ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ କୈଳାଶ ଗେହଲଟ୍ ଗତକାଲି (ରବିବାର) ଆମ୍ ଆଦମୀ ପାର୍ଟି (ଏଏପି) ର ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଆଉ ଏହାର ଗୋଟିଏ ଦିନ ପରେ ସେ ଆଜି (ସୋମବାର) ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କୈଳାଶ ଗେହଲଟଙ୍କ ଇସ୍ତଫା ପରେ ଆପ୍ ନେତା ମାନେ କହିଛନ୍ତି ଯେ, ଗେହଲଟ ED ଏବଂ CBI ମାମଲାକୁ ସାମ୍ନା କରୁଛନ୍ତି,ଏବଂ ତାଙ୍କ ପାଖରେ ବିଜେପିରେ ଯୋଗ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ବର୍ତ୍ତମାନ ବିଜେପିରେ ଯୋଗଦେବା ପରେ କୈଳାଶ ଗେହଲଟ୍ ଇଡି-ସିବିଆଇର ଚାପରେ ବିଜେପିରେ ଯୋଗଦେବା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏହା ସହିତ ସେ ଆମ୍ ଆଦମୀ ପାର୍ଟି ଛାଡିବାର କାରଣ ମଧ୍ୟ ପ୍ରକାଶ କରିଛନ୍ତି ।

କୈଳାଶ ଗେହଲଟ୍ ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ, ଦୁଶ୍ୟନ୍ତ ଗୌତମ ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କୈଳାଶ ଗେହଲଟ୍ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଛାଡିବା ମୋ ପାଇଁ ସହଜ ପଦକ୍ଷେପ ନୁହେଁ । ଆନ୍ନା ଆନ୍ଦୋଳନ ମାଧ୍ୟମରେ ମୁଁ ଦଳ ସହିତ ଜଡିତ ଥିଲି । ଦିଲ୍ଲୀର ଲୋକଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିଥିଲି । 

ଗେହଲଟ୍ ଆହୁରି କହିଛନ୍ତି ଯେ, ସମସ୍ତେ ଭାବୁଛନ୍ତି ଯେ ମୁଁ କିଛି ଚାପରେ ଏହି ନିଷ୍ପତ୍ତି ନେଇଛି । ହେଲେ ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ଆଜି ପର୍ଯ୍ୟନ୍ତ ମୁଁ କାହାର ଚାପରେ କୌଣସି କାମ କରି ନାହିଁ । ୨୦୧୫ ଠାରୁ ପାର୍ଟିରେ ରହି ଚାପରେ କୌଣସି କାମ କରିନାହିଁ ।  କୈଲାଶ ଗେହଲୋଟ୍ କହିଛନ୍ତି ଯେ, ଇଡି ଏବଂ ସିବିଆଇର ଚାପରେ ମୁଁ ଆମ୍ ଆଦମୀ ପାର୍ଟି ଛାଡିଛି,ଏହା ସବୁ ଏକ ଭୁଲ ବୁଝାମଣା । ଏହା ରାତାରାତି ନିଆଯାଇଥିବା ନିଷ୍ପତ୍ତି ନୁହେଁ । 

ସେ ଆହୁରି କହିଛନ୍ତି ଯେ, ମୁଁ ବୃତ୍ତି ଅନୁଯାୟୀ ଜଣେ ଓକିଲ। ଓକିଲାତି ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା କାମ ଛାଡି ଏକ ଆଦର୍ଶ ଏବଂ ବିଚାରଧାରା ପାର୍ଟିରେ ଯୋଗ ଦେଇଥିଲେ, କାରଣ ସମସ୍ତେ ସେହି ପାର୍ଟିରେ ଭରସା ଦେଖିଥିଲେ। ମୁଁ ଦିଲ୍ଲୀର ଲୋକଙ୍କ ସେବା କରିବା ଲକ୍ଷ୍ୟରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି।

ତେବେ ଦଳ ଛାଡିବା ନେଇ ଗେହଲୋଟ୍ AAP ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ । ଦିଲ୍ଲୀ ସରକାରଙ୍କ ମନୋଭାବ ଯୋଗୁଁ ଦିଲ୍ଲୀର ବିକାଶ ହୋଇପାରିବ ନାହିଁ ବୋଲି ସେ ଲେଖିଥିଲେ ।