ନୂଆଦିଲ୍ଲୀ ୦୯/୫୧: କାବୁଲ ପ୍ରଥମ ଆଧୁନିକ ସହର ହେବ, ଯେଉଁଠି ଲୋକେ ପାଣି ପାଇଁ ଆଉଟୁପାଉଟୁ ହେବେ । ପାଣିର ଚିହ୍ନବର୍ଣ୍ଣ ଏଠାରେ ମିଳିବ ନାହିଁ । ଅର୍ଥାତ୍‌ ସହର ସମ୍ପୂର୍ଣ୍ଣ ରୂପେ ଶୁଖିଯିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଗତ ୧ ଦଶନ୍ଧିରେ କାବୁଲର ଜଳସ୍ତର ୩୦ ମିଟର ପର୍ଯ୍ୟନ୍ତ ଖସିଛି । ସହରୀକରଣ ଓ ଜଳବାୟୁ ସଙ୍କଟ ଏହାର ମୁଖ୍ୟ କାରଣ । ସର୍ମି କର୍ପସ ନାମକ ଏନ୍‌ଜିଓ ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । 

ଇତିମଧ୍ୟରେ ପ୍ରାୟ ଅଧା ସହରର ବୋର୍‌ହୋଲ୍‌, ଯାହା କାବୁଲ ବାସିନ୍ଦାଙ୍କ ପାଇଁ ପାନୀୟ ଜଳର ମୁଖ୍ୟ ସ୍ରୋତ; ଏବେ ଶୁଖିଯାଇଛି । ବର୍ତ୍ତମାନ ଜଳ ନିଷ୍କାସନ ପ୍ରାକୃତିକ ପୁନର୍ଭରଣ ହାରଠୁ ପ୍ରତି ବର୍ଷ ୪୪ ମିଲିଅନ ଘନ ମିଟର ଅଧିକ । ଯଦି ଏହି ଧାରା ଜାରିରହେ, କାବୁଲର ସମସ୍ତ ଜଳଭଣ୍ଡାର ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଶୁଖିଯିବ । ସହରର ୭୦ ଲକ୍ଷ ବାସିନ୍ଦାଙ୍କ ବଞ୍ଚିବା ପାଇଁ ଏହା ବଡ଼ ଚାଲେଞ୍ଜ୍‌ ହୋଇଛି । ସର୍ମି କର୍ପସର ଆଫଗାନିସ୍ତାନ କାଉଣ୍ଟି ନିର୍ଦ୍ଦେଶକ, ଡେନ୍‌ କରି କହିଛନ୍ତି, ଏହି ସଙ୍କଟର ମୁକାବିଲା ଲାଗି ଠୋସ୍‌ ପ୍ରୟାସ ସମେତ ଅନ୍ତର୍ଜାତୀୟ ହସ୍ତକ୍ଷେପ ଆବଶ୍ୟକ । ଜଳ ଶୂନ୍ୟତାର ଅର୍ଥ ଲୋକେ ନିଜ ସମୁଦାୟ ଛାଡ଼ିଦେବେ । ତେଣୁ ଆଫଗାନିସ୍ତାନର ଜଳ ଆବଶ୍ୟକତାକୁ ଯଦି ଅନ୍ତର୍ଜାତୀୟ ସମୁଦାୟ ଧ୍ୟାନ ନ ଦିଏ, ତେବେ ପ୍ରବାସ ସଂଖ୍ୟା ବଢ଼ିବ ଏବଂ ଆଫଗାନବାସୀ ଅଧିକ ଜଟିଳତାର ସମ୍ମୁଖୀନ ହେବେ ।

