ଫିରିଙ୍ଗିଆ; ୫/୧ : ଜାରି ରହିଛି ଅପରେସନ୍ ନୀଳ ହଜର । କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ସମୂଳେ ନାଶ କରିବା ପାଇଁ ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପୁଲିସ ମୁଖିଆଙ୍କ ତତ୍ବାବଧାନରେ ଜିଲ୍ଲାର ବିଭିନ୍ନ ଥାନା  ଅଞ୍ଚଳରେ ଗଞ୍ଜେଇ କଟା ଅଭିଯାନ ତଥା ଅପରେସନ୍ ନୀଳ ଜହର ଅଭିଯାନ ଜାରି ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଜାରି ରହିଛି । ଗୋଛାପଡା ପୁଲିସ ପକ୍ଷରୁ ଏହି ଅଭିଯାନ ପନ୍ଦର ଦିନରେ ପହଞ୍ଚିଛି । ତେବେ ପନ୍ଦର ଦିନରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ବରେ ଥାନା ଅଧୀନରେ ଥିବା ପାହିରେଜୁ ପଞ୍ଚାୟତର ଗବନଳା ଓ ସଞ୍ଜୁ କେତା ଗାଁରେ ହୋଇଥିବା ପ୍ରାୟ ୧୬୨ ଏକର ପରିମିତ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପାଖା ପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି ।

ସୋମବାର ଦିନ ହୋଇଥିବା ଏହି ଅଭିଯାନରେ ବନବିଭାଗ, ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରେ ଆଗରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ସମସ୍ତଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ ଗୁଡ଼ିକ କଟା ଯାଇଛି ।