ବ୍ରହ୍ମପୁର, ୫/୧୨: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଛାତ୍ର ତଥା ଏନସିସି ସିନିଅର୍ ଅଣ୍ଡର୍ ଅଫିସର୍ ଅଜୟ କୁମାର ବେହେରା ପର୍ବତାରୋହଣ ପ୍ରଶିକ୍ଷଣ ପାଠ୍ୟକ୍ରମରେ ଅଂଶଗ୍ରହଣ କରି ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି। ଦକ୍ଷିଣ ଓ ଉତ୍ତର ସିକ୍କିମରେ ପ୍ରଚଣ୍ଡ ଥଣ୍ଡାରେ ପ୍ରଶିକ୍ଷଣ ସହ ୧୬,୭୬୦ ଫୁଟ ଉଚ୍ଚତା ବିଶିଷ୍ଟ ପର୍ବତାରୋହଣ କରି ସେ ରେକର୍ଡ କରିଛନ୍ତି। ସର୍ବଭାରତୀୟ ସ୍ତରରେ ୪୦ ଜଣ କ୍ୟାଡେଟଙ୍କ ଓଡ଼ିଶାରୁ ୫ ଜଣ ସାମିଲ ଥିଲେ। ଓଡ଼ିଶା ଦଳରେ ସାମିଲ ଅଜୟ ପ୍ରଥମେ ଦକ୍ଷିଣ ସିକ୍କିମରେ ତାଲିମ ନେଇଥିଲେ। ପରେ ଉତ୍ତର ସିକ୍କିମର ବରଫାବୃତ କାଞ୍ଚନଜଙ୍ଗା ଅଞ୍ଚଳକୁ ପ୍ରଶିକ୍ଷଣ ପାଇଁ ଯାଇଥିଲେ। ତା ପରେ ପର୍ବତାରୋହଣ କରି ସଫଳତା ପାଇଛନ୍ତି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳପତି ପାର୍ବତୀ ମଞ୍ଜରୀ ମହାଳିକ, ପିଜି କାଉନସିଲ ଅଧ୍ୟକ୍ଷ ଡଃ ମନୋଜ କୁମାର ପଟ୍ଟନାୟକ ଓ ଅନ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।