ନୂଆଦିଲ୍ଲୀ : ପୁଣି ବଡ଼ ଅଡ଼ୁଆରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସଙ୍କଟ ଘେରରେ ତାଙ୍କର ରାଜନୀତିକ କ୍ୟାରିୟର। ତାଙ୍କର ଭବିଷ୍ୟତ ଏବେ ଅନ୍ଧକାରରେ ଝୁଲି ରହିଛି। ଦେଶ ଓ ବିଦେଶରେ ଲଗାତାର ବଢୁଥିବା ଚାପ ମଧ୍ୟରେ ତାଙ୍କର ସବୁଠୁ ବରିଷ୍ଠ ମନ୍ତ୍ରୀ ତଥା ଗୋଟେ ସମୟରେ ଘନିଷ୍ଟ ସହଯୋଗୀ ଥିବା କ୍ରିଷ୍ଟିୟା ଫ୍ରିଲାଣ୍ଡ ଉପପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ, ଟ୍ରୁଡୋଙ୍କ ନେତୃତ୍ୱକୁ ଝଟକା ଦେଇଛନ୍ତି। ଫ୍ରିଲ୍ୟାଣ୍ଡ ସରକାରୀ ଖର୍ଚ୍ଚକୁ ନେଇ ଅସହମତି ହେବା ଓ କାନାଡାର ଭବିଷ୍ୟତକୁ ନେଇ ଭିନ୍ନ ଦୃଷ୍ଟିକୋଣ ଦର୍ଶାଇ ସେ ଏପରି ବଡ଼ ପଦକ୍ଷେପ ନେଇଛନ୍ତି। ଟ୍ରୁଡୋ ଓ ଫ୍ରିଲ୍ୟାଣ୍ଡଙ୍କ ମଧ୍ୟରେ ମତଭେଦ ସେତେବେଳେ ସାମ୍ନାକୁ ଆସିଥିଲା , ଯେତେବେଳେ ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢାଇବାର ସଙ୍କେତ ଦେଇଥିଲେ। ବିଶେଷଜ୍ଞଙ୍କ ଅନୁସାରେ ,ଟ୍ରମ୍ପଙ୍କର ଏହି ନୀତି କାନାଡାର ଅର୍ଥ ବ୍ୟବସ୍ଥା ପାଇଁ ଗୁରୁତର ଝଟକାର କାରଣ ହୋଇପାରେ।
ନିଜର ହିଁ ଦଳ, ଲିବରଲ ପାର୍ଟିରେ ଟ୍ରୁଡୋଙ୍କୁ ଖୁବ୍ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ପାର୍ଟିର ଅନେକ ସାଂସଦ ଖୋଲାଖୋଲି ତାଙ୍କର ଇସ୍ତଫା ଦାବି କରିଛନ୍ତି। ନ୍ୟୁ ଡେମୋକ୍ରେଟିକ୍ ପାର୍ଟିର ନେତା ଜଗମିତ ସିଂହ ମଧ୍ୟ ଟ୍ରୁଡୋଙ୍କର ପଦ ଛାଡ଼ିବାର ଆହ୍ୱାନ କରି ଏହି ସଙ୍କେତ ଦେଇଛନ୍ତି ଯେ ,ଯଦି ସେ ଆସନ୍ତା ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ରହିବେ ତ ତାଙ୍କ ପାର୍ଟି ଟ୍ରୁଡୋ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବର ସମର୍ଥନ କରିବେ।
ସଂସଦରେ ଟ୍ରୁଡୋଙ୍କ ପାଇଁ ଅବିଶ୍ୱାସ ପ୍ରସ୍ତାବ ସବୁଠୁ ବଡ଼ ବିପଦ। ହେଲେ , ବର୍ତ୍ତମାନରେ ବିରୋଧୀଙ୍କ ପାଖରେ ଟ୍ରୁଡୋଙ୍କ ସରକାର ଯିବା ପାଇଁ ଆବଶ୍ୟକୀୟ ବହୁମତ ନାହିଁ। ଏହା ସତ୍ତ୍ୱେ ଟ୍ରୁଡୋଙ୍କ ନେତୃତ୍ୱକୁ ବଞ୍ଚାଇବା ପାଇଁ ତାଙ୍କୁ ନ୍ୟୁ ଡେମୋକ୍ରେଟିକ୍ ପାର୍ଟି ଓ ବ୍ଲକ୍ କ୍ୟୁବେକୁଇସ୍ର ସମର୍ଥନ ବଜାୟ ରଖିବାକୁ ହେବ।
ଏହି ରାଜନୀତିକ ସଙ୍କଟକୁ ଦେଖି ଟ୍ରୁଡୋଙ୍କ ପାଖରେ କିଛି ବିକଳ୍ପ ଅଛି। ସେ ନୁହେଁ ତ ତାଙ୍କ ସଂସଦ ସ୍ଥଗିତ କରି ପାରନ୍ତି, ଯେମିତି କି ସେ ୨୦୨୦ରେ ଏକ ଘୋଟାଲା ସମୟରେ କରିଥିଲେ ବା ପୁଣି ଇସ୍ତଫା ଦେଇ ନିଜର ଉତ୍ତରାଧିକାରୀକୁ ନେତୃତ୍ୱ ପ୍ରଦାନ କରି ପାରିବେ। ହେଲେ, ଏସବୁ ଅନେକ ମୁସ୍କିଲ ସତ୍ତ୍ୱେ , ଟ୍ରୁଡୋ ଲିବରଲ ପାର୍ଟିର ନେତା ଭାବେ ଆସନ୍ତା ସାଧାରଣ ନିର୍ବାଚନରେ ଭାଗ ନେବାକୁ ସ୍ପଷ୍ଟ ସଙ୍କେତ ଦେଇଛି। କିନ୍ତୁ ଜନମତ ସର୍ବେକ୍ଷଣ ଟ୍ରୁଡୋଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଅନେକ ସର୍ଭେ ଅନୁସାରେ, ଯଦି ଏବେ ନିର୍ବାଚନ ହୁଏ ତ ବିରୋଧୀ କଞ୍ଜର୍ଭେଟିଭ୍ ପାର୍ଟିର ବଡ଼ ବିଜୟ ମିଳି ପାରେ।