ଜେନେଭା, ୨୭/୦୨ : ଆମେରିକାର କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ ସହ ସମ୍ପର୍କ ମାମଲା। ଇସ୍ତଫା ଦେଲେ ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ର ଅଧ୍ୟକ୍ଷ ତଥା ସିଇଓ ବୋର୍ଜ ବ୍ରେଣ୍ଡେ। ସେ ଗୁରୁବାର ଦିନ ଇସ୍ତଫା ଦେଇଛନ୍ତି । ଏପ୍‌ଷ୍ଟିନ୍‌ ସେକ୍ସ ଫାଇଲରେ ତାଙ୍କ ନାମ ଆସିବା ପରେ ଫୋରମ୍‌ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ଆରମ୍ଭ ହେବାର କିଛି ସପ୍ତାହ ପରେ ବ୍ରେଣ୍ଡେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । 

୨୦୧୭ରେ ବୋର୍ଜ ବ୍ରେଣ୍ଡେ ଡବ୍ଲ୍ୟୁଇଏଫ୍‌ର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ବ୍ରେଣ୍ଡେ କହିଛନ୍ତି, ବିଶ୍ୱ ଅର୍ଥନୈତିକ ଫୋରମରେ ମୋର ସାଢ଼େ ୮ ବର୍ଷର ଯାତ୍ରା ଉତ୍ସାହଜନକ ରହିଥିଲା । ଏବେ ମୁଁ ଏହାର ଅଧ୍ୟକ୍ଷ ଓ ସିଇଓ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଉଛି । ସେହିଭଳି ଜେନେଭାଭିତ୍ତିକ ଏହି ସଂସ୍ଥାର ସହ ଅଧ୍ୟକ୍ଷ ଆନ୍ଦ୍ରେ ହଫ୍‌ମ୍ୟାନ ଓ ଲ୍ୟାରୀ ଫିଙ୍କ୍‌ ଏକ ବିବୃତିରେ କହିଛନ୍ତି, ଡବ୍ଲ୍ୟୁଇଏଫ୍‌ ପକ୍ଷରୁ ତଦନ୍ତ ଶେଷ ହୋଇଛି । ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ପୂର୍ବରୁ ଯେଉଁ କଥା ପ୍ରକାଶ ପାଇଥିଲା, ତାହା ଠାରୁ ଅଧିକ କିଛି ମିଳିନାହିଁ । ଏବେ ଆଲଏସ୍‌ ଜ୍ୱିଙ୍ଗି ଡବ୍ଲ୍ୟୁଇଏଫ୍‌ର ଅନ୍ତରୀଣ ଅଧ୍ୟକ୍ଷ ତଥା ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ । ତେବେ ବ୍ରେଣ୍ଡେଙ୍କର ଜଣେ ସ୍ଥାୟୀ ଉତ୍ତରାଧିକାରୀ ବାଛିବା ଲାଗି ଡବ୍ଲ୍ୟୁଇଏଫ୍‌ ବୋର୍ଡ ଅଫ୍‌ ଟ୍ରଷ୍ଟିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । 

ଆଉ ଏକ ଘଟଣାକ୍ରମେ ଏପ୍‌ଷ୍ଟିନ୍‌ ଦସ୍ତାବିଜରେ ଏକ ପୁରୁଣା ଫଟୋ ଭାଇରାଲ ହେବାରେ ଲାଗିଛି । ଏଥିରେ ଦିବଂଗତ ବ୍ରିଟିଶ ବୈଜ୍ଞାନିକ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କୁ ଦୁଇଜଣ ବିକିନି ପିନ୍ଧା ମହିଳାଙ୍କ ସହ ଦେଖିବାକୁ ମିଳିଛି । ଏହି ଫଟୋ ୨୦୦୬ରେ ଉତ୍ତୋଳନ ହୋଇଥିବା କୁହାଯାଉଛି । ଫଟୋଟିକୁ ନେଇ ଚର୍ଚ୍ଚା ହେବା ପରେ ଷ୍ଟିଫେନ୍‌ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି କି ମହିଳାମାନେ ତାଙ୍କର ଯତ୍ନ ନେତା ପାଇଁ ‘କେୟାରଗିଭର’ ଭାବେ କାର୍ଯ୍ୟରତ ଥିଲେ । କୌଣସି ପ୍ରକାର ଅନୁଚିତ କାର୍ଯ୍ୟ ହୋଇନାହିଁ । ଏ ନେଇ ହେଉଥିବା ତମାମ ଅଭିଯୋଗ ଅମୂଳକ । କୁହାଯାଉଛି ଯେ ଏହି ଫଟୋ କ୍ୟାରିବିୟନ ଦ୍ୱୀପ ସେଣ୍ଟ ଥମାସର ରିଟ୍‌ଜ-କାର୍ଲଟନ ହୋଟେଲରେ ଉଠାଯାଇଥିଲା । ସେଠାରେ ୨୦୦୬ ମାର୍ଚ୍ଚରେ ଏପ୍‌ଷ୍ଟିନ୍‌ ତରଫରୁ ଏକ ବୈଜ୍ଞାନିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀରେ ୨୧ ଅନ୍ତର୍ଜାତୀୟ ବୈଜ୍ଞାନିକ ସାମିଲ ହୋଇଥିଲେ ।

ଏହି ଖବରଟିକୁ ପଢନ୍ତୁ- ଏପଷ୍ଟିନ୍ ଫାଇଲ୍ସ ଉପରେ ବିଲ୍ ଗେଟ୍ସଙ୍କ ସ୍ୱୀକାରୋକ୍ତି, କହିଲେ-ହଁ, ଦୁଇ ରୁଷୀୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲି...