ନୂଆଦିଲ୍ଲୀ: ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୁପ୍ତଚର ମାମଲାରେ ଜ୍ୟୋତି ମଲହୋତ୍ରାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଜ୍ୟୋତି ମଲହୋତ୍ରାଙ୍କ ଓକିଲ କୁମାର ମୁକେଶ ଜାମିନ ଆବେଦନ କରିଥିଲେ। ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ଜ୍ୟୋତି ମଲହୋତ୍ରାଙ୍କୁ ହିସାର କୋର୍ଟରୁ ବଡ଼ ଝଟକା ଲାଗିଛି । ହିସାର କୋର୍ଟ ଜ୍ୟୋତି ମଲହୋତ୍ରାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ।

 ହିସାର କୋର୍ଟ ଜ୍ୟୋତି ମାଲହୋତ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ହରିୟାଣାର ହିସାରର ଜଣେ YouTuber ଏବଂ ଟ୍ରାଭେଲ୍ ବ୍ଲଗର୍ ଜ୍ୟୋତି ମଲହୋତ୍ରାଙ୍କ ଉପରେ ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବାର ଅଭିଯୋଗ ରହିଛି । ତାଙ୍କ ଉପରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଭାରତର ସମ୍ବେଦନଶୀଳ ସୂଚନା, ବିଶେଷକରି ସାମରିକ କାର୍ଯ୍ୟକଳାପ ଏବଂ ସ୍ଥାନ ସମ୍ପର୍କିତ ସୂଚନା ସେୟାର କରିବାର ଅଭିଯୋଗ ରହିଚି ।

୨୦୨୩ ମସିହାରେ, ଜ୍ୟୋତି ପାକିସ୍ତାନ ଭିସା ପାଇଁ ଦିଲ୍ଲୀର ପାକିସ୍ତାନ ହାଇକମିଶନରେ ଏହସାନ-ଉର-ରହିମ ଓରଫ ଦାନିଶଙ୍କୁ ଭେଟିଥିଲେ । ଦାନିଶ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ ଭାରତ ସରକାର ମେ ୧୩, ୨୦୨୫ରେ ଗୁପ୍ତଚର ଅଭିଯୋଗରେ ବହିଷ୍କାର କରିଥିଲେ । ଜ୍ୟୋତି ଦାନିଶ, ଶାକିର ଏବଂ ରାଣା ଶାହବାଜ ଭଳି ଅନ୍ୟ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହିତ ଯୋଗାଯୋଗରେ ଥିଲେ । ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଜ୍ୟୋତି ଗୁପ୍ତ ସୂଚନା ପଠାଇବା ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବ୍ୟବହାର କରିଥିଲେ। ସେ ତାଙ୍କ YouTube ଚ୍ୟାନେଲ "ଟ୍ରାଭେଲ୍ ୱିଥ୍ ଜୋ" ଏବଂ ଇନଷ୍ଟାଗ୍ରାମରେ ପାକିସ୍ତାନର ଏକ ସକାରାତ୍ମକ ଛବିର ପ୍ରଚାର କରିଥିଲେ ଏବଂ ଭାରତ ବିରୋଧୀ କାହାଣୀ କହୁଥିଲେ । 

 ଜ୍ୟୋତି ଅନେକ ଥର ପାକିସ୍ତାନ ଗସ୍ତ କରିଥିଲେ, ଯାହାର ଭିଡିଓ ତାଙ୍କ ସୋସିଆଲ ମିଡିଆରେ ରହିଛି। ପାକିସ୍ତାନରେ ତାଙ୍କୁ ଭିଆଇପି ଟ୍ରିଟମେଣ୍ଟ ଏବଂ ପୋଲିସ ସୁରକ୍ଷା ମିଳିଥିଲା। ସେ ପାକିସ୍ତାନୀ ହାଇ କମିଶନର ଇଫତାର ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେଠାରେ ହାଇ-ପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଭେଟିଥିଲେ। ତଦନ୍ତରୁ ଜଣାପଡିଛି ଯେ, ସେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ।