଲା ପ୍ରଶାସନ। ଜୟା ହେଟୋଲ ଖୋଲୁଥିବାରୁ ଏଥିପାଇଁ ପୁରୀ  ପୁଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର  ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ  ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।  ଏହି ଘଟଣାରେ ଯେଉଁ ଦୁର୍ବୃତ୍ତମାନେ  ଭିଡିଓ ଭାଇରାଲ୍‌ କରିଥିଲେ ସେମାନଙ୍କୁ ଖୋଜି ବାହାର କରିବାକୁ ହାଇକୋର୍ଟ  ପୁରୀ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି  ଆଧାରରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଏକ  ରିପୋର୍ଟ ସତ୍ୟପାଠ ଜରିଆରେ ରଖିବାକୁ  ହାଇକୋର୍ଟ କହିଛନ୍ତି । ଜୟା ହୋଟେଲ୍‌  ମାଲିକ ପ୍ରଦୀପ କୁମାର ବାରିକ୍‌ଙ୍କ  ପକ୍ଷରୁ ଆଗତ ମାମଲାର ଶୁଣାଣି  ପରିପ୍ରେକ୍ଷୀରେ ବିଚାରପତି ଜଷ୍ଟିସ୍‌ ଏସ୍‌. କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ଆସନ୍ତା ଏପ୍ରିଲ ୧୭ ତାରିଖରେ  ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

ପୁରୀ ରାସ୍ତାରେ ସାକ୍ଷୀଗୋପାଳ  ନିକଟରେ ଜୟା ହୋଟେଲ୍‌ ରହିଛି । ଏହି  ହୋଟେଲ୍‌ ଭଲ ଖାସି ମାଂସ ତରକାରୀ  ବା ମଟନ୍‌ ତରକାରୀ ପାଇଁ ବେଶ୍‌ ଖ୍ୟାତି  ଅର୍ଜନ କରିଥିଲା । ଏଥିପାଇଁ ଜୟା  ହୋଟେଲ୍‌ରେ ପ୍ରବଳ ଭିଡ଼ ହୁଏ । କିନ୍ତୁ  କିଛି ଦିନ ତଳେ ଏହି ହୋଟେଲ୍‌ରେ ଖାସି ମାଂସ ନାମରେ ଗୋମାଂସ ଦିଆଯାଉଛି  ବୋଲି ଅଭିଯୋଗ ହୋଇଥିଲା । ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ  ଭାଇରାଲ୍‌ ହୋଇଥିଲା । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ପିପିଲି ଏସ୍‌ଡିପିଓ ଏବଂ ସତ୍ୟବାଦୀ ଅତିରିକ୍ତ ତହସିଲ୍‌ଦାରଙ୍କ ଏହି ହୋଟେଲକୁ ସିଲ୍‌ କରି ଦେଇଥିଲେ ।  ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ କରିଥିଲେ । ରାଜ୍ୟ ସରକାର  ତାଙ୍କ ଜବାବରେ ଏହି ହୋଟେଲ୍‌ ୨୯ ତାରିଖର ଖୋଲାଯିବ ବୋଲି ଶୁକ୍ରବାର ଅଦାଲତଙ୍କୁ ଅବଗତ କରିଛନ୍ତି ।

ମଟନ କହି ପ୍ଲେଟରେ ପରଷି ଦେଉଛନ୍ତି ଗୋମାଂସ, ଭିଡିଓ ଭାଇରାଲ୍ ପରେ ହୋଟେଲ୍ ସିଲ୍