ଭୁବନେଶ୍ଵର, ୧୩/୧୧ : ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଛି। ୯୭୩ଟି ସମବାୟ ସମିତି, RMCରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। 

ସୂଚନା ଥାଉକି, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ମିଡିଲ ମ୍ୟାନ୍ ଫାଇଦା ନନେବା ପାଇଁ ଇ-କେୱାଇସି ଲାଗୁ କରାଯାଇଛି। ଗତବର୍ଷ ଠାରୁ ଧାନର ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି ୩୧ ଶହ ଟଙ୍କାକୁ ବଢ଼ିଥିବାରୁ ଏବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିବାକୁ ଆଗ୍ରହୀ ଥିଲେ । ମାତ୍ର ଉତ୍ତରାଧିକାରୀ ପ୍ରମାଣପତ୍ର ଭାବେ ବଂଶାବଳି  ପ୍ରମାଣପତ୍ର ଓ ଅନୁମତିପତ୍ରର ଗୋଲକଧନ୍ଧା ଭିତରେ ଚାଷୀ ନୟାନ୍ତ ହୋଇପଡ଼ିଥିଲେ । ଆରଆଇଙ୍କ ଠାରୁ ବଂଶାବଳୀ ପ୍ରମାଣପତ୍ର  ଆଣିବା ଓ ଭାଇ ଭାଇ ବିବାଦରେ ଅନୁମତିପତ୍ର ଆଣିବା ଜଟିଳ  ବ୍ୟବସ୍ଥା ଭିତରେ ଚାଷୀ ହନ୍ତସନ୍ତ ହୋଇଥିଲେ । ଅନେକ ଚାଷୀ  ଏହି ସମସ୍ୟା କାରଣରୁ ପଞ୍ଜୀକରଣ କରିପାରିନଥିଲେ । ଅସନ୍ତୋଷ  ବଢ଼ିବା ପରେ ଅନୁମତି ଆବଶ୍ୟକ ନାହିଁ ‘ସ୍ୱ-ଘୋଷଣାପତ୍ର’ ଦେଇ ପଞ୍ଜୀକରଣ ହୋଇପାରିବ ବୋଲି ଘୋଷଣା ହୋଇଥିଲା। ଏହାପର ଠାରୁ ପଞ୍ଜୀକରଣ ଦ୍ରୁତଗତିରେ ବଢ଼ିଚାଲିଲା ।  ଚାଷୀ ‘ସ୍ୱ-ଘୋଷଣାପତ୍ର’ ଦେଇ ପଞ୍ଜୀକରଣ କରିଥିଲେ ।