କୋରାପୁଟ, ୨୦।୨: ଦୁର୍ଗମ କୋଟିଆ ଅଞ୍ଚଳର କାଞ୍ଚନ ତାଡିଙ୍ଗି(୪୦) । ଆଦିବାସୀ କନ୍ଧ ସମ୍ପ୍ରଦାୟର ଜଣେ ସାଦାସିଧା ମହିଳା । ଅଥଚ ଜିଲ୍ଲା ସୀମାନ୍ତ ତଥା ଆନ୍ଧ୍ରକୁ ଲାଗି ରହିଥିବା ଏହି ପଞ୍ଚାୟତର ପାହାଡ଼, ଡଙ୍ଗରରେ ରହୁଥିବା ନିରକ୍ଷର ମହିଳାମାନଙ୍କ ପାଇଁ ସେ ପାଲଟିଛନ୍ତି ଆଶାର ଆଲୋକ । ନିଜ ପରିଶ୍ରମ ଓ କଠିନ ସାଧନା ବଳରେ ଗଢ଼ି ତୋଳିଛନ୍ତି ଫୁଲଝାଡ଼ୁ ଶିଳ୍ପ । ୩ ଏସ୍ଏଚ୍ଜି ଗଢି ୫୦ରୁ ଅଧିକ ମହିଳାଙ୍କୁ ଚଖାଇଛନ୍ତି ଗୃହିଣୀରୁ ସ୍ୱାବଲମ୍ବୀ ହେବାର ସ୍ୱାଦ । କୋଟିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ସୃଷ୍ଟି କରିଛନ୍ତି ଏକ ନୂଆ ଅଧ୍ୟାୟ । ହାସଲ କରିଛନ୍ତି ମହିଳା ସଶକ୍ତୀକରଣର ଏକ ସଫଳ ପରିଚୟ । କୋଟିଆ ପଞ୍ଚାୟତ ସଦରରେ କାଞ୍ଚନଙ୍କ ଘର । ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ । ସରପଞ୍ଚ ଥିବା ବେଳେ ଲୋକଙ୍କୁ ଯେମିତି ସେବା ଯୋଗାଉଥିଲେ, ଏବେବି ସେହି ଉତ୍ସାହରେ ତିଳେହେଲେ ଭଟ୍ଟା ପଡ଼ିନି ।​​​​​​​

ଦୀର୍ଘ ୮ ବର୍ଷ ହେଲା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ଜାରି ରଖିଛନ୍ତି ନିରନ୍ତର ଉଦ୍ୟମ ଓ ସଂଘର୍ଷ । ଏଠାକାର ସ୍ୱତନ୍ତ୍ର ଝାଡୁର ଚାହିଦା ରାଜ୍ୟ ବାହାରେ ବି ଥିଲା । ଅଥଚ ଦଲାଲଙ୍କ ଯୋଗୁ ସବୁବେଳେ ଅଭାବୀ ବିକ୍ରିର ଶିକାର ହେଉଥିଲେ ସଂଗ୍ରହକାରୀ ମହିଳା । ପରିଶ୍ରମ ଅନୁସାରେ ମିଳୁନଥିଲା ପାରିଶ୍ରମିକ । ଏହା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ନୂଆ ଚିନ୍ତାଧାରା ଆଣିଥିଲେ କାଞ୍ଚନ । ମହିଳାମାନଙ୍କୁ ଏକାଠି କରି ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନର ମୁଖ୍ୟ ପୁରୋଧା ସାଜିଥିଲେ । ନିଜ ଗୋଷ୍ଠୀର କେତେକ ସଦସ୍ୟାଙ୍କୁ ସାଙ୍ଗରେ ଧରି ଚାଲିଯାଇଥିଲେ ରାୟଗଡ଼ା । ସେଠାରେ ଝାଡ଼ୁ ତିଆରିର ଉନ୍ନତ କୌଶଳ ଶିଖିଥିଲେ । ଠିକ୍ରେ ଝାଡ଼ୁ ବାନ୍ଧିବା, ସମାନ ସାଇଜରେ କାଟିବା ଓ ତାକୁ ପ୍ଲାଷ୍ଟିକ ଖୋଳରେ ପ୍ୟାକିଂ କରି ଓଜନରେ ବିକ୍ରି କରିବାର କଳା ହାସଲ କରିଥିଲେ । ତାଲିମ ନେଇ ପୁଣି ଫେରିଥିଲେ କୋଟିଆ । ସାଥୀ ମହିଳାମାନଙ୍କୁ ଏହି କୌଶଳ ଶିଖାଇଥିଲେ । ଏବେ ଝାଡ଼ୁ ବାନ୍ଧିବାରେ ସମସ୍ତେ ହୋଇଛନ୍ତି ସିଦ୍ଧହସ୍ତା । ଆକର୍ଷଣୀୟ ଝାଡୁ ପ୍ରସ୍ତୁତ କରି ଓଜନରେ ବିକୁଛନ୍ତି । ଆଗ ଅପେକ୍ଷା ଦୁଇଗୁଣ ଅଧିକ ମୂଲ୍ୟ ପାଉଛନ୍ତି । ଏବେ ୩ଟି ସ୍ୱୟଂ ସହାୟିକା ଗୋଷ୍ଠୀର ଉପଦେଷ୍ଟା ଭାବେ କାମ କରୁଛନ୍ତି କାଞ୍ଚନ । ୫୦ରୁ ଅଧିକ ମହିଳା ଏବେ ଝାଡୁ ସଂଗ୍ରହ, ତିଆରି ଓ ବିକ୍ରିରେ ବେଶ୍ ସଫଳ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ... ଗୃହିଣୀରୁ ବିଶ୍ୱ ରେକର୍ଡ: ମହିଳା ସଶକ୍ତୀକରଣର ଜ୍ୱଳନ୍ତ ଉଦାହରଣ 'କାଞ୍ଚନ'

