ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆସନ୍ତା ସପ୍ତାହରୁ ‘ଅଟେଇ ଜଙ୍ଗଲ ସଫାରୀ’ ବୁଲିପାରିବେ ପର୍ଯ୍ୟଟକ: ୱାଚ୍‌ ଟାୱାର, ମୟୂର ଭ୍ୟାଲି, ଦରଗଡ଼ିଶିଳା ଡ୍ୟାମ୍‌ ମୁଖ୍ୟ ଆକର୍ଷଣ

Published By : Prameya | December 5, 2024 11:38 AM

କେନ୍ଦୁଝର,୦୫/୧୨: ପର୍ଯ୍ୟଟକଙ୍କ  ପାଇଁ ନୂଆ ସମ୍ଭାବନା ହେବାକୁ ଯାଉଛି  ‘ଅଟେଇ ଜଙ୍ଗଲ ସଫାରୀ’ । ଆସନ୍ତା  ସପ୍ତାହ ଠାରୁ ଜଙ୍ଗଲ ସଫାରୀରେ ବୁଲିବାର ମଜା ପର୍ଯ୍ୟଟକ ଉଠାଇବାକୁ ଥିବା ବେଳେ  ଭିତ୍ତିଭୂମି ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ  ପହଞ୍ଚିଛି । କେନ୍ଦୁଝର ବନବିଭାଗ ପକ୍ଷରୁ  ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ନୂଆ  ପରିକଳ୍ପନା ପର୍ଯ୍ୟଟନ ମାନଚିତ୍ରରେ ଏକ  ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ।  ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ  ବାଘ ସହିତ ବିରଳ ପ୍ରଜାତିର ବନ୍ୟପ୍ରାଣୀ  ଚଳପ୍ରଚଳ କରୁଥିବାରୁ ସାଧାରଣ  ଲୋକଙ୍କୁ ଜଙ୍ଗଲ ଭିତରକୁ ପ୍ରବେଶ ପାଇଁ  ରହିଥିଲା କଟକଣା । ତେବେ ଜଙ୍ଗଲ  ସଫାରୀ ଅନୁଭୂତି ସାଉଁଟିବା ପାଇଁ ସ୍ୱତନ୍ତ୍ର  ଯାନରେ ପର୍ଯ୍ୟଟକ ବୁଲିବାକୁ ବନବିଭାଗ  ପକ୍ଷରୁ ବ୍ୟବସ୍ଥା ହୋଇଛି । ୱାଚ୍‌ ଟାୱାର ସହିତ ମୟୂର ଭ୍ୟାଲିରେ ପର୍ଯ୍ୟଟକ  ଅଧିକ ମଜା ଉଠାଇବେ । ଅଟେଇ ସଂରକ୍ଷିତ ଜଙ୍ଗଲରେ ୪୦ କିଲୋମିଟର  ଜଙ୍ଗଲ ସଫାରୀ ଗାଡିରେ ପରିଭ୍ରମଣର ମଜା ପର୍ଯ୍ୟଟକ ଉଠାଇବେ ବୋଲି  ବନବିଭାଗ ପକ୍ଷରୁ କୁହାଯାଇଛି।   

