ଭୁବନେଶ୍ୱର,୩୦/୦୧: ଚାଲିଛି ଏକପ୍ରକାର ପ୍ରତିଯୋଗିତା । ଭୁବନେଶ୍ୱର ସହ କଟକ, ପୁରୀ, ନୟାଗଡ଼, ଯାଜପୁର, ଗଞ୍ଜାମ, ଏପରିକି ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆସୁଛନ୍ତି ଭକ୍ତ । କିଏ ଆଗେ ଭେଟିବ, କିଏ ପ୍ରଥମେ ପରାମର୍ଶ ନେବ ଏଥିପାଇଁ ସକାଳୁ ଆସି ଜଗୁଛନ୍ତି । ସନ୍ଧ୍ୟା ଓ ରାତିକୁ ଆସୁଛନ୍ତି ଭିଆଇପି । ଦାମୀ ଗାଡ଼ି ଆସି ଖଣ୍ଡଗିରି ପାହାଡ଼ ପାଦଦେଶରେ ଲାଗୁଛି । ଭିଆଇପିମାନେ ଆସି ସାଧୁଙ୍କୁ ଭେଟି ଭାଗ୍ୟ ଭବିଷ୍ୟତ ବୁଝୁଛନ୍ତି । ସାଧୁଙ୍କୁ ମୋଟା ଅଙ୍କର ଟଙ୍କା ବି ଦେଉଛନ୍ତି । ଖଣ୍ଡଗିରି ମାଘମେଳା ଅବସରରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳୁଛି ।

ମେଳାରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିର ସ୍ୱରୂପ ଦେଖିବାକୁ ମିଳୁଛି । ଯେଉଁମାନେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି ବୋଲି ନିୟମ କରିଥିଲେ, ସେମାନେ ଏବେ ଚୁପ୍ ବସିଛନ୍ତି। ପୁଲିସ ଓ ବିଏମସି ମଧ୍ୟ ଆଖି ବୁଜିଛି । ଚଳିତ ବର୍ଷ ମେଳାକୁ ଜଣେ ନାଗାବାବା ଆସିଛନ୍ତି । ତାଙ୍କ ବିଭୂତି ଖାଇଲେ ନିଃସନ୍ତାନ ଦମ୍ପତି ସନ୍ତାନ ଜନ୍ମ କରିବେ ବୋଲି ଦାବି କରିଛନ୍ତି। ସେହିପରି ଆଉ ଜଣେ ହେଲେ କଦଳୀ ବାବା । ଯିଏ କି ମନ୍ତୁରା କଦଳୀ ବାଣ୍ଟୁଛନ୍ତି । ମନ୍ତୁରା କଦଳୀ ଖାଇଲେ, ସବୁ ମନସ୍କାମନା ପୂରଣ ହେବ ବୋଲି ଦାବି କରୁଛନ୍ତି। ଏଭଳି କିଛି ସାଧୁଙ୍କ ପାଇଁ ପ୍ରକୃତ ସାଧୁ ଲୁଚିଯାଉଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ:- ଖଣ୍ଡଗିରି ମାଘ ମେଳାରେ ଗଞ୍ଜାକୁ ନେଇ ଚର୍ଚ୍ଚା: କୁକୁଡ଼ାଟି କେଉଁଠୁ ଆସିଛି, କିଏ ଆଣିଛି ଏବେ ବି ରହସ୍ୟ...

ଏହି ପ୍ରସଙ୍ଗ ଉପରେ ମେଳା ଆୟୋଜକ ଓ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର କର୍ମକର୍ତ୍ତା ଆଜି ଆଲୋଚନା କରିଛନ୍ତି । ପରିଷଦକୁ ଏ ସମ୍ପର୍କରେ କିଛି ସାଧୁ ଆସି ଅବଗତ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଭଣ୍ଡ ଓ ଅନ୍ଧବିଶ୍ୱାସ କି ଗୁଣିଗାରେଡ଼ିକୁ କିପରି ରୋକାଯିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବରୁ ଏନେଇ ବିଏମସିକୁ ଫେରାଦ ହୋଇଥିଲା । ଖଣ୍ଡଗିରିରେ କୌଣସି ଅପସଂସ୍କୃତିକୁ ପ୍ରବେଶ କରାଇ ଦିଆଯିବନି ବୋଲି ଏସଓପି ଆଣିବାକୁ ଦାବି ବି ହୋଇଥିଲା । ବିଏମସି ନିର୍ଦ୍ଦେଶାନାମା ମଧ୍ୟ ଜାରି କରିଥିଲା । ମାତ୍ର ଏହା କାର୍ଯ୍ୟକାରୀ ହେଉନି । ଆସନ୍ତାକାଲି ଏହା ଉପରେ ପୁଣିଥରେ ବୈଠକ ବସି ପୁଲିସ ଓ ବିଏମ୍ସି ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯିବ ବୋଲି ପରିଷଦର ଅଧ୍ୟକ୍ଷ ବାବା ପଞ୍ଚଦେବ କହିଛନ୍ତି ।