ପୁରୀ,୦୯/୧୦: କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ ପ୍ରତ୍ୟୁଷ ୪ଟାରୁ ଖୋଲିବ ଶ୍ରୀମନ୍ଦିର । ମହାପ୍ରଭୁଙ୍କ ମଙ୍ଗଳ  ଆଳତି, ମଇଲମ ପ୍ରଭୃତି ନୀତି ଯଥାରୀତି ସମ୍ପାଦନ ହେବ । ମହାପ୍ରଭୁଙ୍କୁ ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ସମୟରେ ପହୁଡ଼  କରାଯିବ । ଏନେଇ ମଙ୍ଗଳବାର ବସିଥିବା ଛତିଶା ନିଯୋଗ  ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର  କାର୍ଯ୍ୟାଳୟ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି । 

ଆସନ୍ତା ୧୪ ତାରିଖଠାରୁ ଆସନ୍ତା ମାସ ୧୫  ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସ(ବାଳଧୂପ) ନୀତି ମଧ୍ୟ ଯଥାରୀତି  ସମାପନ କରିବାକୁ ଏଠାରେ ଛତିଶା ନିଯୋଗ ସହ ଆଲୋଚନା  ଓ ସହମତି ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରସ୍ତୁତ  କରିଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ  କରିଛି । ମହାପ୍ରଭୁଙ୍କ ନୀତି ଯଥାରୀତି ସାରିବାକୁ ଛତିଶା  ନିଯୋଗର ପ୍ରତିନିଧିମାନେ ବିଭିନ୍ନ ପରାମର୍ଶ ଦେଇଥିଲେ। କାର୍ତ୍ତିକରେ ରାଈଦାମୋଦର ବ୍ରତ କରିବାକୁ ଶ୍ରୀକ୍ଷେତ୍ରକୁ  ଆସୁଥିବା ସମସ୍ତ ହବିଷ୍ୟାଳିଙ୍କୁ ସ୍ୱତନ୍ତ୍ର ଲାଇନ୍‌ରେ ଠାକୁର  ଦର୍ଶନର ସୁଯୋଗ ମିଳିବ । ସେମାନଙ୍କୁ ଠେଲାପେଲାର  ସମ୍ମୁଖୀନ ହେବାକୁ ପଡ଼ିବନି ।

 ଏଥିନିମନ୍ତେ ପୁଲିସ ପ୍ରଶାସନ  ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ।  ଖରାବର୍ଷାରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ସହ ଭିଡ଼ ନିୟନ୍ତ୍ରଣ  ନିମନ୍ତେ ୩ ଦ୍ୱାରରେ ବ୍ୟାରିକେଡ୍‌ ଏବଂ ସେଡ୍‌ ଅଛି । କେବଳ ସିଂହଦ୍ୱାରରେ ସେଡ୍‌ କରିବା ବାକି ରହିଛି । ଏହା  ଖୁବ୍‌ଶୀଘ୍ର ସରିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ଭିନିତ୍‌ ଅଗ୍ରୱାଲ । ପଞ୍ଚୁକ  ସମେତ କାର୍ତ୍ତିକ ମାସରେ ସମୟରେ ପୁଲିସ ପ୍ରଶାସନ  ପକ୍ଷରୁ ସ୍ୱତନ୍ତ୍ର ଭାବେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ପୁଲିସ  ଫୋର୍ସ ମୁତୟନ କରାଯିବ ବୋଲି ଏସ୍‌ପି କହିଛନ୍ତି ।