ନୂଆଦିଲ୍ଲୀ,୨୩।୮: ଅନଲାଇନ୍ ଗେମିଂ ଉପରେ ନୂତନ ଆଇନ ହେବା ମାତ୍ରେ ଆକ୍ସନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଶନିବାର ଇଡି ଅନଲାଇନ୍ ବେଟିଂ ଏବଂ ଗେମିଂ ରାକେଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ଣ୍ଣାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ଗ୍ୟାଙ୍ଗଟକ୍ ରୁ ଗିରଫ କରିଛି। କେନ୍ଦ୍ରୀୟ ଏଜେନ୍ସି ବେଙ୍ଗାଲୁରୁ, ଚିତ୍ରଦୁର୍ଗ, ମୁମ୍ବାଇ, ଗୋଆ ଏବଂ ଗ୍ୟାଙ୍ଗଟକ୍ ସମେତ ୩୧ଟି ସ୍ଥାନରେ ଚଢାଉ କରିଛି। ଗୋଆର ପାଞ୍ଚଟି ବଡ଼ କାସିନୋରେ ମଧ୍ୟ ଚଢାଉ କରାଯାଇଛି।
ଚଢାଉ ବେଳେ ୧୨ କୋଟି ଟଙ୍କାର କ୍ୟାସ୍(ଯେଉଁଥିରେ ୧ କୋଟି ବିଦେଶୀ କରେନ୍ସି), ୬ କୋଟିର ସୁନା, ୧୦ କିଲୋ ରୂପା ଓ ୪ ଲଗଜରୀ କାର ମିଳିଛି। ଏହା ସହ ୧୭ ବ୍ୟାଙ୍କ ଖାତା ଓ ୨ ଲକର ଫ୍ରିଜ୍ କରି ଦିଆଯାଇଛି। ଯାଞ୍ଚ ପରେ ଜଣାପଡିଛି ଯେ, ବିଧାୟକ ଓ ତାଙ୍କ ଭାଇ କେସି ଥିପ୍ପେସ୍ବାମୀ ଅନଲାଇନ୍ ବେଟିଂ ସାଇଟ୍ King567 ଓ Raja567 ଚଳାଉଥିଲେ। ଦୁବାଇ ସ୍ଥିତ ୩ କମ୍ପାନୀ ଡାଇମଣ୍ଡ ସଫ୍ଟଟେକ୍, ଟିଆରଏସ୍ ଟେକ୍ନୋଲୋଜି ଓ ପ୍ରାଇମ ୯ ଟେକ୍ନୋଲୋଜିର ପରିଚାଳନା କରୁଥିଲେ। ଯାହାକି କଲ୍ ସେଣ୍ଟର ଓ ଗେମିଂ ଟଙ୍କା କାରବାର କରୁଥିଲା। ଗ୍ୟାଙ୍ଗଟକରେ ବିଧାୟକ ଜଣକ ଏକ କ୍ୟାସିନୋକୁ ଲିଜ୍ରେ ନେବାକୁ ପହଁଞ୍ଚି ଥିଲେ। ସେତେବେଳେ ଇଡି ତାଙ୍କୁ ଧରି ନେଇଥିଲା। ଏବେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ବେଙ୍ଗାଲୁର କୋର୍ଟ ନିଆଯାଉଛି।
ଉଲ୍ଲେଖନୀୟ ଯେ, ବୀରେନ୍ଦ୍ର ପପ୍ପି ଚିତ୍ରଦୁର୍ଗ ବିଧାନସଭା ଆସନର ବିଧାୟକ। ଏହି କାର୍ଯ୍ୟାନୁଷ୍ଠାନ ପ୍ରିଭେସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PML) ଅନୁଯାୟୀ ନିଆଯାଉଛି। ଅନଲାଇନ୍ ବେଟିଂ ଏବଂ ଗେମିଂ ରାକେଟ ମାମଲାରେ ବିଧାୟକ ଏବଂ ଅନ୍ୟ କିଛି ଲୋକଙ୍କ ଘରେ ଯାଞ୍ଚ ଚାଲିଛି। ଚଢାଉ ସମୟରେ ଇଡି ଏପରି ଅନେକ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ରେକର୍ଡ ପାଇଛି, ଯାହା ଟଙ୍କା ହେରଫେର ଏବଂ ମନି ଲଣ୍ଡରିଂର ଏକ ବଡ଼ ନେଟୱାର୍କର ପର୍ଦ୍ଦାଫାଶ କରୁଛି। ଏଜେନ୍ସି ଏବେ ତଦନ୍ତ କରୁଛି ଯେ ବେଟିଂରୁ ଅର୍ଜିତ ଟଙ୍କାରେ କେଉଁ ବ୍ୟବସାୟ ଏବଂ ସମ୍ପତ୍ତି ବିନିଯୋଗ କରାଯାଇଥିଲା। ଏବେ ମାମଲାର ତଦନ୍ତ ଚାଲିଛି। ED ପରବର୍ତ୍ତୀ ତଦନ୍ତରେ ଅନେକ ବଡ଼ ଖୁଲାସା କରିବ ବୋଲି ଆଶା କରାଯାଉଛି।