ନୂଆଦିଲ୍ଲୀ ୧୦/୦୧: ୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)କୁ ଆଉ ଅଳ୍ପ ଦିନ ବାକି । ଚଳିତ ବର୍ଷ ଓସ୍କାର ସମାରୋହ ଭାରତୀୟ ସିନେମା ପାଇଁ ଐତିହାସିକ ମୁହୂର୍ତ୍ତ ହେବ । ସଦ୍ୟ ରିପୋର୍ଟ ଅନୁସାରେ, ଓସ୍କାର-୨୦୨୬ରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ନୋମିନେସନ୍ ପାଇଁ ୨୦୧ ଫିଚର୍ ଫିଲ୍ମ ତାଲିକାରେ ଦୁଇଟି ଭାରତୀୟ ଫିଲ୍ମ ସ୍ଥାନ ପାଇଛି । ଋଷଭ ଶେଟ୍ଟୀଙ୍କ ‘କାନ୍ତାରା: ଏ ଲିଜେଣ୍ଡ୍- ଭାଗ-୧’ ଓ ଅନୁପମ ଖେର୍ଙ୍କ ‘ତନ୍‌ଭି ଦ ଗ୍ରେଟ୍’ ଓସ୍କାର ନୋମିନେସନ୍ ପାଇଁ ରେସ୍‌ରେ ଥିବା ଫିଲ୍ମ ତାଲିକାରେ ଏଣ୍ଟ୍ରି କରିଛି ।

ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସ (ଏଏମ୍ପିଏଏସ୍) ଓସ୍କାର୍‌ର ସମ୍ମାନାସ୍ପଦ ଶ୍ରେଷ୍ଠ ଚଳଚ୍ଚିତ୍ର ଦୌଡ଼ ନିମନ୍ତେ ସିଧାସଳଖ ଯୋଗ୍ୟ ବିବେଚିତ ହୋଇଥିବା ୨୦୧ ଫିଲ୍ମର ନାଁ ଘୋଷଣା କରିଛି । ଏ ସମସ୍ତ ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହେବା ପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ପୂରଣ କରିଛନ୍ତି । ତନ୍ମଧ୍ୟରେ ଉଭୟ ‘କାନ୍ତାରା-୧’ ଓ ‘ତନ୍‌ଭି ଦ ଗ୍ରେଟ୍’ ଏହି ଆବଶ୍ୟକତା ପୂରଣ କରି ବିଶ୍ୱ ମଞ୍ଚରେ ମଜଭୁତ ପ୍ରତିଯୋଗୀ ଭାବେ ଉଭା ହୋଇଛନ୍ତି । ଆସନ୍ତା ୨୨ ତାରିଖରେ ଓସ୍କାର ନୋମିନେସନ୍ ଘୋଷଣା ହେବ । ମାର୍ଚ୍ଚ ୧୬ ତାରିଖରେ ସମାରୋହ ଆୟୋଜିତ ହେବ ।

ଋଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘କାନ୍ତାରା-୧’ ବ୍ଲକ୍‌ବଷ୍ଟର ଫିଲ୍ମ ‘କାନ୍ତାରା’ର ପ୍ରିକ୍ୱେଲ । ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହୋଇଥିଲା । ଗଭୀର ସାଂସ୍କୃତିକ କାହାଣୀ ପାଇଁ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଋଷଭ । କାନ୍ତାରା ଜଙ୍ଗଲ ଓ ଏହାର ଜନଜାତି ସମୁଦାୟର ରକ୍ଷକ ଭାବେ ତାଙ୍କର ଚରିତ୍ରକୁ ଦର୍ଶକ ଖୁବ୍ ଭଲପାଇବା ଦେଇଥିଲେ । ଅନୁପମ ଖେରଙ୍କ ନିର୍ଦ୍ଦେଶିତ ‘ତନ୍‌ଭି ଦ ଗ୍ରେଟ୍’ରେ ତନ୍‌ଭି ରୈନା ଭୂମିକାରେ ଅଭିନୟ କରିଥିଲେ ଶୁଭାଙ୍ଗୀ । ଅଟିଜମ୍ ଓ ଭାରତୀୟ ଆର୍ମିର ଥିମ୍ ଉପରେ ଫିଲ୍ମଟି ପର୍ଯ୍ୟବସିତ । ଫିଲ୍ମରେ ଶୁଭାଙ୍ଗୀ ସୈନ୍ୟବାହିନୀରେ ନିଜ ଦିବଂଗତ ବାପାଙ୍କ ସେବା ଦ୍ୱାରା ପ୍ରେରିତ ହୋଇ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ଅନୁପମ ଖେର, ଜ୍ୟାକି ଶ୍ରଫ୍, ବୋମନ ଇରାନି ଓ କରନ ଟକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।