ଭୁବନେଶ୍ୱର,୦୭/୦୨: ମାଟି ତଳେ ଭୂତଳ  ରାସ୍ତା । ଉପରେ ଚକାଚକ୍‌ ସଡ଼କ । ପୁଣି ଛିଡ଼ା ହେବ ଫ୍ଲାଏଓଭର । ଏସବୁ ଉପରେ ଦୌଡ଼ିବ ମେଟ୍ରୋ । ଜୟଦେବବିହାର ଛକକୁ ନେଇ ଏମିତି  ମେଗା ଯୋଜନା କରିଛି ପୂର୍ତ୍ତ ବିଭାଗ । 

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ  ନିର୍ମାଣ ହେବ ଫ୍ଲାଏଓଭର । ଏହା ପୂର୍ବରୁ  ବଦଳିଯିବ ଜୟଦେବ ବିହାର ଛକ ଓ ରାସ୍ତାର ଚେହେରା । ପ୍ରଥମେ ଜୟଦେବ ବିହାର  ଓଭରବ୍ରିଜ୍‌ ଭଙ୍ଗା ହେବ । କଳିଙ୍ଗ ଷ୍ଟାଡିୟମ  ପଟୁ ଆସୁଥିବା ରାସ୍ତା ତଳେ ଖୋଲିବ ଭୂତଳ  ରାସ୍ତା । ଏହି ଭୂତଳ ରାସ୍ତା ଲମ୍ବିବ ପାଲ୍‌ ହାଇଟ୍ସ  ପର୍ଯ୍ୟନ୍ତ । ସେଠି ଥିବା ଫୁଟଓଭର ବ୍ରିଜ୍‌ ହଟିବ । 

ଜୟଦେବ ବିହାର ରାସ୍ତାକୁ ନୂଆ ରୂପ ଦିଆଯିବ । ଗୋଲେଇ ଛକ ନିର୍ମାଣ ହେବ । କଳିଙ୍ଗ ଷ୍ଟାଡିୟମ ପଟୁ ଆସୁଥିବା ହାଲୁକା ଯାନ  (କାର୍‌, ଦୁଇ ଚକିଆ, ଅଟୋ ଆଦି ଗାଡ଼ିମୋଟର)  ଭୂତଳ ରାସ୍ତା ଦେଇ ପାଲ ହାଇଟ୍ସ ପର୍ଯ୍ୟନ୍ତ ଯିବେ ।  ସେହିପରି ବସ୍‌, ଟ୍ରକ ଓ ଅନ୍ୟାନ୍ୟ ଭାରୀଯାନ  ଭୂତଳ ରାସ୍ତା ଉପରେ ଥିବା ସଡ଼କ ଦେଇ ଆଗକୁ  ଆସିବେ । ପାଲହାଇଟ୍ସ ପାଖରୁ ସମସ୍ତ ଗାଡ଼ିମୋଟର  ସିଧା ଫ୍ଲାଏଓଭର ଚଢ଼ିବେ । ଏହି ଫ୍ଲାଏଓଭର ପୂରା  ନନ୍ଦନକାନନ ଛକ ପର୍ଯ୍ୟନ୍ତ ନିର୍ମାଣ ହେବ । ମଝିରେ  ଥିବା ନାଲ୍‌କୋ ଛକ, ଚନ୍ଦ୍ରଶେଖରପୁର ଡମଣା ଛକ, ପଟିଆ ଛକ, କିଟ୍‌ ଛକ,  ରଘୁନାଥପୁର ଛକ ରାସ୍ତା ଫ୍ଲାଏଓଭର ସହ  ସଂଯୋଗ ହେବ । ଏଭଳି ହେଲେ ଯେ କେହି ଆରାମରେ ଫ୍ଲାଏଓଭରକୁ ଚଢ଼ିପାରିବେ ।  ଏହାସହ ଫ୍ଲାଏଓଭରର ଗାଡ଼ିମୋଟର ତଳେ  ଥିବା ବିଭିନ୍ନ ସର୍ଭିସ ରାସ୍ତାକୁ ଆସିପାରିବେ ।  ଏହି ଯୋଜନାକୁ ସାକାର କରିବା ପାଇଁ ପୂର୍ତ୍ତ  ବିଭାଗ ପ୍ରାୟ ୩୫୦୦ କୋଟି ଟଙ୍କାର ଖର୍ଚ୍ଚ  ଆକଳନ କରାଯାଇଛି । ଏହାର ବିସ୍ତୃତ ପ୍ରକଳ୍ପ  ଯୋଜନା (ଡିପିଆର୍‌) ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଅନୁମୋଦନ ମିଳିସାରିଛି । ଖୁବଶୀଘ୍ର ଡିପିଆର୍‌  ପ୍ରସ୍ତୁତ କରାଯିବ । 

ବଡ଼ କଥା ହେଲା, ଏହି ଫ୍ଲାଏଓଭର ଉପରେ  ଯିବ ମେଟ୍ରୋ ରେଳ । ପୂରା ଏଲିଭେଟେଡେ୍‌  କରିଡରରେ ନିର୍ମାଣ ହେବ ମେଟ୍ରୋ ରେଳ ପଥ ଓ ଫ୍ଲାଏଓଭର । ଏ ନେଇ ଭୁବନେଶ୍ୱର ମେଟ୍ରୋ  ରେଳ କର୍ପୋରେସନ (ବିଏମ୍‌ଆର୍‌ସିଏଲ୍‌) ଏବଂ  ପୂର୍ତ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରିବେ ।  ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର ପାଇଁ  ଜୟଦେବବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଭଳି  ବିସ୍ତୃତ ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଏ ନେଇ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହାକୁ ତ୍ୱରିତ ବେଗରେ ଆଗେଇବା ପାଇଁ  ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।