ପୁରୀ, ୦୮/୦୮: ଶ୍ରୀମନ୍ଦିର ଗଳାବାଟରେ ଶ୍ରଦ୍ଧାଳୁଙ୍କ ପ୍ରବେଶ କରାଇବା ନିମନ୍ତେ ହାତଗୁଞ୍ଜା ନେଇ କ୍ୟାମେରାରେ ଗତକାଲି ଧରାପଡ଼ିଥିବା ନବନିଯୁକ୍ତ ଜେଟିପି ସ୍କ୍ୱାଡ୍‌ର ଜଣେ କର୍ମଚାରୀ(  ଜେଟିପିଏସ୍‌)ଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ।  ଉକ୍ତ କର୍ମଚାରୀ ଜଣକ ସୁକାନ୍ତ କୁମାର ଜେନା । ଆଉଟସୋର୍ସିଂ ସଂସ୍ଥା ଜରିଆରେ ଏହି କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା । ତେଣୁ ଏହି କାର୍ମଚାରୀଙ୍କୁ  କାର୍ଯ୍ୟରୁ ଅନ୍ତର କରିବାକୁ ଆଉଟ୍‌ସୋର୍ସିଂ ସଂସ୍ଥା ଏମ୍‌ଏସ୍‌ ପ୍ରପଟି ସଲ୍ୟୁସନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନୋଟିସ୍‌ ଜାରି କରିଛି । କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହଜନକ ଓ ସନ୍ତୋଷଜନକ ନୁହେଁ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି । 

ସେପଟେ ଏହି କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରି ତାଙ୍କ ସ୍ଥାନରେ ଅନ୍ୟଜଣେ କର୍ମଚାରୀଙ୍କୁ ନିଯୁକ୍ତ କରିବା ପାଇଁ ଉକ୍ତ ଆଉଟସୋର୍ସିଂ ସଂସ୍ଥାଙ୍କୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଆଦେଶ  ଅନେକଙ୍କୁ ଚକିତ କରିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜେଟିପି ପଦବି ସାଙ୍ଗକୁ ଅନ୍ୟ ବହୁ ପଦବି ଖାଲି ପଡ଼ିଛି । ଏହାକୁ ପୂରଣ ନକରି ଶ୍ରୀଜଗନ୍ନାଥ ପ୍ରଶାସନିକ ଅଧିକାରୀମାନେ ଆଉଟସୋର୍ସିଂରେ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । 

ଚାକିରି ଜାଲିଆତି କରିବାକୁ ଖାଲିଥିବା ସରକାରୀ ପଦବି ନାମରେ ଡୁପ୍ଲିକେଟ ନାମର ପଦବିମାନ ସୃଷ୍ଟି କରାଯାଇଛି । କିଛିଦିନ ତଳେ ଏନେଇ ଆଇନ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ନୋଟିସ୍‌  ହୋଇଥିଲା । ଖାଲିଥିବା ସରକାରୀ ପଦବି ପୂରଣ ନକରି କାହିଁକି ସମାନ ନାମରେ ଅନ୍ୟ ପଦବି ସୃଷ୍ଟି କରାଯାଇଛି ତାହାକୁ ନେଇ କୈଫିୟତ ମଗାଯାଇଥିଲା ।  

ସେପଟେ ବ୍ୟାପକ ବିରୋଧ ସତ୍ତେ୍ୱ ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ) ବା ବରକନ୍ଦାଜ  ପଦବି ପୂରଣ ନକରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଜେଟିପି ସ୍କ୍ୱାଡ୍‌(ଜେଟିପିଏସ୍‌) ନାମରେ ପଦବି ସୃଷ୍ଟି  କରି ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପ୍ରକ୍ରିୟା  କରାଯାଇଥିଲା । ଏନେଇ ହାଇକୋର୍ଟକୁ ଏକାଧିକ  ଅଭିଯୋଗ ଯାଇଛି ଓ ଏହା ବିଚାରାଧୀନ ରହିଛି ।  ଏସବୁ ସତ୍ତେ୍ୱ ପ୍ରଶାସନ ନିଜ ଇଛା ମୁତାବକ  ଜେଟିପି ସ୍କ୍ୱାଡ୍‌ କର୍ମଚାରୀ ନିଯୁକ୍ତିପତ୍ର ବାଣ୍ଟିଥିଲା ।  ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୫ ଜଣ ଜେଟିପଏସ୍‌ଙ୍କୁ  ନିଯୁକ୍ତ କରାଯାଇଛି । ୬୦ ଜଣ ପୁରୁଷ ଓ ୧୫  ଜଣ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି । ମାସିକ  ୧୫ହଜାର ଟଙ୍କାରୁ ଊଦ୍ଧ୍ୱର୍ ବେତନରେ ସେମାନଙ୍କୁ  ନିଯୁକ୍ତିପତ୍ର ଦିଆଯାଇଛି । ତେବେ ସରକାରୀ  ଅନୁବନ୍ଧିତ ସଂସ୍ଥାର ବିନା ଲିଖିତ, ମୌଖିକ ପ୍ରଭୃତି  ପରୀକ୍ଷାରେ ଲାଞ୍ଚ ନେଇ ଏଭଳି ନିଯୁକ୍ତି କରିବା  ପ୍ରତିଭାବାନ୍‌ ଚାକିରି ଆଶାୟୀଙ୍କୁ ନିରାଶ କରିଛି ।

