ବଲାଙ୍ଗୀର,୦୧/୦୭: ବଲାଙ୍ଗୀର ଜିଲ୍ଲାରେ ଚଳିତ ରବି ଧାନ ଚାଷରେ ସାଢ଼େ ତିନି ଲକ୍ଷ ଟନ ଉତ୍ପାଦନ ହେବ ବୋଲି ଟାର୍ଗେଟ୍ କରାଯାଇଥିଲା । ହେଲେ ଧାନ କିଣା ବେଳେ ଏକାଥରକେ ପାଞ୍ଚ ଲକ୍ଷ ଟନ୍ ଧାନ କିଣାଯାଇଛି । ତେବେ ଅଧିକ ଦେଢ ଲକ୍ଷ ଟନ୍ ଧାନ କେଉଁଠୁ ଆସିଲା ଏବଂ କିପରି କିଣା ହେଲା। ତାକୁ ନେଇ ଜିଲ୍ଲା ପରିଷଦ ବୈଠକରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପ୍ରଶ୍ନ କରିବା ସହିତ ଉଦବେଗ ପ୍ରକାଶ କରିଛନ୍ତି ।
ଏନେଇ ଅତିରିକ୍ତ ଧାନ କିଣା ସଂପର୍କରେ ନିଜେ କୃଷି ଓ ଯୋଗାଣ ବିଭାଗ ଅଧିକାରୀ ବି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି। କଳିକେଶ ଆହୁରି କହିଛନ୍ତି ଯେ, କେବଳ ଧାନ କିଣା ନୁହେଁ କେବିକେ ବିକାଶରେ ଅର୍ଥ ଅନୁମୋଦନ ହୋଇଥିଲେ ମଧ୍ୟ ତାହା ପ୍ରଦାନ କରାନଯିବା, ବିବିଏମସିଏଚ କୋଠା ନିର୍ମାଣ ପରେ ବି ସ୍ବାସ୍ଥ୍ୟସେବା ନ ମିଳିବା, ବିଭିନ୍ନ ବ୍ଳକ୍ ଓ ଏନଏସିରେ ଆନ୍ଦୋଳନ ଚାଲିଥିଲେ ବି ଆଲୋଚନା ନ ହେବା ଭଳି ଅନେକ ଅନିୟମିତତା ଚାଲିଛି । ଏପରିକି ସମ୍ବିଧାନକୁ ଉଲ୍ଲଙ୍ଘନ କରି ପ୍ରତି ୩ ମାସରେ ହେବାକୁ ଥିବା ଜିଲ୍ଲା ପରିଷଦ ବୈଠକ ୬ ମାସରେ କରାଯାଉଛି । ପ୍ରଶାସନ ଏକ ସୁସ୍ଥ ସରକାରୀ ବ୍ୟବସ୍ଥା କରିବା ପରିବର୍ତ୍ତେ ତାକୁ ଆହୁରି ଅବ୍ୟବସ୍ଥା ଆଡ଼କୁ ନେଇଯାଇଛି। ତେଣୁ ପ୍ରଶାସନ ଏହା ଉପରେ ରୋକ୍ ଲଗାଇବା ନିହାତି ଜରୁରୀ ବୋଲି କଳିକେଶ କହିଛନ୍ତି।