ନୂଆଦିଲ୍ଲୀ, ୨୮/୦୭: ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ  ପୋଡ଼ା ଟଙ୍କା ବଣ୍ଡଲ ମିଳିବା ମାମଲାରେ ୮ ଜଣ ପୁଲିସ ଅଧିକାରୀଙ୍କ ମୋବାଇଲ ଫୋନ୍‌  ଜବତ କରାଯାଇଛି । ଦିଲ୍ଲୀ ପୁଲିସ ହିଁ ଏହାକୁ  ଜବତ କରିଛି । ଏହି ୮ ଜଣ ଅଧିକାରୀ  ହେଲେ ତୋଗଲକ ରୋଡ୍‌ ଥାନାର ଏସ୍‌ଏଚ୍‌ଓ  ଉମେଶ ମଲିକ, ତଦନ୍ତକାରୀ ଅଧିକାରୀ, ମୁଖ୍ୟ  କନେଷ୍ଟବଳ ରୂପ ଚାନ୍ଦ, ସବ୍‌-ଇନ୍ସପେକ୍ଟର ରଜନୀଶ, ପାଟ୍ରୋଲିଂ ପାଇଁ ଘଟଣାସ୍ଥଳରେ  ମୋଟରସାଇକେଲରେ ପହଞ୍ଚିଥିବା ଦୁଇଜଣ  ଏବଂ ଅନ୍ୟ ତିନିଜଣ ପିସିଆର ଅଧିକାରୀ । 

ମୋବାଇଲ ଫୋନ୍‌କୁ ଜବତ ପରେ  ସେଗୁଡ଼ିକୁ ଫୋରେନସିକ୍‌ ଯାଞ୍ଚ ଲାଗି  ପଠାଯାଇଛି । ଏହାଦ୍ୱାରା ଜଣାପଡ଼ିବ ଯେ  ଅଗ୍ନିକାଣ୍ଡ ବେଳେ ଘଟଣାସ୍ଥଳରେ ପହଞ୍ଚିଥିବା  ଏହି ଅଧିକାରୀଙ୍କ ଦ୍ୱାରା ଘଟଣାର କୌଣସି  ଭିଡିଓ ରେକର୍ଡ ହୋଇଥିଲା କି ନାହିଁ କିମ୍ବା  ଉକ୍ତ ଭିଡିଓଗୁଡ଼ିକୁ ହେରଫେର କରାଯାଇଛି  କି ନାହିଁ । ଦିଲ୍ଲୀ ପୁଲିସ ଏହି ୮ ଅଧିକାରୀଙ୍କ  ବୟାନ ବି ରେକର୍ଡ କରିଛି । 

ଡିସିପି (ନୂଆଦିଲ୍ଲୀ) ଦେବେଶ ମହଲାଙ୍କ  ନେତୃତ୍ୱାଧୀନ ଟିମ୍‌ ବୁଧବାର ବିଚାରପତି  ଯଶବନ୍ତ ବର୍ମାଙ୍କ ୩୦ ରୋଗଲକ ରୋଡ୍‌ସ୍ଥିତ ବାସଭବନରେ ଅପରାହ୍ନ ୧ଟା ୫୦ରେ ପହଞ୍ଚି  ତାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ  ପଚରାଉଚରା କରିଥିଲା । ଟିମ୍‌ରେ ଏସିପି  ଓ ଅନ୍ୟ ଅଧିକାରୀଙ୍କ ସମେତ ୬ ଜଣ ଥିଲେ ।  ଦୁଇଘଣ୍ଟା ପରେ ସେମାନେ ବାହାରିଥିଲେ । 

ଅନ୍ୟପକ୍ଷରେ ଜଷ୍ଟିସ ବର୍ମାଙ୍କୁ  ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବାର  ନିଷ୍ପତ୍ତିକୁ ପୁନର୍ବିଚାର କରାଯାଇପାରେ । ଏହି ପରିପ୍ରେକ୍ଷୀରେ ୬ଟି ହାଇକୋର୍ଟ ବାର୍‌  ଆସୋସିଏସନର ପଦାଧିକାରୀ ଗୁରୁବାର  ଦିଲ୍ଲୀରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି  (ସିଜେଆଇ) ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ସାକ୍ଷାତ  କରି ବଦଳି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି  କରିଛନ୍ତି । ତାଙ୍କ ବଦଳି ରୋକିବାକୁ ସେମାନେ  ଚାହୁଁଛନ୍ତି । ଆହ୍ଲାବାଦ ହାଇକୋର୍ଟ ବାର୍‌  ଆସୋସିଏସନ ଅଧ୍ୟକ୍ଷ ଅନିଲ ତିୱାରୀ କହିଛନ୍ତି,  ସିଜେଆଇ ଜଷ୍ଟିସ ଖାନ୍ନାଙ୍କୁ ଆମେ ଭେଟି ନିଜ  ଦାବି ରଖିଛୁ । ସିଜେଆଇ ଜଷ୍ଟିସ ବର୍ମାଙ୍କ ବଦଳି  ନେଇ କଲେଜିୟମ ସୁପାରିସକୁ ପ୍ରତ୍ୟାହାର  ଲାଗି ଆମ ଦାବି ଉପରେ ବିଚାର କରିବେ । 

ଏହି ପରିପ୍ରେକ୍ଷୀରେ ୬ ଜଣ ପଦାଧିକାରୀ  ସିଜେଆଇ ଓ କଲେଜିୟମକୁ ସ୍ମାରକପତ୍ର  ପ୍ରଦାନ କରିଛନ୍ତି । ଏଥିରେ କୁହାଯାଇଛି ଯେ  ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରିପୋର୍ଟ  ମୁତାବକ, ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ  ନିଆଁ ଲାଗିଥିଲା । ଏହାର ଦିନକ ପରେ ତାଙ୍କ ଘରୁ  ସାମଗ୍ରୀଗୁଡ଼ିକୁ ହଟାଇ ଦିଆଯାଇଥିଲା । ଏଭଳି  ମାମଲାରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ରହିବା  ଏବଂ ଏଫ୍‌ଆଇଆର୍‌ ଦାୟର ନ ହେବା ଦ୍ୱାରା  ତଦନ୍ତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ ।  ସିଜେଆଇ ଆହ୍ଲାବାଦ, ଗୁଜରାଟ, କେରଳ,  ଜବଲପୁର, କର୍ଣ୍ଣାଟକ ଓ ଲକ୍ଷେ୍ନø ହାଇକୋର୍ଟ  ବାର୍‌ ଆସୋସିଏସନ ପ୍ରତିନିଧିଙ୍କୁ ଅପରାହ୍ନରେ  ଭେଟିଥିଲେ । ଏହାପରେ କଲେଜିୟମର ସଦସ୍ୟ  ଯଥା ଜଷ୍ଟିସ ବି ଆର ଗଭାଇ, ଜଷ୍ଟିସ ସୂର୍ଯ୍ୟ  କାନ୍ତ, ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ଜଷ୍ଟିସ  ବିକ୍ରମ ନାଥଙ୍କୁ ସାକ୍ଷାତ କରିଥିଲେ।