ଭୁବନେଶ୍ୱର ୨୧/୦୩: ମ୍ୟୁଜିକାଲ କମେଡି ‘ଦ ଆର୍ଚିଜ୍‌’ ଜରିଆରେ ଅଭିନୟ ଦୁନିଆକୁ ଆସିଲେ ଖୁସି କପୁର । ନିକଟରେ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଲଭ୍‌ୟାପା’ ଓ ‘ନାଦାନିୟାଁ’ରେ ନଜର ଆସିଲେ । ଏବେ ଅଭିନୟର ଆଉ ଏକ ଦିଗକୁ ପରଦାକୁ ଆଣିବାକୁ ଚାହୁଁଛନ୍ତି । ଗ୍ରାଜିୟା ଇଣ୍ଡିଆ ସହ ସଦ୍ୟ ସାକ୍ଷାତକାରରେ ଖୁସି ଥ୍ରିଲର୍‌-ହରର୍‌ ଫିଲ୍ମରେ କାମ କରିବାର ଇଚ୍ଛା ଜାହିର କରିଛନ୍ତି । 

ସେ କହିଛନ୍ତି, ଥ୍ରିଲର-ହରର୍‌ ଫିଲ୍ମର ପ୍ରକ୍ରିୟା କେମିତି, ଦେଖିବାକୁ ସେ ସର୍ବଦା ଉତ୍ସୁକ ରହିଛନ୍ତି । ସମ୍ପୂର୍ଣ୍ଣ ହରର୍‌ ନ ହେଲେ ବି ଟିକିଏ ସେମିତିକା ଫିଲ୍ମ କରିବାକୁ ତାଙ୍କର ଇଚ୍ଛା । ଏହି ଅନୁଭବ ଖୁବ୍‌ ମଜାଦାର ହେବ ବୋଲି ସେ କହନ୍ତି । ନାଟକୀୟ ଓ ଭାବପର୍ଣ୍ଣ ସିନ୍‌କୁ ସେ ପସନ୍ଦ କରନ୍ତି । ଏଭଳି ଥିମ୍‌କୁ ଫୋକସ୍‌ କରୁଥିବା ଫିଲ୍ମରେ କାମ କରିବାକୁ ଚାହୁଁଥିବା କଥା ମଧ୍ୟ କହିଛନ୍ତି ।

‘ଦ ଆର୍ଚିଜ୍‌’, ‘ଲଭ୍‌ୟାପା’ ଓ ‘ନାଦାନିୟାଁ’ ଫିଲ୍ମରେ ନିଜର ଭୂମିକା ବିଷୟରେ ମଧ୍ୟ ଖୁସି ଆଲୋଚନା କରିଛନ୍ତି । କହିଛନ୍ତି, ପ୍ରତ୍ୟେକ ଚରିତ୍ର ପାଇଁ ସେ ବିଭିନ୍ନ ପ୍ରକ୍ରିୟାକୁ ଅନୁସରଣ କରିଥିଲେ । ଏହା ପରେ ସବୁଗୁଡ଼ିକୁ ପରସ୍ପର ସହ ଯୋଡ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ । ‘ଲଭ୍‌ୟାପା’ରେ ସେ ନିର୍ବାହ କରିଥିବା ବାନି ଭୂମିକା ଟିକିଏ କଷ୍ଟକର ଥିଲା ବୋଲି କହିଛନ୍ତି । କାରଣ ବାସ୍ତବ ଜୀବନରେ ସେ ଯେମିତିକା ମଣିଷ, ବାନି ତା’ଠୁ ଭିନ୍ନ । ଏହି ଫିଲ୍ମରେ ଖୁସି ଆମିର ଖାନ୍‌ଙ୍କ ପୁଅ ଜୁନୈଦଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ‘ଲାଲ୍‌ ସିଂହ ଚଡ୍‌ଢା’ ଫେମ୍‌ ଅଦ୍ୱୈତ ଚନ୍ଦନ । ଗତ ଫେବ୍ରୁଆରୀ ୭ ତାରିଖରେ ଏହା ଥିଏଟରକୁ ଆସିଥିଲା । ଅନ୍ୟପକ୍ଷେ, ‘ନାଦାନିୟାଁ’ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିଲା । ଏହା ଜରିଆରେ ସୈଫ୍‌ ଅଲି ଖାନ୍‌ଙ୍କ ପୁଅ ଇବ୍ରାହିମ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ । ଖୁସି ତାଙ୍କ ଅପୋଜିଟ୍‌ରେ ପିୟା ଜୟସିଂହ ଭୂମିକାରେ ନଜର ଆସିଥିଲେ ।