ପୁରୀ,୨୫/୦୨: ବାଲିସାହିରେ ଖଜା  ବ୍ୟବସାୟରୁ ଆକ୍ରମଣ ମାମଲାରେ ଆଉ ଜଣକୁ  ଗିରଫ କରିଛି ଟାଉନ୍‌ ଥାନା ପୁଲିସ । ଅଭିଯୁକ୍ତ ଜଣକ ହେଲା ଖଜା ବ୍ୟବସାୟୀ  କାଳୀକାଦେବୀ ସାହିର ମୂଷା  ସ୍ୱାଇଁର ଜ୍ୱାଇଁ ଚନ୍ଦନପୁର  ଥାନା ଅଧୀନ ଉତ୍ତରହଣା ମଠସାହିର ଟୁଲୁ ପ୍ରଧାନ  (୪୨) । ସେ କେରାଣ୍ଡିପୁର ପଞ୍ଚାୟତର ସରପଞ୍ଚଙ୍କ  ସ୍ୱାମୀ ବୋଲି ପୁଲିସ କହିଛି । ସୋମବାର ଦୋବନ୍ଧା  ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବାଣ୍ଟୁଥିବାବେଳେ  ତାକୁ ପୁଲିସ ବାନ୍ଧିଛି । ଗିରଫ ଅଭିଯୁକ୍ତ ଟୁଲୁକୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଥିବା  ପୁଲିସ କହିଛି । ଟୁଲୁ ତା’ ଶ୍ୱଶୁର ମୂଷା ପାଖରେ  ରହି ଖଜା ବ୍ୟବସାୟ କରୁଥିବାବେଳେ ଆକ୍ରମଣ  ପରେ ଗାଁକୁ ପଳାଇଥିଲା ବୋଲି ପୁଲିସ କହିଛି ।  ପୂର୍ବରୁ ଏହି ମାମଲାରେ ମୂଷା ପୁତୁରା ବାଲିସାହି  ସିଦ୍ଧବକୁଳ ଲେନ୍‌ର ରାଜା ସ୍ୱାଇଁ (୨୭)କୁ ଗିରଫ  କରିଥିଲା ପୁଲିସ । ଆକ୍ରମଣର ଶିକାର ଆହତ  ବାଲିସାହି ସିଦ୍ଧବକୁଳ ଲେନ୍‌ର ଈଶ୍ୱର ସିଂହ  (୫୩) ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । 

ଖବର ଅନୁସାରେ ଈଶ୍ୱର ଓ ମୂଷା ଦୁଇ ଜଣ  ଖଜା ବ୍ୟବସାୟୀ । ଉଭୟଙ୍କ ବାଲିସାହି ସ୍ଥିତ ବୁଢ଼ୀମା’ ମନ୍ଦିର ପାଖରେ ୨ଟି ଖଜା ଦୋକାନ ରହିଛି । ବ୍ୟବସାୟକୁ କେନ୍ଦ୍ର କରି ୨  ଦୋକାନୀଙ୍କ ମଧ୍ୟରେ ବିବାଦ ଲାଗି  ରହିଥିଲା । ଗତ ୧୮ ତାରିଖରେ  ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡ଼ା  ଲାଗିଥିଲା । ମୂଷା, ତା’ ପୁଅ ଅଭୟ ସ୍ୱାଇଁ, ପୁତୁରା  ରାଜି ଓ ଜ୍ୱାଇଁ ଟୁଲୁ ଉତ୍‌କ୍ଷିପ୍ତ ହୋଇ ଈଶ୍ୱରଙ୍କୁ  ଆକ୍ରମଣ କରିଥିଲେ । ଷ୍ଟିଲ୍‌ ଚେୟାର୍‌ରେ ପିଟି  ଈଶ୍ୱରଙ୍କୁ ରକ୍ତାକ୍ତ କରିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ  ସ୍ଥାନାନ୍ତର କରାଯାଇଥିଲା । ଏନେଇ ଈଶ୍ୱରଙ୍କ ପୁଅ  କୃଷ୍ଣଚନ୍ଦ୍ର ସିଂହ ଏତଲା ଦେଇଥିଲେ । ପୁଲିସ ମାମଲା  ରୁଜୁ କରିଥିବାବେଳେ ଏସ୍‌ଆଇ ମୌମ୍ୟରଞ୍ଜନ ଜେନା  ତଦନ୍ତ ଦାୟିତ୍ୱ ନେଇଥିଲେ । ଗତ ୧୯ ତାରିଖରେ  ରାଜାକୁ ଗିରଫ ହୋଇଥିଲା । ୨୦ ତାରିଖରେ ତାକୁ  କୋର୍ଟ ଚାଲାଣ କରାଯାଇଥିଲା । ରାଜା ଓ ଟୁଲୁ ଏବେ  ଜେଲ୍‌ରେ ଥିବାବେଳେ ମୂଷା ଓ ଅଭୟ ଫେରାର୍‌  ଥିବା କହିଛନ୍ତି ଆଇଆଇସି ଗୋକୁଳ ରଞ୍ଜନ ଦାସ ।