ନୂଆଦିଲ୍ଲୀ ୦୮/୦୪: ଭାରତର ଘରୋଇ ଏରୋସ୍ପେସ୍‌ କମ୍ପାନି ସ୍କାଇରୁଟ୍‌ ଏରୋସ୍ପେସ୍‌ ସଫଳତାପୂର୍ବକ ‘କଲାମ୍‌-୧୦୦’ ଇଞ୍ଜିନ୍‌ର ଏକ ଷ୍ଟାଟିକ୍‌ ଫାୟାର ଟେଷ୍ଟ୍‌ କରିଛି । ଯାହା ଏହାର ବିକ୍ରମ-୧ ଉତ୍‌କ୍ଷେପଣ ଯାନର ୩ୟ ଚରଣକୁ ଶକ୍ତି ପ୍ରଦାନ କରିବ । ଏହି ପରୀକ୍ଷା ରକେଟ୍‌ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି । ଉଡ଼ାଣରେ ୬୦ ପରିଚାଳନା କ୍ଷେତ୍ର ଅନୁପାତରେ ୧୦୦ କେଏନ୍‌ର ଶୀର୍ଷ ଭାକ୍ୟୁମ୍‌ ଥ୍ରଷ୍ଟ୍‌ ଉତ୍ପନ୍ନ କରିବାରେ ଇଞ୍ଜିନ୍‌ର ସାମର୍ଥ୍ୟକୁ ଏହା ଦର୍ଶାଇଛି । କଲାମ-୧୦୦ ଇଞ୍ଜିନ୍‌ ସଠିକ୍‌ ଥ୍ରଷ୍ଟ୍‌ ଭେକ୍ଟର ନିୟନ୍ତ୍ରଣ ନିମନ୍ତେ ଏକ ଉନ୍ନତ ଫ୍ଲେକ୍ସ ନୋଜଲ ଉପଯୋଗ କରି ୧୦୨ ସେକେଣ୍ଡ୍‌ରୁ ଅଧିକ ସମୟ କାମ କଲା । ଏହି ପରୀକ୍ଷା ଏକ ଫିକ୍ସଡ୍‌-ନୋଜଲ୍‌ ଷ୍ଟାଟିକ୍‌ ଫାୟାର ଟେଷ୍ଟ୍‌ ସମେତ ପୂର୍ବ ସଫଳତାଗୁଡ଼ିକ ଉପରେ ନିର୍ମିତ ହୋଇଛି । ରକେଟ୍‌ ପ୍ରପଲ୍‌ସନ୍‌ ସିଷ୍ଟମ୍‌ରେ ସ୍କାଇରୁଟ୍‌ର ବୈଷୟିକ ଶକ୍ତିକୁ ଏହା ପ୍ରଦର୍ଶନ କରିଛି । 

ଏହି ଉପଲବ୍ଧି ସ୍ୱୟଂଚାଳିତ ଲଞ୍ଚ୍‌ କମ୍ପ୍ୟୁଟର ଓ ବିକ୍ରମ-୧ ଫ୍ଲାଇଟ୍‌ ଆଭିଓନିକ୍ସ ଭଳି ଇନ୍‌-ହାଉସ୍‌ ଟେକ୍ନୋଲୋଜି ବିକଶିତ କରିଥିବା ସ୍କାଇରୁଟ୍‌ ଟିମ୍‌ର ମିଳିତ ପ୍ରୟାସର ଫଳ । ଏହି ପ୍ରଣାଳୀସବୁ ପରୀକ୍ଷଣ ସମୟରେ ଉଡ଼ାଣ ସ୍ଥିତିର ଅନୁକରଣରେ ସକ୍ଷମ ହୋଇଛି ଏବଂ ରକେଟ୍‌ର ପ୍ରଦର୍ଶନ ବାସ୍ତବ ଦୁନିଆର ଆଶାନୁରୂପ ହୋଇଥିବା ସୁନିଶ୍ଚିତ କରିଛି । ଏଥିସହ ଅତ୍ୟାଧୁନିକ ସେନ୍‌ସର ୧୫୦ରୁ ଅଧିକ ଡାଟା ଚ୍ୟାନେଲ୍‌କୁ କ୍ୟାପ୍‌ଚର କରି ଇଞ୍ଜିନ୍‌ର ପ୍ରଦର୍ଶନ ସମ୍ପର୍କରେ ବ୍ୟାପକ ତଥ୍ୟ ପ୍ରଦାନ କରିଛି । 




ପୃଥିବୀ କକ୍ଷକୁ ପେଲୋଡ୍‌ ପଠାଇବା ପାଇଁ ଡିଜାଇନ୍‌ ହୋଇଥିବା ୩-ଚରଣ ସଲିଡ୍‌- ଫ୍ୟୁଲ୍‌ ରକେଟ୍‌ ‘ବିକ୍ରମ-୧’ ଲଞ୍ଚ୍‌ର ଲକ୍ଷ୍ୟ ହାସଲ ପାଇଁ ଏହି ସଫଳତା ସ୍କାଇରୁଟ୍‌କୁ ଆହୁରି ନିକଟତର କରିଛି । ୫୦୦ କିମି ନିମ୍ନ କକ୍ଷକୁ ୪୮୦ କିଲୋର କାର୍ଗୋ ନେବା ପାଇଁ ବିକ୍ରମ-୧ ରକେଟ୍‌କୁ ଡିଜାଇନ୍‌ କରାଯାଇଛି । ଭାରତର ଘରୋଇ ମହାକାଶ ଉଦ୍ୟୋଗ ନିମନ୍ତେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ । କକ୍ଷକୁ ରକେଟ୍‌ ଲଞ୍ଚ୍‌ କରିବାର ମାଇଲଖୁଣ୍ଟ ମାଧ୍ୟମରେ ସ୍କାଇରୁଟ୍‌ ଭାରତର ପ୍ରଥମ ଘରୋଇ କମ୍ପାନି ଭାବେ ଇତିହାସ ରଚିବାକୁ ଯାଉଛି । ଏହା ଜରିଆରେ ବିଶ୍ୱ ମହାକାଶ ଦୌଡ଼ରେ ଦେଶର ସ୍ଥିତିକୁ ସ୍କାଇରୁଟ୍‌ ଦୃଢ଼ କରିବ ।