ରାଞ୍ଚି,୧୪/୧୧: ଝାଡ଼ଖଣ୍ଡରେ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୪୩  ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୬.୩୭%ରୁ ଅଧିକ  ଭୋଟିଂ ହୋଇଛି । ମୋଟ ୬୮୩ ପ୍ରାର୍ଥୀଙ୍କ  ଭାଗ୍ୟ ଇଭିଏମ୍‌ରେ କଏଦ ହୋଇଛି ।  

ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ, ବାହରଗୋଡ଼ାରେ ସର୍ବାଧିକ ୭୭.୩୨% ଓ  ଜାମସେଦପୁରରେ ସର୍ବନିମ୍ନ ୫୫.୯୫%  ଭୋଟ୍‌ ପଡ଼ିଛି । ଲୋହରଦଗାରେ ୭୩.୨୧%  ଭୋଟିଂ ହୋଇଥିବା ବେଳେ ପୂର୍ବ ସିଂହଭୂମ  ଜିଲ୍ଲାର ପୋଟକା ବିଧାନସଭା ଆସନରେ ୭୨.୨୯% ମତଦାନ ହୋଇଛି । ରାଜଧାନୀ  ରାଞ୍ଚିର ମାଣ୍ଡର ଆସନରେ ୭୨.୧୩%,  ଗୁମଲା ଜିଲ୍ଲାର ସିସଇ ବିଧାନସଭା ଆସନରେ ୭୧.୨୧% ଭୋଟିଂ ହୋଇଛି । ଅପରାହ୍ନ  ୫ଟା ସୁଦ୍ଧା ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ  ହୋଇଥିଲା । କିଛି ବୁଥରେ ସନ୍ଧ୍ୟା ୫ଟା ପରେ ପହଞ୍ଚିଥିବା ମତଦାତାଙ୍କୁ ମତାଧିକାର ପାଇଁ  ସୁଯୋଗ ମିଳିଥିଲା । ସହରାଞ୍ଚଳ ତୁଳନାରେ  ଗ୍ରାମାଞ୍ଚଳରେ ଅଧିକ ଭୋଟ ପଡ଼ିଥିଲା । 

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ,  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ପୂର୍ବତନ  ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଭାରତୀୟ  କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର  ସିଂହ ଧୋନି ଏବଂ ପତ୍ନୀ ସାକ୍ଷୀ ଧୋନି ଭୋଟ୍‌  ଦେବାକୁ ରାଞ୍ଚିର ଜେଭିଏମ୍‌ ଶ୍ୟାମଳୀସ୍ଥିତ  ବୁଥ୍‌ରେ ପହଞ୍ଚିଥିଲେ । ତାଙ୍କୁ ଦେଖିବା ପାଇଁ  ପ୍ରବଳ ଭିଡ଼ ହୋଇଥିଲା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନ ପତ୍ନୀ କଳ୍ପନାଙ୍କ ସହ ଆସି  ଭୋଟ ଦେଇଥିଲେ । ପଶ୍ଚିମ ସିଂହଭୂମର  ସୋନୁଆରେ ମତଦାତାଙ୍କୁ ବୁଥ ପର୍ଯ୍ୟନ୍ତ  ନେଇଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଥିଲା । ଫଳରେ କିଛି ମତଦାତା ଆହତ ହୋଇଥିଲେ ।  ଆଜିର ମତଦାନ କୋହ୍ଲାନ ଅଞ୍ଚଳର ବଡ଼  ନେତାଙ୍କ ରାଜନୈତିକ ଭବିଷ୍ୟତ ଧାର୍ଯ୍ୟ \କରିବ । ଚମ୍ପାଇ ସୋରେନଙ୍କ ଉପରେ ସମସ୍ତଙ୍କ  ନଜର ରହିବ । ଓଡ଼ିଶା ରାଜ୍ୟପାଳ ରଘୁବର  ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ଓ ପୂର୍ବତନ  ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡାଙ୍କ  ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେଉଛି ।  ନଭେମ୍ବର ୨୦ରେ ବାକି ୩୮ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।