ନୂଆଦିଲ୍ଲୀ, ୨୧/୦୧ : ଦୋଷ ନଥାଇ ବି ଦୋଷୀ ସଜେଇ ଦେଲା ସୋସିଆଲ୍ ମିଡିଆ। ଭାଇରାଲ୍ ଭିଡିଓ ନେଲା ଜୀବନ। ସୋସିଆଲ୍ ମିଡିଆ... କାହା ପାଇଁ ମଜା ତ କାହା ପାଇଁ ସଜ୍ଜା। କିଏ ଭାଇରାଲ୍ ହେବାକୁ ଇଜତ ମହତ ସାରୁଛନ୍ତି... ଆଉ କେହି ମାନହାନୀ ଭୟରେ ଜୀବନ ହାରୁଛନ୍ତି। କେରଳର କୋଝିକୋଡେ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି। ଜଣେ ଯୁବକଙ୍କ ବିରୋଧରେ ଜଣେ ମହିଳା ବ୍ଲଗର ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଉକ୍ତ ଯୁବକ ଜଣଙ୍କ ଜୀବନ ହାରିଛନ୍ତି। ଏହି ଘଟଣା ପରେ ମୃତକଙ୍କ ପରିବାର ନ୍ୟାୟ ଦାବିରେ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଏହି ଘଟଣାରେ ଏବେ ତଦନ୍ତ ଜୋରଦାର୍ କରିଛି। 

ଅଭିଯୋଗ ଅନୁଯାୟୀ, କେରଳ କୋଝିକୋଡେ ଜିଲ୍ଲାର ୪୨ ବର୍ଷୀୟ ଦୀପକ ଗୋଟିଏ ଡ୍ରେସ୍ ଦୋକାନରେ କାମ କରୁଥିଲେ। ଶୁକ୍ରବାର ସେ ବସ୍ ରେ କନ୍ନୁର ଅଭିମୁଖେ ଯାଉଥିଲେ। ସେହି ବସ୍ ରେ ଅନୟ ଜଣେ ମହିଳା ବ୍ଲଗର ଯାତ୍ରା କରୁଥିଲେ। ଦୀପକ ତାଙ୍କୁ ବସ୍ ଭିତରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ। ଏପରିକି ମହିଳା ଜଣଙ୍କ ଦୀପକଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦେଖୁ ଦେଖୁ ଏହି ଭିଡିଓ ଭାଇରାଲ୍ ହୋଇଗଲା। ସମସ୍ତେ ଦୀପକଙ୍କୁ ସମାଲୋଚନା କଲେ। ଏନେଇ ଦୀପକ ଜାଣିବା ବେଳକୁ ଭିଡିଓରେ ପ୍ରାୟ ୨୦ ଲକ୍ଷ ଭିଉ ଯାଇ ସାରିଥିଲା। ସୋସିଆଲ ମିଡିଆ ତାଙ୍କୁ ଦୋଷୀ ସଜେଇ ସାରିଥିଲା। ଦୀପକଙ୍କ ଚରିତ୍ର ସଂହାର ହୋଇସାରିଥିଲା। ଏଥିରେ ଦୀପକ ଭାଙ୍ଗି ପଡ଼ିଥିଲେ। ଖିଆ ପିଆ ଛାଡ଼ି ଦେଇଥିଲେ। ଶେଷରେ ସେ ମୃତ୍ୟୁ ଭଳି ଚରମ ନିଷ୍ପତ୍ତି ନେଇଥିଲେ। ରବିବାର ସକାଳର ସୂର୍ଯ୍ୟ ଦୀପକଙ୍କ ଘରଲୋକଙ୍କ ପାଇଁ ଅସ୍ତ ହୋଇଯାଇଥିଲା। 

ପୁଲିସ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୭ଟା ବେଳେ ଦୀପକ ନଉଠିବାରୁ ତାଙ୍କ ଘର ଲୋକ କବାଟ ବାଡେଇଥିଲେ। କିଛି ଉତ୍ତର ନମିଳିବାରୁ ପାଖ ପଡୋଶୀଙ୍କୁ ଡାକି କବାଟ ଭାଙ୍ଗିଥିଲେ। ହେଲେ ସେତେବେଳକୁ ଦୀପକଙ୍କ ମୃତ୍ୟୁ ହୋଇସାରିଥିଲା। ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ପରିବାର ଲୋକ ଥାନାର ଦ୍ଵାରସ୍ଥ ହୋଇଥିଲେ। ଉକ୍ତ ମହିଳା ବ୍ଲଗରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ବୟାନ ରେକର୍ଡ ହୋଇଛି।

ଆଜି କାଲି ସୋସିଆଲ ମିଡିଆରେ ଭାଇରାଲ୍ ହେବା ନିଶା ସମସ୍ତଙ୍କୁ ଘାରିଛି। ହେଲେ ଏଥିପାଇଁ ସୋସିଆଲ ମିଡିଆରେ କାହାର ଗୋପନୀୟତାକୁ ହନନ କରିବା କେତେ ଦୂର ଠିକ୍ ?