କେନ୍ଦୁଝର ବନଖଣ୍ଡର ଘଞ୍ଚ ଜଙ୍ଗଲ ଓ ବିଭିନ୍ନ ବିରଳ ବୃକ୍ଷଲତାରେ ପରିପୂର୍ଣ୍ଣ  ଅଟେଇ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ । କେନ୍ଦୁଝର ଜିଲ୍ଲାର ଅନେକ  ପର୍ଯ୍ୟଟନସ୍ଥଳୀ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ । ତେବେ  ମା’ ତାରିଣୀ ପୀଠ ଅନ୍ୟତମ ଆକର୍ଷଣୀୟ ସ୍ଥାନ । ପ୍ରତିଦିନ ହଜାର ହଜାର ଭକ୍ତ  ମା’ଙ୍କ ଦର୍ଶନ ଓ ମାନସିକ କାରଣରୁ ଘଟଗାଁକୁ ଆସିଥାନ୍ତି । ତେବେ ଘଟଗାଁ ପୀଠ  ସହିତ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଅଟେଇ ଜଙ୍ଗଲ ସଫାରୀ । ମା’  ତାରିଣୀଙ୍କ ପୀଠରେ ରହିବ ଏହି ସଫାରୀର ବୁକିଂ କାଉଣ୍ଟର । ସେଠାରେ ବୁକିଂ  କରିବା ପରେ ଜଙ୍ଗଲ ସଫାରୀ ଗାଡିରେ ମୁର୍ଗାପାହାଡ଼ି ଠାରୁ କଦାବାହାଳି ପର୍ଯ୍ୟନ୍ତ  ୪୦ କିମି ଦୂରତ୍ୱ ଜଙ୍ଗଲ ବୁଲିବାର ବ୍ୟବସ୍ଥା  କରାଯାଉଛି । ଏହାସହିତ ଦରଗଡିଶିଳାର  ମନୋରମ ଡ୍ୟାମ୍‌, ଜଙ୍ଗଲ ମଧ୍ୟରେ ୱାଚ୍‌  ଟାୱାର, ମୟୂର ଭ୍ୟାଲି, ଜଳପ୍ରପାତ, ବାଘକୁ  କିଭଳି ନିୟନ୍ତ୍ରଣ କରାଯାଉଛି, ଗଛରେ  କିଭଳି କ୍ୟାମେରା ଲଗା ଯାଇଛି ପ୍ରଭୃତି ବୁଲି  ଦେଖାଇବ ବନବିଭାଗ । ହରିଣ, ଗୟଳ, ସମ୍ବର ଆଦି ବିରଳ ପ୍ରଜାତିର ବନ୍ୟପ୍ରାଣୀ  ଦେଖିବାର ସୁଯୋଗ ମିଳିବ । ଏହି ଜଙ୍ଗଲରେ  ଅନେକ ଔଷଧୀୟ ଓ ବିରଳ ଗୁଳ୍ମ, ବୃକ୍ଷ  ରହିଥିବାରୁ ପର୍ଯ୍ୟଟକମାନେ ଗଛକୁ ଚିହ୍ନିବା  ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଗଛରେ  ନାମଫଳକ ବା କେଉଁ ପ୍ରଜାତିର ଗଛ ତାହା  ସୂଚିତ କରାଯିବ । ଜଙ୍ଗଲ ସଫାରୀ ପାଇଁ  ୩ଟି ସ୍ୱତନ୍ତ୍ର ଯାନ ସ୍ୱତନ୍ତ୍ର ଡିଜାଇନ୍‌ରେ ପ୍ରସ୍ତୁତ  କରାଯାଇଛି । 

୨ଟି ଗାଡିରେ ୧୨ ଜଣ ପର୍ଯ୍ୟଟକ  ବୁଲିବା ମଜା ଉଠାଇବେ ଏବଂ ଗୋଟିଏ ବଡ଼  ଗାଡ଼ିରେ ୨୦ ଜଣ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା ରହିଛି । ଜଙ୍ଗଲ ସଫାରୀ ବୁଲିବା  ପାଇଁ ସର୍ବନିମ୍ନ ଶୁଳ୍କ ବନବିଭାଗ ନିକଟରେ ପର୍ଯ୍ୟଟକ ଜମା କରିବେ । ଏହାସହିତ  ଟ୍ରି ହାଉସ, ଶୌଚାଳୟ ଏବଂ ପ୍ରବେଶ ପଥରେ ଥିବା ଫାଟକ ନିକଟରେ ଶୁଖିଲା  ଖାଦ୍ୟର ଷ୍ଟଲ୍‌ କରାଯାଇଛି । ସ୍ୱତନ୍ତ ତାଲିମପ୍ରାପ୍ତ ଗାଇଡ୍‌ମାନେ ପ୍ରତି ଗାଡିରେ  ପର୍ଯ୍ୟଟକଙ୍କୁ ନେଇ ଜଙ୍ଗଲ ବୁଲାଇବା ପରେ ପୁଣି ନେଇ ଘଟଗାଁରେ ଛାଡିବେ ।  ପ୍ରତି ଯାତ୍ରା ପାଇଁ ୨ ଘଣ୍ଟାରୁ ୩ ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରାଯାଇଛି ।  ପର୍ଯ୍ୟଟକମାନଙ୍କ ପାଇଁ ୩ଟି ୱାଚ୍‌ ଟାୱାର ନିର୍ମାଣ କରାଯାଇଛି । ଏହାସହିତ ଏକ  ଭିଉ ପଏଣ୍ଟରେ ସମଗ୍ର ଅଟେଇ ଜଙ୍ଗଲକୁ ଦେଖିବାର ବ୍ୟବସ୍ଥା କରାଯାଇଛି ।   

ଏ ସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ ଡି କୁହନ୍ତି, ଘଟଗାଁ ଠାରୁ  ଜଙ୍ଗଲ ସଫାରୀ ଯାତ୍ରା ଆରମ୍ଭ ହେବ । ଏଥିନେଇ ତାରିଣୀ ମନ୍ଦିର ପରିସରରେ  ଏକ ବୁକିଂ କାଉଣ୍ଟର ଖୋଲିବ । ପର୍ଯ୍ୟଟକମାନେ ଘଞ୍ଚ ଜଙ୍ଗଲ ବୁଲି ପ୍ରକୃତିକୁ  ଉପଭୋଗ କରିବାକୁ ଏହି ଯୋଜନା କରାଯାଉଛି ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.