ନୂଆଦିଲ୍ଲୀ : କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ମହାନ୍ତେଶ ବିଲାଗିଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ମହନ୍ତେଶ ବିଲାଗି କର୍ଣ୍ଣାଟକ ରାଜ୍ୟ ଖଣିଜ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସେ ଏକ ପାରିବାରିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାମଦୁର୍ଗରୁ କାଲାବୁରାଗି ଯାତ୍ରା କରୁଥିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, ବରିଷ୍ଠ ଆଇଏଏସ୍ ଅଧିକାରୀ ମହାନ୍ତେଶ ବିଲାଗି ତାଙ୍କ ଭାଇ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଏହି କାରରେ ଥିଲେ । ଏକ ପାରିବାରିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେଲାଗାଭି ଜିଲ୍ଲାର ରାମଦୁର୍ଗରୁ କାଲାବୁରାଗି ଯାତ୍ରା କରୁଥିଲେ। ଯାହା ସୂଚନା ମିଳୁଛି, ଜେବର୍ଗୀ ତାଲୁକର ଗୌନାଲି କ୍ରସ୍ ନିକଟରେ ହଠାତ୍ ଏକ କୁକୁର ସେମାନଙ୍କ କାର ସାମ୍ନାକୁ ଆସିଯାଇଥିଲା । କୁକୁରକୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ଡ୍ରାଇଭର କାର ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା ଓଲଟି ପଡ଼ିଲା। ଦୁର୍ଘଟଣାରେ ମହାନ୍ତେଶ ବିଲାଗି, ତାଙ୍କ ଭାଇ ଶଙ୍କର ବିଲାଗି ଏବଂ ଇରାନା ଶିରସାଙ୍ଗୀଙ୍କ ମୃତ୍ୟୁ ହୋଇଛି।
ବରିଷ୍ଠ ଆଇଏଏସ୍ ଅଧିକାରୀ ମହାନ୍ତେଶ ବିଲାଗିଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ମହାନ୍ତେଶ ବିଲାଗିଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।
ମହାନ୍ତେଶ ୨୦୧୨ ବ୍ୟାଚର ଆଇଏଏସ୍ ଅଧିକାରୀ ଥିଲେ…
ମହାନ୍ତେଶ ବିଲାଗିଙ୍କ ଜନ୍ମ ୨୭ ମାର୍ଚ୍ଚ ୧୯୭୪ ରେ ହୋଇଥିଲା ଏବଂ ସେ ୨୦୧୨ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର ଅଧିକାରୀ ଥିଲେ। ସେ କର୍ଣ୍ଣାଟକ ରାଜ୍ୟ ଖଣିଜ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ପୂର୍ବରୁ BESCOM ର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ଦାବଣଗେରେ ଏବଂ ଉଡୁପି ଭଳି ଜିଲ୍ଲାରେ IAS ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।