ରାଉରକେଲ, ୧୫/୦୬: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋଲଙ୍ଗଳକଟା ଜଙ୍ଗଲ ମଝିରେ ଶନିବାର ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ସିଆରପିଏଫ୍ ଏଏସ୍ଆଇ ସତ୍ୟବାନ ସିଂହ (୩୪) ସହିଦ ହୋଇଛନ୍ତି । ବାଙ୍କୋ ସଂରକ୍ଷିତ ଜଙ୍ଗଲରୁ କମ୍ବିଂ ଅପରେସନ ସାରି ଯବାନ ଫେରୁଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି । ରାଉରକେଲା ବିମାନ ବନ୍ଦରରୁ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ହେଲିକପ୍ଟରରେ ରାଞ୍ଚି ନିଆଯାଇଥିଲା । ରାଞ୍ଚିର ଦୁରବାସ୍ଥିତ ସିଆର୍ପିଏଫ୍ କ୍ୟାମ୍ପରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପୁଲିସ୍ ଡିଜି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସହିଦ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଛି । ଯବାନଙ୍କ ପାର୍ଥିବ ଶରୀରକୁ ପୈତୃକ ଘର ଉତ୍ତରପ୍ରଦେଶ ପଠାଯାଇଛି । ରବିବାର ତାଙ୍କ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି ।
ଗତ ମେ’ ୨୭ରେ ବାଙ୍କୋ ପଥର ଖାଦାନରୁ ମାଓବାଦୀ ୫ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ । ଏହାପରେ ଝାଡ଼ଖଣ୍ଡ ଓଡ଼ିଶା ଯବାନଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ତଲାସୀ ବେଳେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୪ ଟନ୍ ବିସ୍ଫୋରକ ଉଦ୍ଧାର ହୋଇଛି । ଅବଶିଷ୍ଟ ବିସ୍ଫୋରକ ଉଦ୍ଧାର ଲାଗି ଅପରେସନ ଜାରି ରହିଛି । ଗତ ୬ ତାରିଖରେ ଝାଡ଼ଖଣ୍ଡର ୧୩୪ ବାଟାଲିଅନ ସିଆରପିଏଫ୍ ‘ସି’ କମ୍ପାନି ପକ୍ଷରୁ ବାଙ୍କୋ, ସିଲକୁଟା ଓ ଲଙ୍ଗଳକଟା ଅଞ୍ଚଳରେ ଚାଲିଥିବା ସର୍ଚ୍ଚ ଅପରେସନରେ ଏଏସ୍ଆଇ ସତ୍ୟବାନ ସିଂହ ସାମିଲ ଥିଲେ । ବାଙ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସୂଚନା ପାଇବା ପରେ ଗୁରୁବାର ଯବାନ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଶନିବାର ସକାଳ ପ୍ରାୟ ୫ଟାରେ ଅପରେସନ ସାରି ଯବାନମାନେ ଫେରୁଥିବାବେଳେ ବାଙ୍କୋ-ଲଙ୍ଗଳକଟା ଜଙ୍ଗଲ ରାସ୍ତାରେ ମାଓବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଆଗରେ ଥିବା ସିଆର୍ପିଏଫ୍ ଏଏସ୍ଆଇ ସତ୍ୟବାନ ଗୁରୁତର ହୋଇଥିଲେ । ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଏସ୍ପି ନିତେଶ ୱାଧୱାନୀଙ୍କ ସମେତ ସିଆରପିଏଫ୍ର ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଏଏସ୍ଆଇ ସତ୍ୟବାନଙ୍କ ମୃତ୍ୟୁ ହୋଇଯାଇଥିଲା । ନିକଟରେ ସମ୍ପୃକ୍ତ ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ଲ୍ୟାଣ୍ଡମାଇନ୍ କି ଆଇଇଡିର ସନ୍ଧାନ ପାଇ ନ ଥିଲେ । ଶନିବାର ଘଟଣାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଲାଲବାହିନୀ ସକ୍ରିୟ ହୋଇଉଠିଥିବା ସ୍ପଷ୍ଟ ହୋଇଛି ।