ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ ୨୦୨୪ ରେ ଏକ ଟେକ୍ନୋଲୋଜି ପ୍ରଦର୍ଶନ କରିଛି ଯାହା ଘରର ସ୍ମାର୍ଟ ଟିଭିଗୁଡ଼ିକୁ ସହଜରେ କମ୍ପ୍ୟୁଟରରେ ପରିଣତ କରିପାରିବ  । ଜିଓ କ୍ଲାଉଡ୍‌ ପିସି ନାମକ ଏହି ଟେକ୍ନୋଲୋଜି ଟିଭିକୁ ମାତ୍ର ଶହେ ଟଙ୍କା ଖର୍ଚ୍ଚରେ କମ୍ପ୍ୟୁଟରରେ ପରିଣତ କରିବ  । ଏଥିପାଇଁ କେବଳ ଇଣ୍ଟରନେଟ୍‌ ସଂଯୋଗ, ସ୍ମାର୍ଟ ଟିଭି, ଟାଇପିଂ କିବୋର୍ଡ୍‌, ମାଉସ୍‌ ଏବଂ ଜିଓ କ୍ଲାଉଡ୍‌ ପିସି ଆପ୍‌ ଆବଶ୍ୟକ ହେବ  । ଯେଉଁମାନଙ୍କ ଟିଭି ସ୍ମାର୍ଟ ନୁହେଁ, ସେମାନଙ୍କ ସାଧାରଣ ଟିଭି ମଧ୍ୟ ଜିଓ ଫାଇବର କିମ୍ବା ଜିଓ ଏୟାରଫାଇବର ସହିତ ଆସୁଥିବା ସେଟ୍‌-ଟପ୍‌ ବକ୍ସ ମାଧ୍ୟମରେ କମ୍ପ୍ୟୁଟର ହୋଇପାରିବ   ।

ବାସ୍ତବରେ ଜିଓ କ୍ଲାଉଡ୍‌ ପିସି ହେଉଛି ଏକ ଟେକ୍ନୋଲୋଜି ଯାହାଦ୍ୱାରା ଯେକୌଣସି ଟିଭି ଇଣ୍ଟରନେଟ୍‌ ମାଧ୍ୟମରେ କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ ସହିତ ସଂଯୋଗ ହୋଇପାରିବ  । ଏହା ବ୍ୟବହାର କରିବା ମଧ୍ୟ ସହଜ, ଗ୍ରାହକ କେବଳ ଆପରେ ଲଗଇନ୍‌ କରିବା ଆବଶ୍ୟକ ଏବଂ କ୍ଲାଉଡରେ ଗଚ୍ଛିତ ସମସ୍ତ ତଥ୍ୟ ଟିଭିରେ ଦୃଶ୍ୟମାନ ହେବ  । ଇମେଲ, ମେସେଜିଂ, ସୋସିଆଲ୍‌ ନେଟୱାର୍କିଂ, ଇଣ୍ଟରନେଟ୍‌ ସର୍ଫିଂ, ସ୍କୁଲ୍‌ ପ୍ରୋଜେକ୍ଟ, ଅଫିସ ପ୍ରେଜେଣ୍ଟେଶନ ପରି କମ୍ପ୍ୟୁଟରରେ ସମସ୍ତ କାର‌୍ୟ୍ୟ ହୋମ ଟିଭିରେ କରାଯାଇପାରିବ । ସରଳ ଶବ୍ଦରେ, ସମସ୍ତ ତଥ୍ୟ କ୍ଲାଉଡ୍‌ ରେ ରହିବ ଏବଂ ସର୍ଭର, ଷ୍ଟୋରେଜ୍‌, ଡାଟାବେସ୍‌, ନେଟୱାର୍କିଂ, ସଫ୍ଟୱେର୍‌ ଏବଂ ଆନାଲିଟିକ୍ସ ଭଳି ସେବା ଟିଭି ମାଧ୍ୟମରେ ବ୍ୟବହାର କରାଯାଇପାରିବ  ।

ଆବଶ୍ୟକତା ଅନୁଯାୟୀ କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗର କ୍ଷମତା ବୃଦ୍ଧି କିମ୍ବା ହ୍ରାସ କରାଯାଇପାରିବ  । ଏହା ସୁରକ୍ଷିତ ହେବା ସହିତ, ସାଧାରଣ କମ୍ପ୍ୟୁଟର ବ୍ୟବହାର କରିବା ତୁଳନାରେ ଡାଟା ପୁନରୁଦ୍ଧାର ପାଇଁ ମଧ୍ୟ ସହଜ ଅଟେ   । ଟିଭି ସହିତ ଏହାକୁ ମୋବାଇଲରେ ମଧ୍ୟ ବ୍ୟବହାର କରାଯାଇପାରିବ  । ଯଦିଓ କମ୍ପାନୀ ଏହି ଆପର ବଜାରରେ ଉପଲବ୍ଧ ହେବା ତାରିଖ ଘୋଷଣା କରିନାହିଁ, ତଥାପି ଏହା ଆଗାମୀ କିଛି ମାସ ମଧ୍ୟରେ ବଜାରରେ ଉପଲବ୍ଧ ହେବାର ଆଶା କରାଯାଉଛି ।