କର୍ଣ୍ଣାଟକରେ ନେତୃତ୍ୱ କନ୍ଦଳ କିଛି ନୂଆ କଥା ନୁହେଁ । ଏହାର ଏକ ସୁଦୀର୍ଘ ଇତିହାସ ରହିଛି । କେବଳ କର୍ଣ୍ଣାଟକ କାହିଁକି, ଅତୀତରେ କଂଗ୍ରେସ ଶାସିତ ଏକାଧିକ ରାଜ୍ୟରେ ଗୋଷ୍ଠୀକନ୍ଦଳ କିପରି ତୀବ୍ର ଆକାର ଧାରଣ କରି ସେଠାରେ କଂଗ୍ରେସ ସରକାର ପତନର କାରଣ ସାଜିଥିଲା, ତାହାର ମଧ୍ୟ ନଜିର ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନ ଏହାର ନିକଟ ଅତୀତର ନମୁନା ।

କର୍ଣ୍ଣାଟକରେ କଂଗ୍ରେସ ଗୋଷ୍ଠୀକନ୍ଦଳ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଗିଥିବା ପୁରୁଣା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି । ଉଭୟ ଗୋଷ୍ଠୀର ବିଧାକମାନଙ୍କର ବେଙ୍ଗାଲୁରୁ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ, ମନ୍ତ୍ରଣା, ରଣନୀତି ଏବଂ ଆକ୍ଷେପ ପ୍ରତିଆକ୍ଷେପ ତୀବ୍ରତର ହେଉଛି । ସବୁଠାରୁ ବଡ଼ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି- କର୍ଣ୍ଣାଟକରେ ନେତୃତ୍ୱ (ମୁଖ୍ୟମନ୍ତ୍ରୀ) ପଦ ପରିବର୍ତ୍ତନ ହେବ କି ନାହିଁ । ତେଣୁ କଂଗ୍ରେସ ଅଧ୍ୟକ୍ଷ ଏବଂ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି । ଇତିମଧ୍ୟରେ ଡି. କେ. ଶିବକୁମାର ଗୋଷ୍ଠୀର ବିଧାୟକମାନେ ଦିଲ୍ଲୀ ଯାଇ କ୍ୟାମ୍ପ ପକାଇଥିଲେ ସୁଦ୍ଧା, ନେତୃତ୍ୱ ପରିବର୍ତ୍ତନ ଲାଗି ହାଇକମାଣ୍ଡଙ୍କ ଠାରୁ କୌଣସି ସବୁଜ ସଂକେତ ମିଳୁନାହିଁ ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟାଙ୍କ ଗୋଷ୍ଠୀ ମଧ୍ୟ ବେଙ୍ଗାଲୁରୁ ଠାରେ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ସକାଶେ ରୁଦ୍ଧଦ୍ୱାର ବୈଠକରେ ଲିପ୍ତ । କୌଣସି ପରିସ୍ଥିତିରେ ନେତୃତ୍ୱ ପରିବର୍ତ୍ତନ ନକରିବା ହେଲା ସେମାନଙ୍କ ଲକ୍ଷ୍ୟ । ସିଦ୍ଦରାମେୟାଙ୍କର ଜଣେ ତୁଙ୍ଗ ସମର୍ଥକ ତଥା ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଜମୀର ଅହମ୍ମଦ ଖାନ୍‌ଙ୍କ ଯୁକ୍ତି ହେଲା, ମୁଖ୍ୟମନ୍ତ୍ରୀ ପଦ ଖାଲି ପଡ଼ିନାହିଁ କିମ୍ବା ପଦ ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ । କିନ୍ତୁ ସିଦ୍ଦରାମେୟାଙ୍କର ଅନ୍ୟ ଜଣେ ଦୃଢ଼ ଅନୁଗତ ରାଜ୍ୟ ଘରୋଇ ବିଭାଗ ମନ୍ତ୍ରୀ ଜି. ପରମେଶ୍ୱର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ହାଇକମାଣ୍ଡ ଯଦି ସିଦ୍ଦରାମେୟାଙ୍କ ବଦଳରେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରନ୍ତି, ତାଙ୍କ ନେତୃତ୍ୱକୁ ଗ୍ରହଣ କରିବାରେ ତାଙ୍କର ଆପତ୍ତି ନାହିଁ । ଅର୍ଥାତ୍‌, କେହି କାହାର ସମର୍ଥକ ନୁହଁନ୍ତି, ସଭିଏଁ ହାଇକମାଣ୍ଡଙ୍କ ନିଷ୍ପତ୍ତିର ଅନୁପାଳନକାରୀ । ଏହା ମଧ୍ୟ ଅନେକାଂଶରେ ସତ । ହାଇକମାଣ୍ଡଙ୍କ ନିଷ୍ପତ୍ତି ଅବା ନିର୍ଦ୍ଦେଶକୁ ଅମାନ୍ୟ କରିବାର ସାମର୍ଥ୍ୟ କାହାରି ପାଖରେ ନାହିଁ । କର୍ଣ୍ଣାଟକରେ ନେତୃତ୍ୱ କନ୍ଦଳ କିଛି ନୂଆ କଥା ନୁହେଁ । ଏହାର ଏକ ସୁଦୀର୍ଘ ଇତିହାସ ରହିଛି ।

