ଭୁବନେଶ୍ଵର, ୧୪/୦୭ : କେଜି ରୁ ପିଜି ମାଗଣା ଶିକ୍ଷା ନେଇ ଦ୍ଵନ୍ଦ୍ଵ ଦୂର କଲେ ସରକାର। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆସିଲା ଏସଓପି। ଆର୍ଥିକ ଅନଗ୍ରସରତା ପାଇଁ କେହି ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ। କଲେଜ ନିଜ ମନଇଚ୍ଛା ଫି ବଢାଇ ପାରିବେନି। ପ୍ରଥମ ରାଉଣ୍ଡ ଆଡମିଶନ୍ ରେ ଯେଉଁ ପିଲାମାନେ ଫି ଦେଇସାରିଛନ୍ତି ସେମାନଙ୍କୁ ରିଫଣ୍ଡ ହେବ। ଏବର୍ଷ ରି-ଆଡମିଶନ ସାମ୍ସ ମାଧ୍ୟମରେ କରାଯିବ। ଯେଉଁ ଆକାଉଣ୍ଟ ରୁ ଟଙ୍କା ଆସିଛି, ସେହି ଆକାଉଣ୍ଟକୁ ଟଙ୍କା ଫେରିଯିବ। ଏହାଦ୍ଵାରା କୌଣସି କଲେଜ ଉପରେ ଆର୍ଥିକ ଚାପ ପଡ଼ିବନି। ସରକାର ସମସ୍ତ ସହାୟତା ଯୋଗାଇ ଦେବେ। କଲେଜମାନଙ୍କୁ ପ୍ରତି ଶିକ୍ଷାବର୍ଷରେ କିସ୍ତି ହିସାବରେ ପିଲାଙ୍କ ଟଙ୍କା ଦିଆଯିବ। ଆଡମିଶନ୍ ପରେ ୧୦ %ପ୍ରତିଶତ, ଦ୍ୱିତୀୟରେ ୧୫%, ଓ ଏହାପରେ ୨୫, ୨୫ ଓ ୨୫ପ୍ରତିଶତ ଭାବେ ଟଙ୍କା ପ୍ରଦାନ କରାଯିବ।
ସେହିପରି ମାଗଣା ଶିକ୍ଷାର ଅନ୍ତର୍ଭୁକ୍ତ ହେବା ପାଇଁ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ସର୍ତ୍ତାବଳୀ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ। କୌଣସି ପରିସ୍ଥିତିରେ କୋହଳ କରାଗଲେ ସର୍ବନିମ୍ନ ୬୫% ଉପସ୍ଥାନ ବାଧ୍ୟତାମୂଳକ। ନହେଲେ ଏହି ଯୋଜନାରୁ ଛାତ୍ରଛାତ୍ରୀ ବାଦ୍ ପଡ଼ିବେ। ଛାତ୍ରଛାତ୍ରୀମାନେ ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (SAMS) ମାଧ୍ୟମରେ ଏକ ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନିୟମିତ ସ୍ନାତକ ବା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଥିବା ଦରକାର। ସ୍ନାତକ (U.G.) କିମ୍ବା ସ୍ନାତକୋତ୍ତର (P.G.) ପାଠ୍ୟକ୍ରମରେ ପ୍ରଥମ ଥର ପାଇଁ ନାମଲେଖା ଏବଂ ପରବର୍ତ୍ତୀ ପୁନଃ-ନାମଲେଖା (re-admission) ପାଇଁ ଉପଲବ୍ଧ ହେବ। ନାମଲେଖା, ପୁନଃ ନାମଲେଖା ସମୟରେ ଶିକ୍ଷାନୁଷ୍ଠାନ ଦ୍ୱାରା ଆଦାୟ କରାଯାଉଥିବା ଅନ୍ୟ ଯେକୌଣସି ଶୁଳ୍କ ଅନ୍ତର୍ଭୁକ୍ତ ହେବ ତାହା ପିଲାମାନେ ଦେବେ ନାହିଁ। କେବଳ ପରୀକ୍ଷା ଫି ପିଲାଙ୍କୁ ଦେବାକୁ ପଡିବ।
ତେବେ ହଷ୍ଟେଲ ଫି ଏହି ଯୋଜନାରେ ଅନ୍ତର୍ଭୁକ୍ତ ନୁହେଁ। ଛାତ୍ରୀଛାତ୍ରମାନେ ହଷ୍ଟେଲରେ ରହିବାକୁ ହେଲେ ସେମାନଙ୍କୁ ସେ ବାବଦରେ ଦେୟ ଦେବାକୁ ପଡିବ। ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍ ଦିଆଯାଇଛି। ସେହିପରି କୌଣସି କଲେଜ ମନଇଚ୍ଛା ଫି ବଢାଇ ପାରିବେନି। କୌଣସି ଶିକ୍ଷାନୁଷ୍ଠାନ (ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ) ଜ୍ଞାନୋଦ୍ୱୟ ଯୋଜନା ଅନ୍ତର୍ଭୁକ୍ତ ନିୟମିତ ପାଠ୍ୟକ୍ରମଗୁଡିକର ଫି ପରିବର୍ତ୍ତନ ବା ସଂଶୋଧନ କରିପାରିବେ ନାହିଁ। ଜରୁରୀ ପରିସ୍ଥିତିରେ ଶିକ୍ଷାନୁଷ୍ଠାନ ଫି ନିୟନ୍ତ୍ରଣ କମିଟିକୁ ଫି ସଂଶୋଧନ ପାଇଁ ପ୍ରସ୍ତାଦ ଦେଇପାରିବେ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।..
ଆହୁରି ପଢନ୍ତୁ- Free education : ଚିନ୍ତା ବଢ଼ାଇଲା କେଜିରୁ ପିଜି ମାଗଣା ପାଠପଢ଼ା, କେମିତି ହେବ କଲେଜ ରକ୍ଷଣାବେକ୍ଷଣ ? ଅତିଥି ଅଧ୍ୟାପକଙ୍କୁ ଦରମା ଦେବ କିଏ ?