ବଲାଙ୍ଗିର, ୨୦।୨: ସକିଲା ବାନୋ । କ୍ରୋଚେଟ୍ କିଟ୍ରୁ ତାଙ୍କ ପରିଚୟ । ସାଧାରଣ ଉଲ୍ରୁ ସେ ଯେତିକି ସାମଗ୍ରୀ ତିଆରି କଲେଣି ସେଥିପାଇଁ ତାଙ୍କୁ ଏବେ ‘ଉଲ୍ର ରାଣୀ’ ବୋଲି ପରିଚୟ ମିଳିଛି । ପୂର୍ବରୁ ସେ କ୍ୟାନସର ପୀଡ଼ିତଙ୍କ ପାଇଁ ସ୍କାର୍ଫ, ଭାରତୀୟ ସେନା ପାଇଁ ବିଭିନ୍ନ ସାମଗ୍ରୀ ତିଆରି କରି ଜାତୀୟ ସଂସ୍ଥା ଏମ୍ଆଇସିକ୍ୟୁ (ମଦର ଇଣ୍ଡିଆ କ୍ରୋଚେଟ୍ କୁଇନ୍) କୁ ଦେଇସାରିଛନ୍ତି । ଯେଉଁଥିପାଇଁ ତାଙ୍କୁ ଉଭୟ ଏମ୍ଆଇସିକ୍ୟୁ ଏବଂ ଗିନିଜ ବୁକ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ମିଳିଛି । ବିନା ପ୍ରଶିକ୍ଷଣ, କମ୍ ପୁଞ୍ଜି ଏବଂ ସାଧାରଣ ଶିକ୍ଷାରେ ଗୃହିଣୀରୁ ସେ ଏବେ ହୋଇପାରିଛନ୍ତି ପ୍ରଶିକ୍ଷିକା । ଏଯାବତ୍ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗାଁର ୫୦୦ରୁ ଊଦ୍ଧ୍ୱର୍ ମହିଳାଙ୍କୁ ଉଲ୍ ସାମଗ୍ରୀ ତିଆରି ତାଲିମ ଦେଇ କୁଶଳୀ କରିସାରିଲେଣି । କୌଣସି ବି କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ନିଜ ଭିତରେ ଦୃଢ଼ ଇଚ୍ଛାଶକ୍ତି ଏବଂ ନିଷ୍ଠାପର ସାଧନା ମୂଳପୁଞ୍ଜି ବୋଲି ସକିଲା କୁହନ୍ତି । ସୁଦପଡ଼ା ନିବାସୀ ସକିଲା ବାନୋଙ୍କ କହିବାନୁସାରେ, ପିଲାଦିନେ ମା' ଙ୍କଠାରୁ ସେ ଉଲ୍ କାମ ଶିଖିଥିଲେ । ବିବାହ ପରେ ଗୃହିଣୀ ଭାବେ ତାଙ୍କ ପରିଚୟ ସୀମିତ ଥିଲା । ପିଲାଛୁଆ ବଡ଼ ହେବା ପରେ ନିଜେ କିଛି କରିବାକୁ ଚିନ୍ତା କଲେ ଏବଂ ଉଲ୍ରୁ ସ୍ୱେଟର, ଡ୍ରେସ୍, ଫୁଲ, ଗ୍ଲୋବ୍ସ ତିଆରି ଆରମ୍ଭ କଲେ । ଏହାପରଠୁ ତାଙ୍କ ଜୀବନଯାତ୍ରା ବଦଳିଗଲା ।
ଏହା ବି ପଢ଼ନ୍ତୁ... ଗରମ ଆସିବା ପୂର୍ବରୁ ନାଟମଣ୍ଡପରେ ଏସି ସ୍ଥାପନରେ ଫେଲ୍ ମାରିଲା ଶ୍ରୀମନ୍ଦିର ପ୍ରଶାସନ: ପୂର୍ବ ଟେଣ୍ଡର ବାତିଲ, ନୂଆ ଆହ୍ୱାନ
୨୦୨୨ଠାରୁ ସେ ଏହାକୁ ବଡ଼ ଆକାରରେ କରିବାକୁ ଲାଗିଲେ । ଉଲ୍ରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ସାଜସଜ୍ଜା ପାଇଁ ସୁନ୍ଦର ହସ୍ତକଳା ତିଆରି କରିବା ଆରମ୍ଭ କଲେ । ତାଙ୍କ ହାତ ତିଆରି ସାମଗ୍ରୀକୁ ବିଭିନ୍ନ ମେଳାରେ ପ୍ରଦର୍ଶନ କଲେ । ଲୋକେ ତାଙ୍କ କାମକୁ ପ୍ରଶଂସା କଲେ । ତାଙ୍କ ହସ୍ତ ନିର୍ମିତ ସାମଗ୍ରୀର ଚାହିଦା ବଢ଼ିବାରେ ଲାଗିଲା । ସକିଲାଙ୍କ କହିବାନୁସାରେ, ଉଲ୍ କାମରେ ମାତ୍ର ଅଳ୍ପ କିଛି ଟଙ୍କା ବିନିଯୋଗ କରି ସମୟ ଓ ପରିଶ୍ରମ ଦେଲେ ଭଲ ଦି’ ପଇସା ରୋଜଗାର କରିହୁଏ । ଉଦାହରଣ ସ୍ୱରୂପ ଉଲ୍ରୁ ଫୁଲ ତିଆରି କରିବାକୁ ପ୍ରାୟ ଅଧଘଣ୍ଟା ସମୟ ଲାଗେ । ଏଥିପାଇଁ ୧୦ରୁ ୧୫ଟଙ୍କା ଖର୍ଚ୍ଚ ହୁଏ । ଏହାକୁ ମାର୍କେଟରେ ୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଏ । ସେହିପରି ଗୋଟିଏ ସ୍ୱେଟର ତିଆରି କରିବାକୁ ୩ରୁ ୪ଦିନ ସମୟ ଲାଗେ । ଏଥିପାଇଁ ୩୦୦ରୁ ୫୦୦ଟଙ୍କା ଖର୍ଚ୍ଚ ହୁଏ । ହେଲେ ଏହା ବଜାରରେ ୧ ହଜାରରୁ ୨ହଜାର ଟଙ୍କାରେ ବିକ୍ରି ହୋଇଥାଏ । ଏସବୁ ସହଜରେ ଖରାପ ହେଉ ନ ଥିବା ବେଳେ ଧୋଇ ରଖିବା ମଧ୍ୟ ସହଜ ହୋଇଥାଏ । ସବୁ ସମୟରେ ଏହାର ଚାହିଦା ରହୁଛି ।
ବିଭିନ୍ନ ସାମଗ୍ରୀ ତିଆରି କରି ଉଚ୍ଚ ପ୍ରଶଂସିତ ହେବାପରେ ସେ ତାମିଲନାଡୁସ୍ଥିତ ଜାତୀୟ ସଂସ୍ଥା ଏମଆଇସିକ୍ୟୁ ସହ ଯୋଡ଼ି ହୋଇଥିଲେ । ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ନିଜେ ଏବଂ ଅନ୍ୟ ସହଯୋଗୀମାନଙ୍କୁ ନେଇ ଉଲ୍ର ବିଭିନ୍ନ ସାମଗ୍ରୀ ତିଆରି କଲେ । ଯେଉଁଥିପାଇଁ ୨୦୨୪ ଏବଂ ୨୦୨୫ରେ ଦୁଇଥର ଗିନିଜ ବୁକ୍ ଅଫ ୱାଲର୍ଡ ରେକର୍ଡ ହାତେଇଲେ । ଏପରିକି ଉଲ୍ କାମ ପାଇଁ ଗିନିଜ୍ ପକ୍ଷରୁ ତାଙ୍କୁ ଭାରତର "କ୍ରୋଚେଟ୍ କୁଇନ୍' ଉପାଧି ପ୍ରଦାନ କରାଯାଇଛି । ସକିଲା ଉଲ୍ ସାମଗ୍ରୀ ତିଆରି କରି କେବଳ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିନାହାନ୍ତି ବରଂ ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭର କରିବା ପ୍ରୟାସରେ ଲାଗି ପଡ଼ିଛନ୍ତି । ଘରେ ଓ ଗାଁ ଗାଁ ବୁଲି ସ୍ୱତନ୍ତ୍ର ଟ୍ରେନିଂ କ୍ୟାମ୍ପ ମାଧ୍ୟମରେ ମହିଳା ଓ ଝିଅଙ୍କୁ ଉଲ୍ କାମ ଶିକ୍ଷା ଦେଇଆସୁଛନ୍ତି । ୪ବର୍ଷ ମଧ୍ୟରେ ୫ଶହରୁ ଊର୍ଦ୍ ମହିଳାଙ୍କୁ ସେ ଉଲ୍ କାମ ତାଲିମ ଦେଇଛନ୍ତି । ଏପରିକି ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କଠୁ ଉଲ୍ କାମ ଶିକ୍ଷା ନେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ବିଗତ ଦିନରେ ସ୍ୱଧାର, ନାରୀଶକ୍ତି ଫାଉଣ୍ଡେସନ ଆଦି ସଂଗଠନର ସହଯୋଗରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଏବେ ସେ ମହାଶକ୍ତି ଫାଉଣ୍ଡେସନର ସହାୟତାରେ ବଲାଙ୍ଗିର ଉପକଣ୍ଠ ବିହିବନ୍ଧ, ବିଲେଇକାନୀ ଗାଁରେ ପ୍ରଶିକ୍ଷଣ ଦେଉଛନ୍ତି ।