ମସ୍କୋ,୨୦।୧୨: ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଚାଲିଥିଲା ସାମ୍ବାଦିକ ସମ୍ମିଳନୀ । ଏଥିରେ ଯୁଦ୍ଧ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହେଲେ ହଠାତ ସେତେବେଳେ ଏଭଳି କିଛି ଘଟିଥିଲା ଯେ,ସମସ୍ତେ ଜୋର ଜୋରରେ ହସିବାକୁ ଲାଗିଥିଲେ। ଏହାର କାରଣ ଥିଲା ପ୍ରେସ୍ କନଫ୍ରେନ୍ସ ଚାଲିଥିବା ବେଳେ ଜଣେ ସାମ୍ବାଦିକ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। କେବଳ ସେତିକି ନୁହେଁ ସାମ୍ବାଦିକ ଜଣକ ପୁଟିନଙ୍କୁ ମଧ୍ୟ ବିବାହରେ ଆସିବାକୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ କହିଥିଲେ, ଗତ ୮ ବର୍ଷ ଧରି ସେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ରିଲେସନ୍ସିପ୍‌ରେ ଅଛନ୍ତି। କିନ୍ତୁ ଦରଦାମ ବୃଦ୍ଧି ଯୋଗୁଁ ସେ ବିବାହ କିମ୍ବା ପରିବାର ବଢାଇବା ବିଷୟରେ ଭାବି ପାରୁନଥିଲେ।  

ରାଷ୍ଟ୍ରପତି ପୁଟିନ୍‌ଙ୍କ ପ୍ରେସ୍ କନଫ୍ରେନ୍ସ ବେଳେ ସ୍ଥାନୀୟ ଖବରକାଗଜର ରିପୋର୍ଟର କିରିଲ ବଜାନୋଭଙ୍କ ଉପରେ ସମସ୍ତ ନଜର ଯାଇ ଅଟକି ଥିଲା। ତାଙ୍କ ହାତରେ ଥିଲା ଗୋଟିଏ ବ୍ୟାନର। ଏଥିରେ ଲେଖାଥିଲା ମୁଁ ବିବାହ କରିବାକୁ ଚାହୁଁଛି। ୨୩ ବର୍ଷର ସାମ୍ବାଦିକ ଜଣକ କହିଥିଲେ, ମୋତେ ଜଣାଅଛି ମୋ ଗର୍ଲଫ୍ରେଣ୍ଡ ଏହି ଲାଇଭ ପ୍ରେସ୍ କନଫ୍ରେନ୍ସ ଦେଖୁଛି। ଓଲେକା, କ’ଣ ତୁମେ ମୋତେ ବିବାହ କରିବ ? ଏହାପରେ ପୁରା ହଲ୍ ଭିତରେ ହସର ଗୁଞ୍ଜରଣ ଖେଳି ଯାଇଥିଲା। ରାଷ୍ଟ୍ରପତି ପୁଟିନ୍ ମଧ୍ୟ ନିଜେ ହସ ରୋକିପାରିନଥିଲେ।

ସାମ୍ବାଦିକ ଜଣକ ପୁଟିନଙ୍କୁ କହିଥିଲେ ଦେଶରେ ଦରଦାମ୍ ବୃଦ୍ଧି ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିବାହ କରିବାକୁ ସାହାସ କରିପାରୁନଥିଲି। କେବଳ ସେତିକି ନୁହେଁ କିରିଲ୍ ତାଙ୍କ ବିବାହକୁ ଆସିବାକୁ ପୁଟିନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ପୁଟିନ୍ ବିବାହ ନିମନ୍ତ୍ରଣ ଉପରେ ସିଧାସଳଖ କୌଣସି ଉତ୍ତର ଦେଇନଥିଲେ, କିନ୍ତୁ ବିବାହ ପାଇଁ ଆର୍ଥିକ ସହାୟତା ଦେଲେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଫଣ୍ଡ ଏକାଠି କରିବାକୁ କହିଛନ୍ତି ରୁଷ ରାଷ୍ଟ୍ରପତି। ଋଷିଆନ୍ ନ୍ୟୁଜ୍ ଏଜେନ୍ସି ‘ଟାସ୍’ ନିଜର ଏକ ରିପୋର୍ଟରେ କହିଛି କିରିଲଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ତାଙ୍କର ବିବାହ ପ୍ରସ୍ତାବକୁ ସ୍ବୀକାର କରିଛନ୍ତି। ‘ଟାସ୍’ର ସାମ୍ବାଦିକ କିରିଲଙ୍କୁ ଯେତେବେଳେ ପଚାରିଥିଲେ, ଆପଣଙ୍କ ଗର୍ଲଫ୍ରେଣ୍ଡ ବିବାହ କରିବାକୁ ପ୍ରସ୍ତୁତ। ଏହାର ଉତ୍ତରରେ ସେ କହିଥିଲେ ହଁ।

ଆହୁରି ପଢନ୍ତୁ:ଅନ୍ତର୍ଜାତୀୟ ମୁଦ୍ରା କୋଷ ପରେ ଏବେ ପାକିସ୍ତାନ ଉପରେ ଓ୍ବାର୍ଲ୍ଡ ବ୍ୟାଙ୍କର ଦୟା ଦୃଷ୍ଟି, ୭୦ କୋଟି ଡଲାର ଋଣକୁ ମଞ୍ଜୁରୀ