କେବଳ କର୍ଣ୍ଣାଟକ କାହିଁକି, ଅତୀତରେ କଂଗ୍ରେସ ଶାସିତ ଏକାଧିକ ରାଜ୍ୟରେ ଗୋଷ୍ଠୀକନ୍ଦଳ କିପରି ତୀବ୍ର ଆକାର ଧାରଣ କରି ସେଠାରେ କଂଗ୍ରେସ ସରକାର ପତନର କାରଣ ସାଜିଥିଲା, ତାହାର ମଧ୍ୟ ନଜିର ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନ ଏହାର ନିକଟ ଅତୀତର ନମୁନା । ଏହା କାଳେ କଂଗ୍ରେସ ଦଳକୁ ସନ୍ତୁଳିତ ରଖିବାର ଏକ ବହୁ ପରୀକ୍ଷିତ ଫର୍ମୁଲା । ତେବେ ଏହାର ଯେ ଏକ ବିପଜ୍ଜନକ ଦିଗ ରହିଛି, ସେଥିରୁ ଦଳ କିମ୍ବା ହାଇକମାଣ୍ଡ ବିଶେଷ ଶିକ୍ଷାଲାଭ କରିବା ପରି ମନେ ହୁଏନାହିଁ । କର୍ଣ୍ଣାଟକ ଘଟଣାକୁ ଉଦାହରଣ ଭାବରେ ନିଆଯାଉ । ଯେତେବେଳେ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରୁ କଂଗ୍ରେସ ପରାଜୟ ବରଣ କରିଚାଲିଥିଲା, ସେହି ସମୟରେ ୨୦୨୩ ମସିହାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା ଏବଂ ଏହି ବିଜୟ ପଛରେ ଡି. କେ. ଶିବକୁମାରଙ୍କ ସାଂଗଠନିକ ନେତୃତ୍ୱ ଓ ଶ୍ରମ ବିଶେଷ ଭାବରେ କାର୍ଯ୍ୟ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ, ଅନେକ ବାଦବିବାଦ ପରେ ହାଇକମାଣ୍ଡଙ୍କ ଆଜ୍ଞାମାଳ ମିଳିଥିଲା ସିଦ୍ଦରାମେୟାଙ୍କୁ । ସେତେବେଳେ କାଳେ ଏହି ଫର୍ମୁଲା ଆପଣାଯାଇଥିଲା ଯେ, ଅଢ଼େଇ ବର୍ଷ ପରେ ସିଦ୍ଦରାମେୟା ମୁଖ୍ୟମନ୍ତ୍ରୀ ପଦ ଶିବକୁମାରଙ୍କୁ ଛାଡ଼ିଦେବେ । କିନ୍ତୁ ଅଢ଼େଇ ବର୍ଷ ବିତିଥିଲେ ସୁଦ୍ଧା ତାହା ଘଟୁନାହିଁ । ଶିବକୁମାରଙ୍କ ଉପରେ ହାଇକମାଣ୍ଡଙ୍କ ଆସ୍ଥା ଯେ ଊଣା, ତାହା ବୁଝିବାକୁ ବାକି ନାହିଁ । ଅନ୍ୟଥା, ନାନା ଦୁର୍ନୀତି ଓ ଅଭିଯୋଗ ପରେ ସୁଦ୍ଧା ସିଦ୍ଦରାମେୟାଙ୍କ ଉପରେ ଦିଲ୍ଲୀ ଆଶୀର୍ବାଦ କାଏମ ରହିବାର କାରଣ କ’ଣ ହେଇପାରେ?

ମଧ୍ୟପ୍ରଦେଶରେ କମଲନାଥଙ୍କ ନେତୃତ୍ୱ ଏବଂ ରାଜସ୍ଥାନରେ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ରଖି କଂଗ୍ରେସ କେତେ ନେତାଙ୍କୁ ହରାଇଛି ଅବା କେତେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ସେକଥା ସମ୍ଭବତଃ ସ୍ମରଣକୁ ଆସୁନାହିଁ । ତେଣୁ କର୍ଣ୍ଣାଟକରେ ଏ ବିବାଦର କେଉଁ ସମାଧାନ ପନ୍ଥା ବାହାରୁଛି ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାହାଠାରୁ ଅଧିକ ମହତ୍ତ୍ୱ ରଖେ ଯେ ଦଳ ଭିତରେ କୁହୁଳୁଥିବା ଅଶାନ୍ତି ଭବିଷ୍ୟତରେ କେଉଁ ରୂପ ନେବ । ଶିବକୁମାରଙ୍କୁ କିପରି ଭାବରେ ଅବା କେତେଦିନ ପର୍ଯ୍ୟନ୍ତ ତୁଷ୍ଟ କରାଯିବ? ତାଙ୍କ ସପକ୍ଷରେ ଥିବା ବିଧାୟକମାନେ ବିଦ୍ରୋହ କରି ଅବା ବିମୁଖ ହୋଇ ଯଦି ଅନ୍ୟ ଦଳକୁ ଡିଆଁ ମାରନ୍ତି, ତେବେ ଅବସ୍ଥା କ’ଣ ହେବ । ଏଭଳି ପରିସ୍ଥିତିରେ ହାଇକମାଣ୍ଡଙ୍କ ନିରବତା କେତେଦୂର ସମୀଚୀନ । ନିଜ ରାଜ୍ୟ କର୍ଣ୍ଣାଟକରେ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ଦାୟିତ୍ୱ କ’ଣ? କଂଗ୍ରେସର ଏହି ନାଟକ ବିଭିନ୍ନ ରାଜ୍ୟରେ ବାରମ୍ବାର ଘଟୁଥିବା ଦେଖି ଏକଥା ଭାବିବା ଅସମୀଚୀନ ନୁହେଁ ଯେ, ଦଳର ଏହା ଏକ ପୁରୁଣା ଅଭ୍ୟାସ!