ସେପଟେ ଜେଟିପି ସ୍କ୍ୱାଡ୍‌ ନାମକରଣ ବ୍ୟାଚ୍‌ରେ ଭୁଲ ବନାନ୍‌କୁ ନେଇ ବିରୋଧୀ ଦଳ ଓ ସଚେତନ ନାଗରିକମାନେ ଶ୍ରୀମନ୍ଦିର  ପ୍ରଶାସନିକ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ।  ପ୍ରଶାସନିକ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ପୁଲିସ  ଓ ଅନ୍ୟ ସରକାରୀ କର୍ମଚାରୀମାନେ ପିନ୍ଧୁଥିବା ମର୍ଯ୍ୟଦାଜନକ ମାଟିଆ ପୋଷାକ ଅନୁରୁପ ପୋଷାକ  ଜେଟିପି ସ୍କ୍ୱାଡ୍‌ମାନଙ୍କ ନିମନ୍ତେ କରାଯାଇଛି ।  

ଅର୍ଥ ବିଭାଗ ବିନା ଅନୁମତିରେ ନିର୍ଦ୍ଧାରିତ  ମାନବ ସମ୍ବଳ ଠାରୁ ଅଧିକ ଆଉଟସୋର୍ସିଂ  ଜରିଆରେ ନିଯୁକ୍ତ କରିବାକୁ ସରକାର ବାରଣ କରିଛନ୍ତି । ଏନେଇ ଗତମାସ ୨୪ ତାରିଖରେ ଅର୍ଥ  ବିଭାଗ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ପ୍ରଶାସନିକ  ଅଧିକାରୀମାନେ ଆଉଟସୋର୍ସିଂ ସଂସ୍ଥା ଜରିଆରେ  ମନଇଛା ନିଯୁକ୍ତି ପ୍ରକ୍ରିୟା ଚଳାଇଥିବାରୁ ଏଭଳି  ନିର୍ଦ୍ଦେଶନାମା ବାହାରିଥିଲା । ଏବେ ଶ୍ରୀମନ୍ଦିର  ପ୍ରଶାସନିକ କାର୍ଯ୍ୟରେ ଆଉଟ୍‌ସୋର୍ସିଂ ଜରିଆରେ  ଜେଟିପି ସ୍କ୍ୱାଡ୍‌, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ  ନେଇ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌, ସିକ୍ୟୁରିଟି ଗାର୍ଡ,  ସଫେଇ କର୍ମଚାରୀ ପ୍ରଭୃତି ନିଯୁକ୍ତ କରାଯାଇଛି। ଏହାବାଦ୍‌ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ପ୍ରାୟ  ୧୫ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ  କରାଯାଇଛି । ଏବେ ୩ରୁ ଊଦ୍ଧ୍ୱର୍ ଆଉଟସୋର୍ସିଂ  ସଂସ୍ଥା ଜରିଆରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର  କାର୍ଯ୍ୟାଳୟରେ ପ୍ରାୟ ୪୦୦ରୁ ଅଧିକ କର୍ମଚାରୀଙ୍କୁ  ନିଯୁକ୍ତ କରାଯାଇଛି । ପ୍ରାୟ ଦୁଇ ଦଶନ୍ଧି ଧରି ଶ୍ରୀମନ୍ଦିର  କାର୍ଯ୍ୟାଳୟରେ ଖାଲିଥିବା ପଦବି ପୂରଣ ନିମନ୍ତେ କୌଣସି ବିଧିବଦ୍ଧ ସରକାରୀ ପଦକ୍ଷେପ ନିଆଯାଇନି ।