ନୂଆଦିଲ୍ଲୀ,୨୮/୦୨: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍‌ ପିଟରସନ୍‌ ଆଗାମୀ  ଆଇପିଏଲ୍‌-୧୮ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ନିଯୁକ୍ତ ହୋଇଛନ୍ତି । ଫ୍ରାଞ୍ଚାଇଜ ପକ୍ଷରୁ ଅଫିସିଆଲ୍‌ ସୋସିଆଲ୍‌ ମିଡିଆ ‘ଏକ୍ସ’ ପୃଷ୍ଠାରେ ଏ ବିଷୟ ଘୋଷଣା କରାଯାଇଛି । ସେ ପ୍ରଥମ ଥର କୌଣସି ଆଇପିଏଲ୍‌ ଦଳର କୋଚ ଭାବେ କାର୍ଯ୍ୟ  କରିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ ରହିଛନ୍ତି ।  ଏଥର ସମ୍ପୂର୍ଣ୍ଣ ଏକ ନୂଆ କୋଚିଂ ଟିମ୍‌ ସହ ଦିଲ୍ଲୀ  କ୍ୟାପିଟାଲ୍ସ ଅଭିଯାନ ଆରମ୍ଭ କରିବାକୁ ଯାଉଛି ।  ପୂର୍ବରୁ ହେମାଙ୍ଗ ବଦାନି ମୁଖ୍ୟ କୋଚ୍‌, ମାଥ୍ୟୁ  ମୋଟ୍‌ ସହକାରୀ କୋଚ, ବେଣୁଗୋପାଳ ରାଓ  ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ । ଏମାନଙ୍କ ସହ  ୪୪ବର୍ଷିୟ ପିଟରସନ୍‌ ଯୋଗ ଦେବେ ।  

ପିଟରସନ୍‌ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୩ଟି  ଦଳ ପକ୍ଷରୁ ଆଇପିଏଲ୍‌ ଖେଳିଥିଲେ । ସେ ମୋଟ  ୩୬ଟି ମ୍ୟାଚ୍‌ ଖେଳି ୧୩୪.୭୨ ଷ୍ଟ୍ରାଇକ୍‌ ରେଟ୍‌ରେ  ମୋଟ ୧୦୦୧ ରନ୍‌ କରିଥିଲେ । ସେ ୨୦୦୯ରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ପଦାର୍ପଣ  କରିଥିଲେ । ଏହି ସଂସ୍କରଣରେ ସେ ଦଳର  ନେତୃତ୍ୱ ନେଇଥିଲେ । ୨ଟି ସିଜନ ଖେଳିବା ପରେ  ୨୦୧୨ରେ ଦିଲ୍ଲୀ ଡେୟାରଡେଭିଲ୍ସ (ଏବେ ଦିଲ୍ଲୀ କ୍ୟାପିଟାଲ୍ସ) ସହ ଯୋଗ ଦେଇଥିଲେ । 

୨୦୧୪  ସଂସ୍କରଣରେ ସେ ଦଳର ନେତୃତ୍ୱ ନେଇଥିଲେ ।  ପରବର୍ତ୍ତୀ ସିଜନ ପୂର୍ବରୁ ଡେୟାରଡେଭିଲ୍ସ ତାଙ୍କୁ  ଦଳରୁ ମୁକ୍ତ କରିଥିଲା ଏବଂ ସେ ସନ୍‌ରାଇଜର୍ସ  ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । ପିଟରସନ୍‌  ୧୦୪ଟି ଟେଷ୍ଟ ଖେଳି ୮,୧୮୧ (୨୩ଶତକ,  ୩୫ଅର୍ଦ୍ଧଶତକ) ରନ୍‌ କରିଥିବାବେଳେ ୧୩୬ଟି  ଦିନିକିଆରୁ ୪୪୪୦ରନ୍‌ ଏବଂ ୩୭ଟି ଟି-ଟ୍ୱେଣ୍ଟିରୁ  ୧୧୭୬ରନ୍‌ କରିଥିଲେ । ୨୦୧୪ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ  (ବର୍ତ୍ତମାନ କ୍ୟାପିଟାଲ୍ସ) ଦଳର ନେତୃତ୍ୱ  ନେଇଥିଲେ । ସେହିବର୍ଷ ତାଙ୍କ ନେତୃତ୍ୱାଧୀନ  ଦଳ ମାତ୍ର ୨ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର  ଅନ୍ତିମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ।  

ସୂଚନାଯୋଗ୍ୟ, ଗତ ସିଜନରେ ଦିଲ୍ଲୀ  କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ  ରହିଥିଲା । ଦଳ ଷଷ୍ଠ ସ୍ଥାନରେ ରହି ଅଭିଯାନ  ଶେଷ କରିବା ପରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ସମ୍ପୂର୍ଣ୍ଣ  କୋଚିଂ ୟୁନିଟ୍‌କୁ ବହିଷ୍କାର କରାଯାଇଥିଲା ।  ରିକି ପଣ୍ଟିଂ ମୁଖ୍ୟ କୋଚ୍‌ ଓ ସୌରଭ ଗାଙ୍ଗୁଲି ମେଣ୍ଟର ରହିଥିଲେ। ଏଥର ସର୍ବାଧିକ ଅର୍ଥ  ସହ ଦିଲ୍ଲୀ କ୍ୟାପିଟାଲ୍ସ ମେଗା ନିଲାମରେ  ସାମିଲ ହୋଇଥିଲା । ଏଥର ଫ୍ରାଞ୍ଚାଇଜ୍‌ କେଏଲ ରାହୁଲ, ହ୍ୟାରୀ ବ୍ରୁକ୍‌, ଫାଫ ଡୁ ପ୍ଲେସି, ମିଚେଲ  ଷ୍ଟାର୍କଙ୍କ ଭଳି ଖେଳାଳିଙ୍କୁ କିଣିଛି । ଖୁବ୍‌ଶୀଘ୍ର ଅଧିନାୟକ ନିଯୁକ୍ତ କରାଯିବ ବୋଲି ଜଣା ପଡ଼ିଛି ।