ଭୁବନେଶ୍ବର,୦୪/୧୧: ଡାଟା ଟ୍ରାଫିକ୍‌ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱାର୍କ ହୋଇ ରହିଛି । ଜାନୁଆରୀରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ପ୍ରଥମ ତିନୋଟି ତ୍ରୟମାସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଚୀନର କମ୍ପାନୀ ଚାଇନା ମୋବାଇଲ୍‌ ଠାରୁ କ୍ରମାଗତ ଭାବରେ ଆଗରେ ରହିଛି । ବିଶ୍ୱର ଦୂରସଂଚାର କ୍ଷେତ୍ରର ଅନୁଶୀଳନକାରୀ କମ୍ପାନୀ ଟେଫିସିଏଣ୍ଟ ଅନୁଯାୟୀ ଜିଓ ଏବଂ ଚାଇନା ମୋବାଇଲ୍‌ ପରେ ଅନ୍ୟ ଏକ ଚୀନ କମ୍ପାନୀ ଚାଇନା ଟେଲିକମ୍‌ ଡାଟା ଟ୍ରାଫିକରେ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି । ଭୋଡା ଆଇଡିଆ ଷଷ୍ଠ ସ୍ଥାନ ହାସଲ କରିଛି ।  

ଟେଫିସିଏଣ୍ଟ ନିଜ ଟ୍ୱିଟରେ କହିଛନ୍ତି ଯେ ଚୀନ୍‌ କମ୍ପାନୀ ଚାଇନା ମୋବାଇଲ୍‌ ସମ୍ଭବତଃ ନିଜର ପ୍ରଭାବ ହରାଇଛି । ଚାଇନା ମୋବାଇଲରେ ବାର୍ଷିକ ଅଭିବୃଦ୍ଧି ମାତ୍ର ୨% ହୋଇଥିବାବେଳେ ଜିଓ ଏବଂ ଚାଇନା ଟେଲିକମରେ ପ୍ରାୟ ୨୪% ଏବଂ ଏୟାରଟେଲରେ ୨୩% ଅଭିବୃଦ୍ଧି ଘଟିଛି । ୫ଜି ନେଟୱାର୍କର ଦୃଢ ଉପସ୍ଥିତି ପାଇଁ ଭାରତୀୟ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍‌ ବୃଦ୍ଧି ପାଇଥିବା ଟେଫିସିଏଣ୍ଟ ଦର୍ଶାଇଛି  । ଏଥିସହିତ, ୫ଜି ଚୀନ୍‌‌ର ଡାଟା ଟ୍ରାଫିକ ଉପରେ ଭାରତ ଭଳି ପ୍ରଭାବ ପକାଇ ପାରି ନାହିଁ ।

୫ଜି ଏବଂ ଘରୋଇ ବ୍ରଡବ୍ୟାଣ୍ଡ ପାଇଁ ରହିଥିବା ପ୍ରବଳ ଚାହିଦା ଜିଓର ବିଶ୍ୱରେ ଡାଟା ଟ୍ରାଫିକ୍‌ ଦୃଷ୍ଟିରୁ ଏକ ନମ୍ବର ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗତ ତିନିବର୍ଷ ମଧ୍ୟରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ୍‌ ପ୍ରାୟ ଦ୍ୱିଗୁଣିତ ହୋଇଛି । ଜିଓର ୫ଜି ନେଟୱାର୍କରେ ପ୍ରାୟ ୧୪ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି । ଜିଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଏହାର ମୋଟ ଡାଟା ଟ୍ରାଫିକ୍‌ ୪୫ ଏକ୍ସାବାଇଟ୍‌ ଅତିକ୍ରମ କରିଛି ।