• ରୁଷର କାମଚଟକାରେ ଭୀଷଣ ବରଫ ବୃଷ୍ଟି
  • ୬୦ ବର୍ଷ ପରେ ଭାଙ୍ଗିଲା ରେକର୍ଡ
  • ପୋତି ହେଲା ଘର, ରାସ୍ତାଘାଟ ଏବଂ କାର
  • ବରଫ ଖୋଳି ଘରୁ ବାହାରିଲେ ଲୋକେ
  • ସ୍କୁଲ,ପରିବହନ ବ୍ୟବସ୍ଥା ଏବଂ ବିମାନ ଚଳାଚଳ ବନ୍ଦ

ମସ୍କୋ,୨୦।୧:  ରୁଷର ସୁଦୂର ପୂର୍ବାଞ୍ଚଳରେ ଥିବା କାମଚଟକା ଉପଦ୍ବୀପରେ ଜାନୁଆରୀ ୨୦୨୬ରେ ଭୟଙ୍କର ବରଫପାତ। ଏଠାରେ ୬୦ ବର୍ଷ ଭିତରେ ସର୍ବାଧିକ ବରଫପାତ ହୋଇଛି। ସହରର ବଡ଼ ଅଞ୍ଚଳରେ ବହୁ ମିଟର ଉଚ୍ଚା ପର୍ଯ୍ୟନ୍ତ ବରଫର ଆସ୍ତରଣ ଜମି ଯାଇଥିଲା। ଯାହାଫଳରେ ଘର ଗୁଡିକର ଝରକା ଏବଂ କବାଟ ମଧ୍ୟ ବନ୍ଦ ହୋଇଯାଇଥିଲା। ଲୋକମାନେ ଘରୁ ବାହାରିବା ପାଇଁ ବରଫକୁ ଖୋଳି ଖୁବ୍ କଷ୍ଟରେ ବାହାରିଥିଲେ। ଏପରିକି କାର ଗୁଡିକ ମଧ୍ୟ ବରଫ ଭିତରେ ଦବି ହୋଇ ରହିଯାଇଛି। ଫଳରେ କାର ଭିତରେ ମଧ୍ୟ ଅନେକ ଲୋକ ଫସି ରହିଛନ୍ତି। ଡିସେମ୍ବର ୨୦୨୫ ରେ ୩.୭ ମିଟର (୩୭୦ ମିଲିମିଟର ବର୍ଷା ସମାନ ବରଫବୃଷ୍ଟି)ବରଫ ପଡିଛି,ଯାହାକି ସ୍ବାଭାବିକଠାରୁ ତିନି ଗୁଣା ଅଧିକ।

ଜାନୁଆରୀ ୨୦୨୬ ର ପ୍ରଥମ ୧୫-୧୬ ଦିନରେ ୨ ମିଟରରୁ ଅଧିକ (କିଛି ସ୍ଥାନରେ ୨.୫ ମିଟର ପର୍ଯ୍ୟନ୍ତ, ମୋଟ ୧୬୩ ମିଲିମିଟର) ବରଫ ଓ ଆହୁରି ପଡିଛି। ସହରରେ ବରଫର ଆସ୍ତରଣ ୧୭୦ ସେଣ୍ଟିମିଟର ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। କିଛି ଅଞ୍ଚଳରେ ୨୫୦ ରୁ ୫୦୦ ସେମି(୫ ମିଟର ପର୍ଯ୍ୟନ୍ତ) ଡିଫ୍ରଷ୍ଟ (ବରଫର ଗଦା) ଜମା ହୋଇ ରହିଛି।ଏହା୧୯୭୦ ଦଶକ ପରେ ସବୁଠାରୁ ବଡ଼ ଘଟଣା। ଦୁଇ ଜଣଙ୍କର ମୃତ୍ୟୁ ପରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ଯାହାଫଳରେ ସ୍କୁଲ ବନ୍ଦ,ସାର୍ବଜନୀନ ପରିବହନ ଠପ୍, ବିମାନ ଯାତ୍ରା ପ୍ରଭାବିତ ହୋଇଛି। ପେଟ୍ରୋପାଭାଲୋଭସ୍କ-କାମଚାଟସ୍କିରେ ଲୋକମାନେ ଆପାର୍ଟମେଣ୍ଟର ଝରକା-କବାଟ ଖୋଳି ବାହାରକୁ ବାହାରିଛନ୍ତି। ବହୁ କାର ମାସ ମାସ ଧରି ବରଫରେ ଦବି ହୋଇ ରହିଛି। କାମଚଟକା ଉପଦ୍ବୀପ ପ୍ରଶାନ୍ତ ମହାସାଗର ଏବଂ ଓଖୋଟସ୍କ ସାଗର ଭିତରେ ରହିଛି। ଏଠାରେ ଭୌଗଳିକ ସ୍ଥିତି ଓ ପାଣିପାଗ ବରଫପାତ ପାଇଁ ଖୁବ୍ ଅନୁକୂଳ ରହିଥାଏ। ଡିସେମ୍ବର ୨୦୨୫ ଓ ଜାନୁଆରୀ ୨୦୨୬ରେ ଓଖୋଟସ୍କ ସାଗର ଓ ପ୍ରଶାନ୍ତ ମହାସାଗରରେ ବହୁ କମ୍ ଚାପ ପକାଉଥିବା ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା।

ଏହି ଘୂର୍ଣ୍ଣିଝଡ ମହାସାଗରରୁ ବହୁପରିମାଣରେ ଆଦ୍ରତା ନେଇ ଆସିଥାଏ। ଥଣ୍ଡା ପବନ ସହ ମିଶି ଆଦ୍ରତାକୁ ବରଫରେ ପରିଣିତ କରି ବରଫବୃଷ୍ଟି କରିଥାଏ। କାମଚଟକାରେ ଉଚ୍ଚା ପାହାଡ ଓ ଆଗ୍ନେୟଗିରି ରହିଛି। ମହାସାଗରରୁ ଆସୁଥିବା ଆଦ୍ର ପବନ ପାହାଡ ସହ ମାଡ଼ ହୋଇ ଉପରକୁ ଉଠିଥାଏ। ଥଣ୍ଡା ପବନରେ ଆଦ୍ରତା ଜମି ବରଫପାତ କରିଥାଏ। ବୈଜ୍ଞାନିକଙ୍କ କହିବା ଅନୁସାର, ଗ୍ଲୋବାଲ ଓ୍ବାର୍ମିଂ ଦ୍ବାରା ମହାସାଗର ଗରମ ହେବାରେ ଲାଗିଛି। ଗରମ ପାଣି ଅଧିକ ଆଦ୍ରତା ଶୋଷଣ କରିପାରେ। ଏହାଦ୍ବାରା ଘୂର୍ଣ୍ଣିଝଡ ଅଧିକ ଗରମ କିନ୍ତୁ ଏବେ ଆଦ୍ରତା ଅଧିକ ହେବା ଫଳରେ ରେକର୍ଡ ସଂଖ୍ୟା ବରଫପାତ ହେଉଛି। ୨୬ ଜାନୁଆରୀ ପର୍ଯ୍ୟନ୍ତ ଏଭଳି ପାଗ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢନ୍ତୁ :ବିଶ୍ୱ ବଜାରରେ ଅସ୍ଥିରତା ସତ୍ତ୍ୱେ ଭଲ ଖବର, ଆଇଏମ୍‌ଏଫ୍ କହିଲା ଭାରତର ଜିଡିପି ଗ୍ରୋଥ୍‌ ୭.୩%