ଜଳ ପ୍ରଦୂଷଣ ମଧ୍ୟ ଆଉ ଏକ ବ୍ୟାପକ ଚାଲେଞ୍ଜ୍‌ ବୋଲି ରିପୋର୍ଟ ଦର୍ଶାଇଛି । କାବୁଲର ପ୍ରାୟ ୮୦ ପ୍ରତିଶତ ଭୂତଳ ଜଳ ସୁରକ୍ଷିତ ନୁହେଁ । ଏଥିରେ ସ୍ୱେରେଜ, ଲବଣ ଓ ଆର୍ସେନିକ ସ୍ତର ଅଧିକ । ପାଣି ପାଇବା କାବୁଲ ଲୋକଙ୍କ ପାଇଁ ଦୈନନ୍ଦିନ ଯୁଦ୍ଧ ପାଲଟିଛି । କିଛି ଲୋକ ସେମାନଙ୍କ ଆୟର ୩୦ ପ୍ରତିଶତ ପାଣି କିଣିବାରେ ଖର୍ଚ୍ଚ କରୁଛନ୍ତି । ଦୁଇ-ତୃତୀୟାଂଶରୁ ଅଧିକ ଲୋକ ପାଣି ସମ୍ବନ୍ଧୀୟ ଋଣ ନେଇଛନ୍ତି । ଆଫଗାନିସ୍ତାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । କିନ୍ତୁ ଜଳାଭାବ ତନ୍ମଧ୍ୟରେ ସବୁଠୁ କଷ୍ଟଦାୟକ । ଏଠାକାର ପ୍ରତ୍ୟେକ ଲୋକ, ଖାସ୍‌କରି କମ୍‌ ଆୟବର୍ଗର ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା । ପର୍ଯ୍ୟାପ୍ତ ଓ ଭଲ ଗୁଣବତ୍ତାର ଜଳ ଏଠାରେ ନାହିଁ ବୋଲି କାବୁଲ ନିକଟସ୍ଥ ଖୈର ଖାନା ବାସିନ୍ଦା ଶିକ୍ଷୟିତ୍ରୀ ନଜିଫା କହିଛନ୍ତି ।

କିଛି ଘରୋଇ କମ୍ପାନି ଏହି ସଙ୍କଟର ଫାଇଦା ଉଠାଇ ନୂଆ କୂପ ଖନନ କରୁଛନ୍ତି ଏବଂ ବ୍ୟାପକ ପରିମାଣର ସର୍ବସାଧାରଣ ଭୂତଳ ଜଳ ନିଷ୍କାସନ କରୁଛନ୍ତି । ଏହି ପାଣିକୁ ଚଢ଼ା ମୂଲ୍ୟରେ ସହର ବାସିନ୍ଦାକୁ ବିକ୍ରି କରୁଛନ୍ତି । ନଜିଫା କହିଛନ୍ତି, ପାଣି ଟାଙ୍କିରୁ ଆମର ଗୋଟିଏ କ୍ୟାନ୍‌ ପୂର୍ଣ୍ଣ କରିବାକୁ ପ୍ରତି ୧୦ ଦିନରେ ଆମକୁ ୫୦୦ ଆଫଗାନି ଖର୍ଚ୍ଚ କରିବାକୁ ପଡୁଥିଲା । ଗତ ଦୁଇ ସପ୍ତାହ ହେଲା ସ୍ଥିତି ଆହୁରି ଖରାପ ହେବାରେ ହୋଇଛି । ପାଣି ଆହୁରି ମହଙ୍ଗା ହେବ ବୋଲି ସେମାନେ ଖୁବ୍‌ ଭୟଭୀତ । ୨୦୦୨ ମସିହାରେ କାବୁଲର ଜନସଂଖ୍ୟା ୧୦ ଲକ୍ଷ ଥିଲା, ଯାହା ଏବେ ୭ ଗୁଣ ବଢ଼ିଯାଇଛି । ଫଳରେ ପାଣିର ଆବଶ୍ୟକତାରେ ବଡ଼ ପରିବର୍ତ୍ତନ ହୋଇଛି । କେନ୍ଦ୍ରୀକୃତ ଶାସନ ଓ ପରିଚାଳନାର ଅଭାବ ଯୋଗୁ ମଧ୍ୟ ଦୀର୍ଘ ଦଶନ୍ଧି ଧରି ଏହି ସମସ୍ୟା ଜାରି ରହିଛି ।