ଏ କ୍ଷେତ୍ରରେ କାଞ୍ଚନଙ୍କୁ ସହଯୋଗର ହାତ ବଢାଇଛନ୍ତି ପଟାଙ୍ଗି କୃଷି ଉତ୍ପାଦକ ସଂଘର ମୁଖ୍ୟ ଜେତାଲି ହନ୍ତାଳ । ଜେତାଲିଙ୍କ କହିବାନୁଯାୟୀ ଯଦି କାଞ୍ଚନଙ୍କ ଏଭଳି ଦୃଢ଼ ନେତୃତ୍ୱ ନଥାନ୍ତା, ତାହେଲେ କୋଟିଆରେ ଏଭଳି ଉଦ୍ୟମ କେବେ ସଫଳ ହୋଇନଥାନ୍ତା । ଆଜି ରାଜ୍ୟ ଓ ରାଜ୍ୟ ବାହାରେ ପହଞ୍ଚିପାରିଛି କୋଟିଆର ଝାଡ଼ୁ । ଭୁବନେଶ୍ୱର ସମେତ ଜଗଦଲପୁର, ନାଗପୁର, ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଓ ବିଶାଖାପାଟଣା ପର୍ଯ୍ୟନ୍ତ ବଜାର ହାସଲ କରିଛି । ଏଭଳି ସଫଳତା ମହିଳାମାନଙ୍କ ପାଇଁ ଏକ ଗୌରବର ବିଷୟ । ଦଲାଲମାନଙ୍କୁ ଏଡ଼ାଇ ସିଧାସଳଖ ବାହାର ବଜାର ସହ ଯୋଗାଯାଗ ରକ୍ଷାକରି ଭଲ ଦି ପଇସା ରୋଜଗାର କରିବାରେ ସେମାନେ ସଫଳ ହୋଇଛନ୍ତି । ଝାଡୁ ବିକ୍ରିରୁ ମିଳୁଥିବା ଟଙ୍କା ଗୋଷ୍ଠୀର ସଦସ୍ୟମାନଙ୍କ ଭିତରେ ସମାନ ପରିମାଣରେ ବଣ୍ଟା ଯାଉଛି । ଏହାଦ୍ୱାରା କୋଟିଆର ମହିଳାମାନେ ଘର ଖର୍ଚ୍ଚଠାରୁ ଆରମ୍ଭ କରି ଶିଶୁମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । କାଞ୍ଚନଙ୍କ ନିଜ ପରିବାର ମଧ୍ୟ ଝାଡୁ ସଂଗ୍ରହ ଓ ତିଆରିରେ ବ୍ୟସ୍ତ । ପରିବାର ସହ ମିଶି ସେ ଆର୍ଥିକ ଉନ୍ନତିର ନୂଆ ମଡ଼େଲ ତିଆରି କରିଛନ୍ତି । କେବଳ ଝାଡ଼ୁରେ ସୀମିତ ନରହି ଫୁଲ, କେମୋମାଇଲ ଓ ମିଣ୍ଟ ଚାଷ ଆରମ୍ଭ କରିଛନ୍ତି ।

ଆଗାମୀ ଦିନରେ ଏହାକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ମାତ୍ର ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିବା ଏହି ସାଧାରଣ ମହିଳା ଏବେ ଅନ୍ୟମାନଙ୍କ ଆଦର୍ଶ ଓ ଉଦାହରଣ ପାଲଟିଛନ୍ତି । ପ୍ରମାଣିତ କରି ଦେଖାଇଛନ୍ତି ଯେ ଶିକ୍ଷା ତୁଳନାରେ ଦୃଢ ଇଚ୍ଛାଶକ୍ତି ଓ ସମର୍ପଣଭାବ ରହିଲେ ଯେକେହି ସଫଳ ହୋଇପାରିବ । ଆଜି କୋଟିଆରେ କାଞ୍ଚନଙ୍କ ନାଁ ଶୀର୍ଷରେ । ମହିଳାମାନେ ତାଙ୍କ କଥା ମାନୁଛନ୍ତି, ଦେଖାଇଥିବା ରାସ୍ତାରେ ଚାଲୁଛନ୍ତି । କାଞ୍ଚନଙ୍କ ମତରେ ଯଦି ଉପଯୁକ୍ତ ଦିଗ ଓ ସମୟୋପଯୋଗୀ ସହଯୋଗ ମିଳିବ, ତାହେଲେ ଦୁର୍ଗମର ମହିଳାମାନେ ବି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ । ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିବେ । ବାସ୍ତବରେ କୋଟିଆର କାଞ୍ଚନ ଆଜି ମହିଳା ସଶକ୍ତୀକରଣର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ସେ ପ୍ରମାଣିତ କରିଛନ୍ତି ଯେ ଯେଉଁଠି ଦୃଢ ଇଚ୍ଛାଶକ୍ତି ଅଛି, ସେଠି ଉନ୍ନତିର ଦିଗନ୍ତବିସ୍ତାରୀ ପଥ ରହିଛି ।