ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଖୁବଶୀଘ୍ର ଆରମ୍ଭ ହୋଇପାରେ । ଭାରତ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହା ବ୍ୟତୀତ ଦୁଇ ଦେଶ ମଧ୍ୟରେ ସୀମା ପାର ନଦୀଗୁଡ଼ିକର ତଥ୍ୟ ଆଦାନ ପ୍ରଦାନ, ଭାରତ ଏବଂ ଚୀନ୍‌ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି । ବ୍ରାଜିଲରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଅନ୍ତର୍ଜାତୀୟ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଚୀନ୍‌ ମଧ୍ୟରେ ଉଭୟ ମତଭେଦ ଓ ସମାନତା ରହିଛି । 

କୈଳାସ ମାନସରୋବର ଯାତ୍ରା ପ୍ରତି ବର୍ଷ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ । ଦୁଇଟି ମାର୍ଗରେ ଏହି ଯାତ୍ରା ପୂରଣ ହୁଏ । ଲିପୁଲେଖ   (ଉତ୍ତରାଖଣ୍ଡ) ଏବଂ ନାଥୁଲା (ସିକ୍କିମ) ରାସ୍ତା ଦେଇ ମାନସରୋବର ଯାତ୍ରା କରନ୍ତି ତୀର୍ଥଯାତ୍ରୀ । ଭଗବାନ ଶିବଙ୍କ ବାସସ୍ଥାନ କୁହାଯାଉଥିବା କୈଳାସ ପର୍ବତ ଏବଂ ୧୫,୦୧୫ ଫୁଟ ଉଚ୍ଚରେ ଥିବା ପବିତ୍ର ମାନସରୋବର ହ୍ରଦ ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କ ଲାଗି ଅତ୍ୟନ୍ତ ପବିତ୍ର ସ୍ଥାନ । ବିପଦପୂର୍ଣ୍ଣ ମାର୍ଗ ଏବଂ ପାଣିପାଗକୁ ନଜରରେ ରଖି କେବଳ ଭାରତୀୟ ଯାତ୍ରୀ ହିଁ ସେଠାକୁ ଯାଇପାରୁଛନ୍ତି । ଏହି ଯାତ୍ରା ପାଇଁ ଉତ୍ତର ପ୍ରଦେଶ ସରକାର ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରନ୍ତି । 

ଏହା ପୂର୍ବରୁ କୋଭିଡ-୧୯ ଲାଗି ଭାରତ ଏବଂ ଚୀନ୍‌ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଏବଂ କୈଳାସ ମାନସରୋବର ତୀର୍ଥଯାତ୍ରା ଉପରେ ରୋକ ଲାଗିଥିଲା । ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ‘ବୈଠକରେ ଜୟଶଙ୍କର ଓ୍ବାଙ୍ଗ ଓ୍ବାଇଙ୍କୁ କହିଛନ୍ତି ଭାରତ ପ୍ରଭୁତ୍ବ ବିସ୍ତାର କରିବା ଲାଗି ଏକତରଫା ଦୃଷ୍ଟିକୋଣ ବିରୋଧୀ । ଭାରତ ନିଜର ସମ୍ବନ୍ଧକୁ ଅନ୍ୟ ଦେଶର ଚଷମାରେ ଦେଖେ ନାହିଁ ।’ ତେବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଥିବା ଡେପସାଙ୍ଗ ଏବଂ ଡେମଚୋକ୍‌ରେ ପୂର୍ଣ୍ଣ ରୂପେ ସୈନ୍ୟ ଅପସାରଣ ପରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ଏହି ଆଲୋଚନା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।