ଡେରାବିଶ,୨୯/୧୦: ଗର୍ଭବତୀଙ୍କ ଚିକିତ୍ସା ଓ ଯତ୍ନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଥିବା ବେଳେ ଜଣେ ଗର୍ଭବତୀ ସରକାରୀ କର୍ମଚାରୀ ଗର୍ଭବେଦନା  ସମୟରେ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ନେଇ ଅଭିଯୋଗ  ଆଣିଛନ୍ତି । ଅଧିକାରୀଙ୍କ ଅଧିକ କାର୍ଯ୍ୟ  ଚାପ ଯୋଗୁଁ ତାଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ  ହୋଇଥିବା ନେଇ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ  ହୋଇଛି । ଏଭଳି ଅଭାବନୀୟ ଘଟଣା  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ  ବ୍ଲକ୍‌ ମହିଳା ଓ ଶିଶୁ ସମନ୍ୱିତ ବିଭାଗରେ ଘଟିଥିବା ଜଣାଯାଇଛି ।  

ଅଭିଯୋଗରୁ ପ୍ରକାଶ, ମହିଳା ଓ  ଶିଶୁ ସମନ୍ୱିତ ବିଭାଗରେ କାର୍ଯ୍ୟରତ  ବରିଷ୍ଠ ମହିଳା କିରାଣି ବର୍ଷା ପ୍ରିୟଦର୍ଶିନୀ  ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ  ନିୟମିତ କାର୍ଯ୍ୟାଳୟକୁ ଆସୁଥିଲେ । ଗତ  ଶୁକ୍ରବାର ଦିନ ତାଙ୍କର ଗର୍ଭ ବେଦନା  ଆରମ୍ଭ ହୋଇଥିଲା । ଏହି ସମୟରେ  ସେ ଡାକ୍ତରଖାନା ଯିବା ପାଇଁ ଅନୁମତି  ଦେବାକୁ ସିଡିପିଓ ସ୍ନେହଲତା ସାହୁଙ୍କୁ  ନିବେଦନ କରିଥିଲେ । ମାତ୍ର ସିଡିପିଓ  ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିବା  ବେଳେ ଓଲଟା ଦୁର୍ବ୍ୟବହାର କରିଥିଲେ । ଉପରିସ୍ଥ ଅଧିକାରୀଙ୍କ କଟୁ ଭାଷା ସହି  ନପାରି ବର୍ଷା ପ୍ରିୟଦର୍ଶିନୀ ସେଠାରେ  ଅସୁସ୍ଥ ହୋଇ ପଡ଼ିଥିଲେ । ଖବର ପାଇ  ତାଙ୍କର ସମ୍ପର୍କୀୟମାନେ ସେଠାରେ ପହଞ୍ଚି  ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର  ଏକ ଘରୋଇ ଡାକ୍ତରଖାନାକୁ ନେଇ  ଯାଇଥିଲେ । ତେବେ ସେଠାରେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇ ଯାଇଥିବା  ନେଇ ଡାକ୍ତର ସୂଚନା ଦେଇଥିଲେ । ଦୀର୍ଘ  ୪ ଦିନ ହେଲା ପୀଡ଼ିତା ଡାକ୍ତରଖାନାରେ  ଚିକିତ୍ସାଧୀନ ଥିବା ଜଣାପଡ଼ିଛି । 

ଏ  ସମ୍ପର୍କରେ ଜିଲ୍ଲାପାଳ ଓ ଆରକ୍ଷୀ  ଅଧୀକ୍ଷକଙ୍କ ମିଳିତ ଅଭିଯୋଗ  ଶୁଣାଣିରେ ସଂପୃକ୍ତ ପୀଡ଼ିତାଙ୍କ ପରିବାର  ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ  ନ୍ୟାୟ ଭିକ୍ଷା କରାଯାଇଛି । ଏ ସମ୍ପର୍କରେ  ସିଡିପିଓ ଶ୍ରୀମତୀ ସାହୁଙ୍କୁ ପଚାରିବାରୁ  ସେ କହିଥିଲେ ଯେ, ମୋ ବିରୋଧରେ  ହୋଇଥିବାଅଭିଯୋଗ ଭିତ୍ତିହୀନ ଓ  କପୋଳକଳ୍ପିତ । ମୋତେ ହଟାଇବାକୁ  ଏହା ଏକ ହୀନ ଚକ୍ରାନ୍ତ ।