କଣ୍ଟାବାଞ୍ଜି/ତୁରେକେଲା, ୩/୯ : ମାତାଲ୍ ସ୍ଵାମୀଙ୍କ ପାଇଁ ହଟହଟା କଣ୍ଟାବାଞ୍ଜି ଆଇଆଇସି ମ୍ୟାଡାମ୍। ମାର୍କେଟ୍‌ରେ ଦେଖାଉଥିଲେ ଦବଙ୍ଗଗିରି। ଲୋକଙ୍କୁ ଦେଖାଉଥିଲେ ସ୍ତ୍ରୀଙ୍କ ପାୱାର। ରଙ୍ଗ ଛଡ଼େଇ ଦେଲେ ସ୍ଥାନୀୟ ଲୋକେ। ଅଧରାତିରେ ଥାନା ଘେରିଲେ କଣ୍ଟାବାଞ୍ଜିବାସୀ। ସ୍ଵାମୀ-ସ୍ତ୍ରୀ ମିଶି ଭୁଲ୍ ମାଗିବାରୁ ଥଣ୍ଡା ପଡ଼ିଲା ମାମଲା। 

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମଙ୍ଗଳବାର ବିଳମ୍ବିତ ରାତିରେ ଥାନା ଅଧିକାରିଣୀ ରଶ୍ମିତା ବେହେରାଙ୍କ ସ୍ଵାମୀ ଅରିବିନ୍ଦ ମହାପାତ୍ର ମାତାଲ୍ ହୋଇ କିଛି ଲୋକଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ। କଣ୍ଟାବାଞ୍ଜିର ପ୍ରତୀକ ଆର୍ଯ୍ୟ ତାଙ୍କ ସ୍ତ୍ରୀଙ୍କ ସହ ଏକ ମୁଢି ମିକ୍ସଚର ଦୋକାନରେ ଠିଆ ହୋଇଥିବା ସମୟରେ ତାଙ୍କୁ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ। ଏହି ଘଟଣାର କିଛି ସମୟ ପରେ ଏକ ପୁଲିସ ଗାଡି ପହଞ୍ଚି ଦୁର୍ବ୍ୟବହାରର ଶିକାର ହୋଇଥିବା ଲୋକଙ୍କୁ ଥାନାକୁ ଚାଲ ବୋଲି ଓଲଟା କହିଥିଲା। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ପରେ ଶତାଧିକ ଲୋକ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୁଲିସ ମ୍ୟାଡାମ୍ ଓ ତାଙ୍କ ସ୍ଵାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ସ୍ଵାମୀ-ସ୍ତ୍ରୀଙ୍କ ବିରୋଧରେ ଏତଲା ବି ଦେଇଥିଲେ। ଏସଡିପିଓ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକ ଥାନା ଅଧିକାରୀ ଓ ଏସଡିପିଓଙ୍କୁ ଘେରି ଯାଇଥିଲେ। ପ୍ରାୟ ୨ ରୁ ୩ ଘଣ୍ଟା ପରେ ଆଇଆଇସି ମ୍ୟାଡାମ୍‌ଙ୍କ ସ୍ଵାମୀ ଭୁଲ୍ ମାଗିବା ପରେ ମାମଲା ଥଣ୍ଡା ପଡ଼ିଥିଲା। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।