କେନ୍ଦୁଝର ସଦର,୨୧/୧୧ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ଟିକରପଡ଼ା ଗ୍ରାମର ସ୍ବର୍ଗତ ଶତ୍ରୁଘ୍ନ ବେହେରାଙ୍କ ଜ୍ୟେଷ୍ଠ କନ୍ୟା ଦିବ୍ୟାଙ୍ଗ ଭାନୁମତୀ ବେହେରା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଭାନୁମତୀ ଗତ ୧୫ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ଜାତୀୟ ସ୍ତର ପାରା ସନ୍ତରଣ କ୍ରୀଡ଼ା ୨୦୨୫ -୨୬ରେ ଅଂଶଗ୍ରହଣ କରି ୫୦ମିଟରରେ ସିଲଭର ଏବଂ ୧୦୦ମିଟରରେ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି । ଭାନୁମତିର ଏହି ସଫଳତା ପାଇଁ ଭବ୍ୟ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ଓଭରବ୍ରିଜଠାରୁ ନିଜ ଗ୍ରାମ ଟିକରପଡ଼ା ପର୍ଯ୍ୟନ୍ତ ଆଦିବାସୀ ନୃତ୍ୟ ସଙ୍ଗୀତ ତାଳେତାଳେ ପାଛୋଟି ନେଇଥିଲେ। ଉତ୍ସବରେ ଧତିକା, ଟିକରପଡ଼ା, ମହାଦେଯୋଡ଼ା, କାଦଗୋଡ଼, ରଥମରା, ଆମ୍ବଡହରା, କୁଡିଆଘେରା, ବରଦାପାଳ, ରାଇସୁଆଁ, ଦନାପୁର ଆଦି ଗ୍ରାମର ଶତାଧିକ ମହିଳା ପୁରୁଷଠାରୁ ଆରମ୍ଭ କରି ସାଙ୍ଗସାଥି ଯୋଗଦେଇଥିଲେ । ଅଞ୍ଚଳର ବିଶ୍ଵନାଥ ଗିରୀ, ମନୋରଂଜନ ସାହୁ, ସନ୍ତୋଷ ବେହେରା, ନବକିଶୋର ବେହେରା, ଡମ୍ବରୁଧର ବେହେରା, ବୁଲୁ ସାହୁ, ରାମିଆ ମାଝୀ, ଗୋପବନ୍ଧୁ ବେହେରା, ରମେଶ ବେହେରା, ଟୁଲୁ ବେହେରା ପ୍ରମୁଖ ସ୍ଵାଗତ ଉତ୍ସବ ଆୟୋଜନ କରିଥିବାରୁ ଭାନୁମତି ହୃଦୟରୁ ଧାନବାଦ ଅର୍ପଣ କରିଛନ୍ତି ।
ଭାନୁମତି କୁହନ୍ତି ଜିଲ୍ଲାରେ ସନ୍ତରଣଗାର ନ ଥିବାରୁ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିବା ପାଇଁ ଅନ୍ୟ ଜିଲ୍ଲାକୁ ଯିବାକୁ ପଡୁଛି। ସେଠାରେ ରହିବା ଖାଇବା ଯିବା ଆସିବାରେ ବହୁ ଖର୍ଚ୍ଚ ହେଉଛି । ଏଣେ ନିଜ ପାଖରେ ଅର୍ଥ ଅଭାବ ରହିଛି । ଏପରି ସ୍ଥଳେ ଜଣେ ଦିବ୍ୟାଙ୍ଗ ପ୍ରତି ସଫଳତା ହାସଲ କରିବା ବହୁ କଷ୍ଟ ଦାୟକ ହେଉଛି । କେନ୍ଦୁଝର ଜିଲ୍ଲାରେ ଡିଏମଫରେ ଟଙ୍କା ଗଚ୍ଛିତ ହୋଇ ରହିଛି । ହେଲେ ଦୂର ଦୃଷ୍ଟି ଅଭାବରୁ ଆଜି ବହୁ ପ୍ରତିଭା ବିଭିନ୍ନ କ୍ଷେତ୍ରରୁ ବଞ୍ଚିତ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କ୍ରୀଡ଼ାର ବିକାଶ କରିବାକୁ ହେଲେ ଭିତ୍ତିଭୂମିର ଆବଶ୍ୟକତା ଏବଂ ଟଙ୍କା ସଠିକ୍ ବିନିଯୋଗ ହେଲେ ଏ ଜିଲ୍ଲାରୁ ବହୁ ସଂଖ୍ୟକ ଖେଳାଳି ସୃଷ୍ଟି ହେବା ସମ୍ଭବ ହୋଇପାରିବ ବୋଲି କହିବା ସହ ଜିଲ୍ଲା ପ୍ରଶାସନ ଆର୍ଥିକ ସହାୟତା ସହଯୋଗ କଲେ ମୁଁ ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିପାରିବି ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି । ଆସନ୍ତା ଦୁଇ ମାସ ପରେ ଦିଲ୍ଲୀଠାରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ହେବାର ଅଛି । ସେଥିରେ ଭାନୁମତି ଭାଗନେବେ । ତେଣୁ ପ୍ରସ୍ତୁତ ପାଇଁ ଅନ୍ୟ ଜିଲ୍ଲାରେ ରହିବାକୁ ପଡ଼ିବ । ତେଣୁ ଅର୍ଥର ଅଭାବ ଥିବାରୁ ଚିନ୍ତିତ ଅଛନ୍ତି ବୋଲି କହିଛନ୍ତି ଭାନୁମତି।