ସମ୍ବଲପୁର, ୦୨/୦୧: ଆଉ ରାସ୍ତା କଡ଼ରେ ଲାଗିବନି ଗହଳି । ଟ୍ରାଫିକ୍ ଜାମ୍ରୁ ମିଳିବ ମୁକ୍ତି । ରାସ୍ତା କଡ଼ରେ ଥିବା ଫୁଡ୍ଷ୍ଟଲ୍ ଏବେ ସ୍ଥାନାନ୍ତର ହେବ । ଗୋଟିଏ ସ୍ଥାନରେ ଭଳକିଭଳି ଖାଇବା ମିଳିବ । ଏଥିପାଇଁ ସମ୍ବଲପୁର ମହାନଗର ନିଗମ କଟକ, ଭୁବନେଶ୍ୱର ଭଳି ‘ଖାଓଗଲି’ ଖୋଲିବ । ଜେଲଛକ ନିକଟରୁ ମ୍ୟୁନିସପାଲଟି ଛକକୁ ଯାଇଥିବା ରାସ୍ତାରେ ବିରାଟ ‘ଖାଓଗଲି’ ଖୋଲାଯିବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଉ ସପ୍ତାହେ ମଧ୍ୟରେ ଏହାକୁ ଉଦଘାଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଏସଏମ୍ସି ଡେପୁଟି କମିଶନର ଶୁଭଦୀପ୍ତା ମହାନ୍ତି ।
ଦ୍ୱେତ ନଗରୀ ସହ ରାଉରକେଲା ଓ ବ୍ରହ୍ମପୁର ଭଳି ବଡ଼ ସହରରେ ପୂର୍ବରୁ ଖାଓଗଲିର ସୁବିଧା ହୋଇଛି । ଗୋଟିଏ ସ୍ଥାନରେ ସମସ୍ତ ଖାଦ୍ୟ ମିଳୁଥିବାରୁ ଲୋକଙ୍କୁ ସୁବିଧା ହୋଇଥାଏ । ଏହାସହ ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ହେବ । ଜେଲଛକ ନିକଟରେ ଆବଶ୍ୟକୀୟ ଜାଗା ଥିବାରୁ ରାସ୍ତା କଡ଼କୁ ଉନ୍ନତକରଣ କରାଯାଇଛି । ରାସ୍ତାକଡ଼ରେ ଥିବା ସମସ୍ତ କାନ୍ଥରେ ଆକର୍ଷଣୀୟ ଚିତ୍ର କରାଯାଇଛି । ଏଠାରେ ପାର୍କିଂ ସୁବିଧା ମଧ୍ୟ ରହିଛି । ଲୋକଙ୍କ ପାଇଁ ଖାଇବାକୁ ବ୍ୟବସ୍ଥା କରାଯିବ । ଆଗକୁ ଅନ୍ୟ କିଛି ସ୍ଥାନରେ ଏଭଳି ଖାଓଗଲି କରାଯିବାର ବ୍ୟବସ୍ଥା ହେବ ।