ଭୁବନେଶ୍ବର: କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ତେଜିଲା ଆନ୍ଦୋଳନ । ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପ୍ରଥମେ କନିଷ୍ଠ ଶିକ୍ଷକ ସଂଘ, କେନ୍ଦୁଝର ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ପ୍ରାୟ ୮୦୦ ରୁ ଅଧିକ କନିଷ୍ଠ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ। କେନ୍ଦୁଝର କାଳୀପଡିଆ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏହି ପଦଯାତ୍ରାରେ ହୋଇଥିଲା। ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବାକୁ ସ୍ଲୋଗାନ୍ ଦେଇଥିଲେ ।ପରେ ଜିଲ୍ଲାପାଳଙ୍କ ଅଫିସରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ।
ସୂଚନା ମୁତାବକ, ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଗତ ଅଗଷ୍ଟ ୨ ତାରିଖରେ ଜାରି ହୋଇଥିବା ଚିଠି (ସଂଖ୍ୟା: ୨୧୨୬୮) ପ୍ରତ୍ୟାହାର କରାଯିବା ନେଇ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହି ଚିଠିରେ ସ୍କିମାଟିକ୍ (ଯୋଜନାଭିତ୍ତିକ) ପ୍ରଥା ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଏବଂ ୪୪ ହଜାର ଖାଲି ଶିକ୍ଷକ ପଦବୀ ପୂରଣ ଭଳି ଐତିହାସିକ ସୁପାରିଶ କରାଯାଇଥିଲା। କିନ୍ତୁ, ଗତ ଅଗଷ୍ଟ ୮ ତାରିଖରେ ବିଭାଗୀୟ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହି ଚିଠି ପ୍ରତ୍ୟାହାର କରାଯାଇଛି। କାରଣ ଏହା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇ ନଥିଲା ବୋଲି ସୂଚନା ମିଳିଛି।
ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରିଛି। ସଂଘ ଏହି ସୁପାରିଶକୁ ପୁନଃସ୍ଥାପନ କରି ଆସନ୍ତା ଅଗଷ୍ଟ ୧୭ ତାରିଖ ସୁଦ୍ଧା ନିୟାମକରେ ପରିଣତ କରିବା ପାଇଁ ମଧ୍ୟ ଅନୁରୋଧ କରିଛି।
ଏହି ପ୍ରତ୍ୟାହାର ନେଇ ଶିକ୍ଷକ ସଂଘଗୁଡ଼ିକ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏବଂ ଏହା ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତ ଉପରେ ଅନିଶ୍ଚିତତା ସୃଷ୍ଟି କରିଛି। ସଂଘର ଦାବି ଅନୁଯାୟୀ, ଏହି ନିଷ୍ପତ୍ତି ପୁନଃସ୍ଥାପନ ହେଲେ ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏକ ନୂତନ ଦିଗଦର୍ଶନ ପାଇପାରିବ।