ଭୁବନେଶ୍ୱର,୧୦/୧୨: ସବ୍‌-ପ୍ଲଟ୍‌ ପଞ୍ଜୀକରଣ କରାଇଦେବା ପାଇଁ କନିଷ୍ଠ କିରାଣୀ ୨୦ ହଜାର  ଟଙ୍କା ଲାଞ୍ଚ ନେବା ଘଟଣା। ଖଣ୍ଡଗିରି ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଯାନୀ କରଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆଜି ଦେବଯାନୀ କରଙ୍କୁ କୋର୍ଟଚାଲାଣ କରାଯିବ ବୋଲି  ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି । 

ସୂଚନା ମୁତାବକ, ବିଡିଏର ଛାଟ ଯୋଗୁଁ  ଦୀର୍ଘ ମାସ ଧରି ସବ୍‌-ରେଜିଷ୍ଟ୍ରାର ଅଫିସ୍‌ରେ  ସବ୍‌ପ୍ଲଟ୍‌ ପଞ୍ଜିକରଣ ହୋଇପାରୁନି । କିନ୍ତୁ  ବିଭିନ୍ନ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ର କିଛି ଅସାଧୁ  ଅଧିକାରୀ ଲୁଚାଛପାରେ ସବ୍‌-ପ୍ଲଟ୍‌ ପଞ୍ଜିକରଣ  କରୁଛନ୍ତି । କିଛିଦିନ ତଳେ ଜଣେ ବ୍ୟକ୍ତି ପଞ୍ଜିକରଣ ପାଇଁ ଖଣ୍ଡଗିରି ସବ୍‌ ରେଜିଷ୍ଟ୍ରାର  ଅଫିସକୁ ଯାଇଥିଲେ । ଦେବଯାନୀ ତାଙ୍କୁ ଏନେଇ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଆବେଦନକାରୀ ଏ ସଂପର୍କରେ ଭିଜିଲାନ୍ସକୁ  ଜଣାଇଥିଲେ । ସୋମବାର ଦିନ ଦେବଯାନୀ ଅଫିସ୍‌ରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଧରିଥିଲେ । ତା’ପରେ ତାଙ୍କ ଭୁବନେଶ୍ୱରସ୍ଥିତ  ବାସଭବନ, ପୁରୁଣା ବିଏମ୍‌ସି ଅଫିସରେ ଥିବା  ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ  ଚଢ଼ଉ କରାଯାଇଥିଲା । ତାଙ୍କ ଅଫିସର କ୍ୟାସ ଡ୍ର’ରୁ  ନଗଦ ୧୫ ଲକ୍ଷ ୮ ହଜାର ଟଙ୍କା ମିଳିଥିଲା।