କଳିଙ୍ଗନଗର,୧୭। ୧୧( ଆପ୍ର) : ଜେନାପୁର-ଯଖପୁରା ଷ୍ଟେସନ ମଧ୍ୟଭାଗ ବ୍ରାହ୍ମଣୀ ପିଏଚ୍ ନିକଟରେ ସୋମବାର ସନ୍ଧ୍ୟାରେ ଏକ ମାଲବାହୀ ଟ୍ରେନ୍ର ଗୋଟିଏ ୱାଗନ୍ ଲାଇନ୍ଚ୍ୟୁତ୍ ହୋଇଛି। ୱାଗନ୍ଟି ଅପ୍ ଆଣ୍ଡ ଡାଉନ୍ଲାଇନ୍ ଉପରେ ପଡ଼ି ଯାଇଥିବାରୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା। ଫଳରେ ଯାଜପୁର-କେନ୍ଦୁଝର ରୋଡ, ନୂଆ ଗଡ଼ମଧୁପୁର, ଧାନମଣ୍ଡଳ ଆଦି ଷ୍ଟେସନରେ ଏକାଧିକ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ଅଟକି ରହିଥିଲେ । କେନ୍ଦୁଝର ପାର୍ଶ୍ୱରୁ ଆସୁଥିବା ବଦେ ଭାରତ ଏକ୍ସପ୍ରେସ୍ ସୁକିନ୍ଦାର ବାଘୁଆପାଳ ପିଏଚ୍ ରେ ଅଟକି ରହିଥିଲା।

ରେଲୱେ କର୍ତ୍ତୃପକ୍ଷ ତ୍ବରିତ ବେଗରେ ଲାଇନ୍ କ୍ଲିୟର ପାଇଁ ଉଦ୍ୟମ କରିଥିଲେ । ରାତି ପ୍ରାୟ ୯ଟା ୨୮ ସମୟରେ ଦୁଇଟି ଲାଇନ କ୍ଲିୟର ହେବା ପରେ ପ୍ରଥମେ ଯାଜପୁର ରୋଡ ଆଡ଼କୁ ଯାଉଥିବା ଟ୍ରେନ୍ ଗୁଡ଼ିକୁ ଛଡ଼ା ଯାଇଥିଲା। ପରେ କଟକ ଆଡ଼କୁ ଟେନ୍ ଛଡ଼ାଯାଇଥିବା ସୂଚନା ମିଳିଛି। ମାଲବାହୀ ଟ୍ରେନ୍ଟି କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଏକ କାରଖାନାକୁ ମାଲ ନେଇ ଯାଇଥିଲା। ମାଲ୍ ଖାଲି କରି ଫେରୁଥିବା ବେଳେ ଏହାର ମଧ୍ୟଭାଗରୁ ଗୋଟିଏ ୱାଗନ୍ ଲାଇନ୍ଚ୍ୟୁତ ହୋଇଥିଲା।