ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ଟଙ୍କା ମିଳିବା ଘଟଣାରେ ତଦନ୍ତ କମିଟି ମହାଭିଯୋଗ ଚଳାଇବାକୁ ସରକାରଙ୍କୁ ସୁପାରିଶ କରିଛି। ଜଷ୍ଟିସ୍ ବର୍ମାଙ୍କ ଘରୁ ମିଳିଥିବା ନଗଦ ମାମଲାରେ ତଦନ୍ତ କମିଟି ତାଙ୍କ ରିପୋର୍ଟରେ ଅନେକ ଖୁଲାସା କରିଛି। ଦୁର୍ନୀତି ମଧ୍ୟ ସାମ୍ନାକୁ ଆସିଛି। ଜଷ୍ଟିସ୍ ବର୍ମା ସେତେବେଳେ ଦିଲ୍ଲୀ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି ଥିଲେ ଏବଂ ତାଙ୍କୁ ଆଲାହାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା।
ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ପୋଡ଼ିଯାଇଥିବା ନୋଟ୍ ଉଦ୍ଧାର ଘଟଣାର ତଦନ୍ତ କରୁଥିବା କମିଟି ତାଙ୍କ ରିପୋର୍ଟରେ କହିଛି ଯେ, ଜଷ୍ଟିସ୍ ବର୍ମା ଏବଂ ତାଙ୍କ ପରିବାର ସଦସ୍ୟଙ୍କର ଷ୍ଟୋର ରୁମ୍ ଉପରେ "ଗୁପ୍ତ କିମ୍ବା ସକ୍ରିୟ ନିୟନ୍ତ୍ରଣ" ଥିଲା ଯେଉଁଠାରୁ ବହୁ ପରିମାଣର ଅଧା ପୋଡ଼ି ଯାଇଥିବା ନଗଦ ମିଳିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହା ଜଷ୍ଟିସ୍ ବର୍ମାଙ୍କ ଦୁର୍ନୀତିକୁ ପ୍ରକାଶ କରୁଛି, ଯାହା ଏତେ ଗମ୍ଭୀର ଯେ ତାଙ୍କୁ (ବିଚାରପତିଙ୍କୁ) ହଟାଇ ଦିଆଯିବା ଉଚିତ।
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଳ ନାଗୁଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ୧୦ ଦିନ ଧରି ମାମଲାର ତଦନ୍ତ କରିଥିଲେ । ୫୫ ଜଣ ସାକ୍ଷୀଙ୍କୁ ପଚରା ଉଚରା କରିଥିଲେ ଏବଂ ମାର୍ଚ୍ଚ୧୪ ତାରିଖ ରାତି ପ୍ରାୟ ୧୧.୩୫ ସମୟରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଥିବା ପରିପ୍ରେକ୍ଷୀରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାର ୬୪ ପୃଷ୍ଠାର ରିପୋର୍ଟରେ, ତଦନ୍ତ କମିଟି କହିଛି, "ଏହିପରି, କମିଟି ବିଶ୍ୱାସ କରେ ଯେ ଦିଲ୍ଲୀର ୩୦ ତୁଘଲକ କ୍ରେସେଣ୍ଟରେ ଅବସ୍ଥିତ ବାସଭବନର ଷ୍ଟୋର ରୁମରୁ ନଗଦ ରାଶି ମିଳିଥିଲା, ଯାହା ସରକାରୀ ଭାବରେ ଜଷ୍ଟିସ୍ ବର୍ମାଙ୍କ ଦ୍ୱାରା ଦଖଲ କରାଯାଇଥିଲା। କେବଳ ଏତିକି ନୁହେଁ, ଷ୍ଟୋର ରୁମଟି ଗୁପ୍ତ ଭାବରେ କିମ୍ବା ସକ୍ରିୟ ଭାବରେ ଜଷ୍ଟିସ୍ ବର୍ମା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା।"
ରିପୋର୍ଟ ଉପରେ କାର୍ଯ୍ୟ କରି, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଯାହା ଦ୍ୱାରା ଜଷ୍ଟିସ୍ ବର୍ମାଙ୍କ ବିରୁଦ୍ଧରେ ମହାଭିଯୋଗ ସୁପାରିଶ କରାଯାଇଛି।