ଭୁବନେଶ୍ୱର ୦୧/୦୧: ପ୍ରସିଦ୍ଧ ଖଣ୍ଡଗିରି ମେଳା ଆସୁଛି । ମାଘ ସପ୍ତମୀରୁ ଆରମ୍ଭ ହେବ ମାଘମେଳା । ଏଥିସହ ଆରମ୍ଭ ହୋଇଯିବ ଖଣ୍ଡଗିରି ଯାତ୍ରା ମହସମର । ଯାତ୍ରା ପାଇଁ ଏବେ ଚାଲିଛି କମିଟି ମଧ୍ୟରେ କସରତ । କିଏ କେଉଁ ପାର୍ଟି ଆଣିବେ ତାହା ବି ଚୂଡାନ୍ତ ପର୍ଯ୍ୟାୟରେ । ପ୍ରାରମ୍ଭରେ ଯାତ୍ରା ପେଣ୍ଡାଲ ସଂଖ୍ୟା ବଢ଼ିବ ବୋଲି କୁହାଯାଉଥିବା ବେଳେ ପେଣ୍ଡାଲ ସଂଖ୍ୟା ସେହି ୬ରେ ସୀମିତ ରହିବ ବୋଲି ଜଣାପଡ଼ିଛି । ଏହା ଏକପ୍ରକାର ନିଶ୍ଚିତ ହୋଇଛି ।

ଚଳିତ ଖଣ୍ଡଗିରି ଯାତ୍ରା ମହାସମରରେ ଭାଗ୍ୟ ପରୀକ୍ଷା କରିବେ ମୋଟ ୧୨ଟି ଅପେରା ପାର୍ଟି । ସେଥିମଧ୍ୟରେ ଅଶୋକ ସମ୍ରାଟ, ତୁଳସୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଅପେରା ସୂର୍ଯ୍ୟମନ୍ଦିର, ଯାତ୍ରା ରାଣୀ ସିଂହବାହିନୀ, ଶିବାନୀ ଗଣନାଟ୍ୟ, ଅପେରା ସ୍ୱର୍ଣ୍ଣ ମହଲ, ରଙ୍ଗମହଲ, ନାଟ୍ୟମଣ୍ଡପ, ରାଜଦରବାର, ବିଶ୍ୱଦରବାର ଓ ନୂଆକରି ଗଢ଼ାଯାଇଥିବା ଶ୍ରୀମନ୍ଦିର ଭଳି ଆଗଧାଡ଼ିର ପାର୍ଟି ରହିଛନ୍ତି । ତେବେ ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲରେ ଅଶୋକ ସମ୍ରାଟ ଓ ତୁଳସୀ ଗଣନାଟ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବେ । ଘାଟିକିଆ ସନାତନ ସେବା ସଦନ ମଞ୍ଚରେ କୋଣାର୍କ ଓ ଅପେରା ସୂର୍ଯ୍ୟମନ୍ଦିର, ଜାଗମରା ଇନ୍ଦିରା ସାଂସ୍କୃତିକ ମଞ୍ଚରେ ସିଂହବାହିନୀ ଓ ଶିବାନୀ, ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ମଞ୍ଚରେ ସ୍ୱର୍ଣ୍ଣମହଲ ଓ ରଙ୍ଗମହଲ, ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ବିଶ୍ୱଦରବାର ଓ ଶ୍ରୀମନ୍ଦିର ଏବଂ ବରମୁଣ୍ଡା ବାବା ନୀଳକଣ୍ଠେଶ୍ୱର ଯାତ୍ରା କମିଟି ମଞ୍ଚରେ ନାଟ୍ୟମଣ୍ଡପ ଓ ରାଜଦରବାର ପାର୍ଟି ଯାତ୍ରା ପରିବେଷଣ କରିବେ । ସବୁ ଯାତ୍ରା ପାର୍ଟି ପର୍ଯ୍ୟାୟକ୍ରମେ ଯାତ୍ରା ପରିବେଷଣ କରିବେ ବୋଲି ବିଭିନ୍ନ କମିଟି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମକର ସଂକ୍ରାନ୍ତି ପରେ ପରେ ମଞ୍ଚ ବନ୍ଧା ଆରମ୍ଭ ହୋଇଯାଇଥିବ ବୋଲି ଜଣାପଡ଼ିଛି ।

ଅପରପକ୍ଷେ, ଦୀର୍ଘଦିନର ବିରତ ପରେ ଯାତ୍ରାମଞ୍ଚକୁ ପାଦ ରଖିଥିବା ଯୁବ ଅଭିନେତା ପୀୟୁଷ ତ୍ରିପାଠୀଙ୍କୁ ଏଥରକ ସିଂହବାହିନୀ ପାର୍ଟିରେ ଦେଖିବାକୁ ମିଳିବ । ଶ୍ରୀମନ୍ଦିରରେ ଅଭିନେତା କାହ୍ନା ସ୍ୱାଇଁ, ଶିବାନୀରେ ବରିଷ୍ଠ ଅଭିନେତା ଗୌର ଦାସ ଓ ତୁଳସୀରେ ଯୁବ ଖଳନାୟକ ସାଇଙ୍କୁ ଦେଖିବେ ଯାତ୍ରାପ୍ରେମୀ । ନୂଆ ବହି, ନୂଆ କଳାକାରକୁ ନେଇ ଏଥରକ ଯାତ୍ରା ମଞ୍ଚ ବେଶ୍ ରଙ୍ଗୀନ ହେବାକୁ ଯାଉଛି । ଏଥପରକ ତୁଳସୀ, ସିଂହବାହିନୀ, ରଙ୍ଗମହଲ, ଶ୍ରୀମନ୍ଦିର ଦର୍ଶକଙ୍କ ପସନ୍ଦ ତାଲିକାରେ ଅଛନ୍ତି । ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲର ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି, ଏଥରକ ଖଣ୍ଡଗିରିରେ ଦମଦାର ଯାତ୍ରା ପରିବେଷଣ ହେବ । ତୁଳସୀର ବହି ‘ଏଇ ବୋଧେ ଶେଷ ଦେଖା’ ଚର୍ଚ୍ଚାରେ ରହିଛି । ତେଣୁ ଦର୍ଶକମାନେ କଳାକାରଙ୍କୁ କେମିତି ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଛି ।