ବେରୁଟ: ଇସ୍ରାଏଲ ଡିଫେନ୍ସ ଫୋର୍ସେସ (ଆଇଡିଏଫ) ଏବଂ ଇସ୍ରାଏଲ ସିକ୍ୟୁରିଟି ଏଜେନ୍ସି (ଆଇଏସଏ)ର ମିଳିତ ଅଭିଯାନରେ ଲେବାନନର ନମାଇରିୟେହ ଅଞ୍ଚଳରେ ଶୁକ୍ରବାର ଦିନ ଆତଙ୍କବାଦୀ ମହମ୍ମଦ ଶୋଆଇବଙ୍କୁ ନିହତ କରାଯାଇଛି। ଆଇଡିଏଫ ଦେଇଥିବା ସୂଚନା ଅନୁଯାୟୀ, ଶୋଆଇବ ଇରାନ ସମର୍ଥିତ ଅସ୍ତ୍ର ଚୋରା ଚାଲାଣ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ସହ ଇସ୍ରାଏଲ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣକୁ ପ୍ରୋତ୍ସାହିତ କରୁଥିଲେ।
ମହମ୍ମଦ ଶୋଆଇବ ସିରିଆ ଏବଂ ଲେବାନନରେ ଅସ୍ତ୍ର ବ୍ୟବସାୟୀମାନଙ୍କ ସହ ସମ୍ପର୍କ ରଖି ଇସ୍ରାଏଲ ମଧ୍ୟକୁ ଅସ୍ତ୍ର ଚୋରା ଚାଲାଣ କରୁଥିଲେ। ଯାହା ଦ୍ୱାରା ଇସ୍ରାଏଲରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ସଂଗଠିତ ହେବା ସହ ଲେବାନନରେ ଆତଙ୍କବାଦୀ ଭିତ୍ତିଭୂମି ସ୍ଥାପନ କରାଯାଉଥିଲା। ତେବେ ଶୋଆଇବଙ୍କ ମୃତ୍ୟୁ ଲେବାନନ, ସିରିଆ ଏବଂ ଜୁଡିଆ ଓ ସାମାରିଆ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ଆତଙ୍କବାଦୀ ସଂଗଠନମାନଙ୍କର ଅସ୍ତ୍ର ସଂଗ୍ରହ କ୍ଷମତାକୁ ଦୁର୍ବଳ କରିଦେଇଛି।
ଏହି ଆକ୍ରମଣ ନମାଇରିୟେହର ନାବାତିୟେହ ଜିଲ୍ଲାରେ ଏକ ଗାଡ଼ି ଉପରେ ଡ୍ରୋନ ମାଧ୍ୟମରେ କରାଯାଇଥିଲା। ଯେଉଁଥିରେ ଶୋଆଇବଙ୍କ ସହ ଆଉ ପାଞ୍ଚ ଜଣ ଆହତ ହୋଇଛନ୍ତି ବୋଲି ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଲେବାନନ ସରକାର ଏହି ଆକ୍ରମଣକୁ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହି ଏହାର କଡା ନିନ୍ଦା କରିଛନ୍ତି।
ଏହାସହ ଇସ୍ରାଏଲ ଗାଜା ଷ୍ଟ୍ରିପରେ ମଧ୍ୟ ଗତକାଲି ରାତିସାରା ଆକ୍ରମଣ ଜାରି ରଖିଥିଲା। ଯେଉଁଥିରେ 36 ଜଣ ପାଲେଷ୍ଟାଇନ ନାଗରିକ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହାସହ ଇସ୍ରାଏଲର ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଏହା ପୂର୍ବରୁ ମଧ୍ୟ ଇସ୍ରାଏଲ ଲେବାନନରେ ଅନେକ ଆତଙ୍କବାଦୀ ନେତାଙ୍କୁ ଟାର୍ଗେଟ କରିଛି। ଯେଉଁଥିରେ ହିଜବୁଲ୍ଲାର ରାଡୱାନ ଫୋର୍ସର କମାଣ୍ଡର ଅଲ୍ଲି ଅବଦ ଅଲ-ହାସନ ହୈଦର ଏବଂ ହମାସର ବରିଷ୍ଠ କମାଣ୍ଡର ମେହରାନ ମୁସ୍ତାଫା ବାଜୁର ଆଦି ସାମିଲ ରହିଛନ୍ତି। ଏହି ଅଭିଯାନଗୁଡ଼ିକ ହିଜବୁଲ୍ଲା ଏବଂ ହମାସ ଭଳି ସଂଗଠନମାନଙ୍କୁ ଦୁର୍ବଳ କରିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବଜାୟ ରଖିବା ଲକ୍ଷ୍ୟରେ କରାଯାଉଛି ବୋଲି ଇସ୍ରାଏଲ ପକ୍ଷରୁ ଘୋଷଣା କରାଯାଇଛି।