ତିରୁଅନନ୍ତପୁରମ,୧୮/୧୧: ରାସ୍ତାରେ ଆମ୍ବୁଲାନ୍ସକୁ  ବାଟ ନଛାଡିବା ଘଟଣାରେ କେରଳ ପୁଲିସ ଜଣେ କାର୍‌ ଚାଳକଙ୍କ  ଉପରେ ୨ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା କରିବା ସହ ତାଙ୍କ ଲାଇସେନ୍ସକୁ ରଦ୍ଦ କରିଛି । ତ୍ରିସୁର ଜିଲ୍ଲା ଚଲାକୁଡି ଅଞ୍ଚଳରେ ଗତ  ୭ ତାରିଖରେ ଏହି ଘଟଣା ଘଟିଥିଲା । 

ଆମ୍ବୁଲାନ୍ସଟି ପୋନ୍ନାନିରୁ ରୋଗୀଙ୍କୁ ଧରି ତ୍ରିସୁର ମେଡିକାଲ କଲେଜକୁ ଆସୁଥିଲା । ରାସ୍ତାରେ  ଆମ୍ବୁଲାନ୍ସ ଆଗରେ ଏକ ସିଲଭର ରଙ୍ଗର କାର୍‌ ଯାଉଥିଲା । ୨  ଲେନ୍‌ ବିଶିଷ୍ଟ ଏହି ରାସ୍ତାରେ ଆମ୍ବୁଲାନ୍ସ ଚାଳକ ସାଇରନ ବଜାଇବା ସହ ହର୍ଣ୍ଣ ବଜାଇ କାର୍‌ ଚାଳକଙ୍କୁ ବାଟ ଛାଡିବାକୁ ସଙ୍କେତ ଦେଇଥିଲେ । ହେଲେ ସେ ବାଟ ଛାଡିନଥିଲେ । ବରଂ ଆମ୍ବୁଲାନ୍ସଟି  ଓଭରଟେକ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ କାର୍‌ ଚାଳକ ବାଟ ଦେଇନଥିଲେ । ଆମ୍ବୁଲାନ୍ସରେ ଥିବା ଡାସକ୍ୟାମେରାରେ ଏହାର ଦୃଶ୍ୟ  ରେକର୍ଡିଂ ହୋଇଥିଲା । ପରେ ପୁଲିସ ଏହି ଭିଡିଓ ଆଧାରରେ କାର୍‌କୁ ଚିହ୍ନଟ କରିବା ସହ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।