ନୂଆଦିଲ୍ଲୀ,୨୪।୧୦: କିମ୍ ଜୋଙ୍ଗ ଉନ୍ଙ୍କ ଏକଛତ୍ରବାଦୀ ଶାସନ ବିଷୟରେ କାହାକୁ ଅଛପା ନାହିଁ। କିମ୍ଙ୍କ ନେତୃତ୍ବାଧିନ ଉତ୍ତର କୋରିଆ ପୁଣିଥରେ ଦକ୍ଷିଣ କୋରିଆର ସିଓଲ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଗୁରୁବାର ଅଳିଆ ଭର୍ତ୍ତି ବେଲୁନ୍ ପକାଇଛି। ଦକ୍ଷିଣ କୋରିଆର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଉତ୍ତର କୋରିଆ ମଇ ମାସ ଶେଷରେ ଦକ୍ଷିଣ କୋରିଆକୁ ଅଳିଆ ଭର୍ତ୍ତି ବେଲୁନ ପଠାଇବା ଆରମ୍ଭ କରିଥିଲା, ଏହାପରେ ସେ ଦ୍ବିତୀୟ ଥର ପାଇଁ ଏଭଳି ବେଲୁନ୍ ପଠାଇଛି।
ଦକ୍ଷିଣ କୋରିଆର ରାଷ୍ଟ୍ରପତି ସୁରକ୍ଷା ସେବା କହିଛି ଯେ, ଉତ୍ତର କୋରିଆ ପକ୍ଷରୁ ରାଷ୍ଟ୍ରପତି ଭବନ ପରିସରରେ ଗୁରୁବାର ଅଳିଆ ଭର୍ତ୍ତି ବେଲୁନ ମାଡ କରାଯାଇଛି। ତେବେ ଏଥିରେ କୌଣସି ବିପଦଜନକ ବସ୍ତୁ ନଥିଲା। ଏହା ତୁରନ୍ତ ଜଣାପଡିନଥିଲା ଯେ, ଉତ୍ତର କୋରିଆର ବେଲୁନ୍ ପଡିବା ସମୟରେ ରାଷ୍ଟ୍ରପଅତି ୟୁନ୍ ସୁକ୍-ୟୋଲ ପରିସରରେ ଉପସ୍ଥିତ ଥିଲେ କି ନାହିଁ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଉତ୍ତର କୋରିଆ ପାଖରେ ଖାସ୍ ସ୍ଥାନକୁ ଟାର୍ଗେଟ କରି ବେଲୁନ ପକାଇବା ସମ୍ଭବତ ଅତ୍ୟାଧୁନିକ ଟେକ୍ନୋଲୋଜିର ଅଭାବ ରହିଛି। ଦକ୍ଷିଣ କୋରିଆର ଡୋଙ୍ଗ-ଇ-ଇଲବୋ ସମାଚାର ପତ୍ରରେ ଗୁରୁବାର ପ୍ରକାଶିତ ଖବରରେ କୁହାଯାଇଥିଲା ଉତ୍ତର କୋରିଆ ସିଓଲ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ମଇଳା ବର୍ତ୍ତି ବେଲୁନ ପକାଇଥିଲା। ବେଲୁନରେ ମଇଳା ସହ ରାଷ୍ଟ୍ରପତି ୟୁନ୍ ଓ ତାଙ୍କ ପତ୍ନ କିୟୋନ୍ଙ୍କୁ ସମାଲୋଚନା କରାଯାଇଥିବା ଲିଫ୍ଲେଟ୍ ମଧ୍ୟ ଥିଲା। ସିଓଲର ୟୋଗସାନ ଜିଲ୍ଲାରେ ରାଷ୍ଟ୍ରପତି ୟୁନ୍ଙ୍କ କାର୍ଯ୍ୟାଳୟ ରହିଛି। ଏଥିରେ କୁହାଯାଇଛି ଉତ୍ତର କୋରିଆ ନିର୍ଦ୍ଧାରିତ ସ୍ଥାନରେ ଅଳିଆ ଭର୍ତ୍ତି ବେଲୁନ ପକାଇବା ପାଇଁ ନିକଟରେ ଜିପିଏସ୍(ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଟେକ୍ନୋଲୋଜିର ଉପଯୋଗ କରିବା ଆରମ୍ଭ କରିଦେଇଛି।