ପ୍ରମୂଖ ଖବର
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ରେଳ ଦୁର୍ଘଟଣା ରୋକିବାକୁ ଲାଗିବ ‘କବଚ’, ୫୯୫ କିମିକୁ ଖର୍ଚ୍ଚ ହେବ ୨୮୦ କୋଟି

Published By : Prameya | January 20, 2025 11:36 AM

ଭୁବନେଶ୍ୱର, ୨୦/୦୧: ରେଳ ଦୁର୍ଘଟଣା  ରୋକିବାକୁ ଲାଗିବ କବଚ । ଏଥିପାଇଁ ରେଳ ଲାଇନ୍‌ ସମେତ ଷ୍ଟେସନ ପାଖରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ହେବ । ଏହା ଦ୍ୱାରା ସିଗ୍‌ନାଲ ସାହାଯ୍ୟରେ ଦୁର୍ଘଟଣା ରୋକାଯିବ । ଟ୍ରେନ୍‌ର ବେଗ ସ୍ୱତଃ ନିୟନ୍ତ୍ରିତ ହେବ । ଏଥିରେ ବିଭିନ୍ନ ଦୁର୍ଘଟଣା ନିରୋଧୀ  ବ୍ୟବସ୍ଥା ଥିବାରୁ ଭୁଲବଶତଃ ଏକାଧିକ ଟ୍ରେନ ପାଖାପାଖି ହେଲେ ପ୍ରଯୁକ୍ତି ବଳରେ ହେବାକୁ ଥିବା ଦୁର୍ଘଟଣା ପୂର୍ବରୁ କିଛି ଦୂରରୁ ଅଟକି ଯିବ ।  ବିଶେଷ କରି ଟ୍ରେନ ଚାଳକ ନାଲି ସଙ୍କେତ(ରେଡ୍‌  ସିଗ୍‌ନାଲ୍‌) ଅତିକ୍ରମ କରିଥିଲେ, କବଚ ଲାଗିଥିବା ରେଳ ଲାଇନଗୁଡ଼ିକରେ ଆପେ ଆପେ ବ୍ରେକ୍‌  ଲାଗିବ । ଏହି ନୂଆ ଅତ୍ୟାଧୁନିକ ପ୍ରଯୁକ୍ତି କବଚ  ଆମ ଦେଶରେ ନିର୍ମିତ ଜ୍ଞାନ କୌଶଳରେ ପ୍ରସ୍ତୁତ  ହୋଇଛି । 

ଆଗାମୀ ଦିନରେ ସାରା ଦେଶରେ ଏହି  ବ୍ୟବସ୍ଥା ଲାଗୁ ହେବ । ତେବେ ସେହି କ୍ରମରେ  ଭଦ୍ରକ ଜିଲ୍ଲାର ରାଣୀତାଲରୁ ବିଶାଖାପାଟଣାର ଦୁବାଡ଼ା ପର୍ଯ୍ୟନ୍ତ ରେଳ ଲାଇନରେ କବଚ  ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ । ସେଥିପାଇଁ  ଟେଣ୍ଡର ଆହ୍ୱାନ କରିଛି ପୂର୍ବତଟ ରେଳପଥ ।  ଗତ ୧୬ ତାରିଖରେ ଟେଣ୍ଡର ଆହ୍ୱାନ କରିଥିବା  ବେଳେ ଆସନ୍ତା ମାର୍ଚ୍ଚ ୧୮ ତାରିଖ ଆବେଦନର  ଶେଷ ଦିବସ ରହିଛି । ମୋଟ ୫୯୫ କିମି ରେଳ  ଲାଇନରେ କବଚ ସୁରକ୍ଷା ବ୍ୟବସ୍ଥା କରିବାକୁ  ପାଖାପାଖି ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି  ପ୍ରାଥମିକ ଆକଳନ କରାଯାଇଛି। କାମ ଶେଷ  କରିବା ପାଇଁ ୧୮ ମାସ ଅବଧି ଦିଆଯାଇଛି ।  ମାର୍ଚ୍ଚ ୪ ତାରିଖରୁ ବିଡିଂ ତାରିଖ ଆରମ୍ଭ ହେବ  ବୋଲି ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ  ସୂଚନା ଦିଆଯାଇଛି ।  

ଟେଣ୍ଡର ପ୍ରକ୍ରିୟାରେ କବଚ ପ୍ରତିଷ୍ଠା ବାବଦରେ  ସର୍ଭେ, ଡିଜାଇନ୍‌, ବିଭିନ୍ନ ପ୍ରକାରର ସାମଗ୍ରୀ  ଯୋଗାଣ, ମୂଳଦୁଆ, ଫେବ୍ରିକେସନ୍‌, ଟାୱାର ପ୍ରତିଷ୍ଠା ଅନ୍ତର୍ଭୁକ୍ତ । ଅତ୍ୟାଧୁନିକ ସିଗନାଲ୍‌,  ଇଣ୍ଟରଲକିଂ ବ୍ୟବସ୍ଥା ପ୍ରମୁଖକୁ ଅଧିକ ଧ୍ୟାନ  ଦିଆଯାଉଛି । ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓଡ଼ିଶାରୁ ଜିତି ରାଜ୍ୟସଭାକୁ ଯାଇଥିବାରୁ  ରାଜ୍ୟରେ ରେଳ ବିଭାଗ ପକ୍ଷରୁ ବିଭିନ୍ନ  ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ସେହିପରି ଆଗାମୀ ଦିନରେ ରେଳ ଅଟୋମେଟିକ୍‌ ଟ୍ରେନ୍‌  ସୁରକ୍ଷା (ଏଟିପି) ସିଷ୍ଟମ ମାଧ୍ୟମରେ ଟ୍ରେନର  ଗତି ନିୟନ୍ତ୍ରଣ କରାଯିବ । ଟେଲିକମ୍‌ ନେଟୱାର୍କ  ଭଳି ରେଳ ଟ୍ରାକରେ ଉପକରଣଗୁଡ଼ିକ ଲଗାଯିବ ।  ଏସବୁକୁ ସିଗ୍‌ନାଲ ସହିତ ଯୋଡ଼ାଯିବ । ଏ ନେଇ  ପ୍ରତି ଷ୍ଟେସନରେ ଏକ ଡାଟା ସେଣ୍ଟର ଏବଂ ଏକ  ମୁଖ୍ୟ ଡାଟା ସେଣ୍ଟର ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.