ପୁରୀ ୦୭/୦୮: ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ସେବାୟତଙ୍କ ପ୍ରବେଶ ପଥରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରାଇବାକୁ ଚାଲିଛି ଲାଞ୍ଚ କାରବାର । ନବ ନିଯୁକ୍ତ ଜେଟିପି ସ୍କ୍ୱାଡ୍‌ କର୍ମଚାରୀମାନେ ଏହି ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା ଭିଡିଓ ସାମ୍ନାକୁ ଆସିଛି । ଯାତ୍ରୀଙ୍କୁ ଶ୍ରୀମନ୍ଦିରକୁ ଗଳା ବାଟରେ ପ୍ରବେଶ କରାଉଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଗୁମାସ୍ତାଠାରୁ ଜେଟିପି ସ୍କ୍ୱାଡ୍‌ର ଜଣେ କର୍ମଚାରୀ ଲାଞ୍ଚ୍ ନେଉଥିବାର ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । 

ଦୋଳମଣ୍ଡପ ସାହି ଓ ଏହା ସଂଲଗ୍ନ ସାହିଗୁଡ଼ିକର ସେବାୟତଙ୍କ ସମେତ  ଡ୍ୟୁଟି କରୁଥିବା କର୍ମଚାରୀମାନେ ସହଜରେ ଯାତାୟାତ ନିମନ୍ତେ ସିଂହଦ୍ୱାର  ଆଗରେ ଏକ ବାଟ କରାଯାଇଛି । ମାତ୍ର  ଏହି ବାଟକୁ କିଛି ପୁଲିସ ଓ ଶ୍ରୀମନ୍ଦିର  କର୍ମଚାରୀ ଲାଞ୍ଚ ନେଇ ସାଧାରଣ ଲୋକଙ୍କ ପାଇଁ ଗଳାବାଟ କରି ଦେଇଛନ୍ତି । ଯାତ୍ରୀ ଗୁମାସ୍ତା, ଧୂଳିଆ ପ୍ରଭୃତିମାନଙ୍କଠାରୁ ଲାଞ୍ଚ  ନେଇ ଏହି ବାଟରେ ସେମାନଙ୍କ ଯାତ୍ରୀଙ୍କୁ ଛାଡ଼ୁଛନ୍ତି । ବିନା ଯାଞ୍ଚରେ ଯାତ୍ରୀମାନଙ୍କୁ ସହଜରେ ଶ୍ରୀମନ୍ଦିରରେ ପ୍ରବେଶର ପ୍ରତିଶ୍ରୁତି ଦେଇ ଯାତ୍ରୀ ଗୁମାସ୍ତାମାନେ  ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ।  

ତେବେ ନବ ନିଯୁକ୍ତ ଜେଟିପି  ସ୍କ୍ୱାଡ୍‌ର କର୍ମଚାରୀମାନେ ପତିତପାବନଙ୍କ  ଠିକ୍‌ ସାମ୍ନାରେ ଲାଞ୍ଚ ନେଉଥିବା ଭିଡିଓ  ସାମ୍ନାକୁ ଆସିବା ପରେ ଶ୍ରଦ୍ଧାଳୁଙ୍କ  ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।  ଭିଡ଼ ସମୟରେ ସାଧାରଣ ଶ୍ରଦ୍ଧାଳୁଙ୍କୁ  ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ଧାଡ଼ିରେ  ଠିଆ ହୋଇ ଅପେକ୍ଷା କରିବାକୁ  ପଡ଼ିଥାଏ । ଏହାର ଫାଇଦା ନେବା  ନିମନ୍ତେ କିଛି ଅସାଧୁ ଗୋଷ୍ଠୀ ମାତିଛନ୍ତି ।  ଶ୍ରୀମନ୍ଦିର ଅନ୍ୟଦ୍ୱାରମାନଙ୍କରେ ଚାଲିଥିବା  ଅସାଧୁ କାରବାର ମଧ୍ୟ ସାମ୍ନାକୁ  ଆସିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ  ନିୟମକାନୁନ ନମାନି ଆଉଟସୋର୍ସିଂ  ସଂସ୍ଥା ଜରିଆରେ ଜେଟିପି ସ୍କ୍ୱାଡ୍‌ ନିଯୁକ୍ତ  କରିଛି । ଏହି ନିଯୁକ୍ତିରେ ଲାଞ୍ଚ କାରବାର  ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ଦେଇ ନିଯୁକ୍ତି ପାଇଥିବା ଏହି ଜେଟିପି  ସ୍କ୍ୱାଡ୍‌ ଏଭଳି ମାର୍ଗରେ ରୋଜଗାର  କରୁଛନ୍ତି ବୋଲି ବୁଦ୍ଧିଜୀବୀମାନେ  ମତ ଦେଉଛନ୍ତି । ତେବେ ଏହି ଘଟଣା  ସମ୍ପର୍କରେ ଅବଗତ ହେବା ପରେ  ଉକ୍ତ ଜେଟିପିଙ୍କୁ କାର୍ଯ୍ୟରୁ ବହିଷ୍କାର  କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।